ବାଟ ହୁଡୁଛି ସରକାରୀ ଯୋଜନା : ଲୋକେ ଖାଉଛନ୍ତି ପୋକରା ଚାଉଳ

ଚାନ୍ଦବାଲି: ଚାଉଳ ବସ୍ତା ଖୋଲିଲେ ଗନ୍ଧରେ ରହି ହଉନି। ଏହା ସହିତ ପୋକ ବି ସାଲୁବାଲୁ ହେଉଛନ୍ତି ଏହି ଚାଉଳରେ। ଏଭଳି ଅଭିଯୋଗ ଆସିଛି, ଚାନ୍ଦବାଲି ଦୋସିଙ୍ଗା ପଞ୍ଚାୟତ ଜ୍ୟୋସ୍ନାମୟୀ ଗାଁରୁ। ସୂଚନା ଅନୁଯାୟୀ ଅନ୍ତର୍ଦ୍ୱୟ ହିତାଧିକାରୀ ପାର୍ବତୀ ମଣ୍ଡଳ ଚଳିତ ମାସ ୩୫ କିଲୋ ହିସାବରେ ଦୁଇ ମାସର ୭୦ କିଲୋ ଚାଉଳ ରିଟେଲର ଠାରୁ ଆଣିଥିଲେ। ହେଲେ ଚାଉଳ ବସ୍ତା ଖୋଲିବା ବେଳକୁ ଚାଉଳର ଅବସ୍ଥା ଖାଦ୍ୟ ଉପଯୋଗି ଥିବା ଦୂରର କଥା। ଏହାକୁ ଖାଇଲେ ଅନ୍ୟାନ୍ୟ ରୋଗ ହେବାର ଭୟ ରହିଥିଲା।

ବସ୍ତା ଭିତରେ ଗମରା ଚାଉଳକୁ ସାଲୁବାଲୁ ପୋକ ଚାଲୁଥିଲେ। ଚାଉଳକୁ ଆଡେଇଲେ ଗୋଡି, ବାଲି ଓ ଧୂଳି ବି ବାହାରୁଛି ବୋଲି ଅଭିଯୋଗ ହୋଇଛି। ବାଧ୍ୟ ହୋଇ କିଛି ଏହାକୁ ଖାଉଥିବାବେଳେ ବେଳେ ଆଉ କିଛି ଗୋରୁ ଗାଈଙ୍କ ପେଟକୁ ଯାଉଛି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ଦୋସିଙ୍ଗା ପଞ୍ଚାୟତରେ ଗଲା ୫/୬ ମାସ ହେବ ଏଭଳି ନିମ୍ନମାନର ଚାଉଳ ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇଛି। ତେବେ ଗାଁର ଶତାଧିକ ଅନ୍ତର୍ଦ୍ୱୟ ଏବଂ ରାସନ କାର୍ଡ ହିତାଧିକାରୀ ସମାନ ସମସ୍ୟା ଭୋଗୁଥିବାବେଳେ ଅବସ୍ଥା ଯଥା ପୂର୍ବଂ ତଥା ପରଂ।

ଏହି ପଞ୍ଚାୟତରେ ଲୋକଙ୍କୁ ପ୍ରତିମାସରେ ଚାଉଳ, ଗହମ, କିରୋସିନ୍ ଯୋଗାଇ ଦିଆଯାଉଛି। ମାତ୍ର ରିଟେଲର୍ ମନଇଚ୍ଛା କେତେବେଳେ ଉଷୁନା କେତେବେଳେ ଅରୁଆ ଚାଉଳ ଦେଉଥିବା ଲୋକେ ଅଭିଯୋଗ କରିଛନ୍ତି। ତେବେ ଏନେଇ ରିଟେଲରଙ୍କୁ ପଚରାଯିବାରୁ ସେ ଡିଲର ଆଡକୁ ଦୋଷ ଠେଲି ଦେଇଛନ୍ତି। ଅନ୍ୟପଟେ ଚାନ୍ଦବାଲି ଯୋଗାଣ ଅଧିକାରୀ କହିଛନ୍ତି, ପୋକରା ଚାଉଳ ନେଇ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସରକାରୀ ଚାଉଳର ଯଦି ଏଭଳି ଅବସ୍ଥା, ତେବେ କାହା ପାଖରେ ଅଭିଯୋଗ କରିବେ, ସେନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ। ତେବେ ଏଭଳି ପୋକରା ଚାଉଳ ଯୋଗାଣର ତଦନ୍ତ କରି ଲୋକଙ୍କ ପାଇଁ ସୁବିଧା କରିବାକୁ ଦାବି ଯୋର ଧରିଛି।

You might also like