ପାଣ୍ଡିଅାନଙ୍କୁ ସିଧା ଟାର୍ଗେଟ କଲେ ଦାମ

ମାହାଙ୍ଗା: ବହିଷ୍କାର ପରେ ମଇଦାନକୁ ଓହ୍ଲାଇଲେ ଦାମ । ସରକାରଙ୍କ ବିରୋଧରେ ଦୁର୍ନୀତିକୁ ଅସ୍ତ୍ର କରି ମାହାଙ୍ଗାରୁ ଦାମ ଅାରମ୍ଭ କରିଛନ୍ତି ତାଙ୍କ ଦ୍ୱିତୀୟ ଇନିଙ୍ଗସ। ଗାନ୍ଧୀ ଜୟନ୍ତୀ ପାଇଁ ନୃତାଙ୍ଗରେ ହୋଇଥିଲା ସାଧାରଣ ସଭା।  ଅାଉ ଏହି ମଞ୍ଚରେ ପୂର୍ବରୁ ସରକାରଙ୍କ ଅାଡକୁ ଛା଼ଡିଥିବା ଦୁର୍ନୀତି ବାଣକୁ ଅଧିକ ଶାଣିତ କରିଥିଲେ ଦାମ।

ଚାରାଘୋଟାଲକୁ ଚାପି ଦେବା ପାଇଁ ତାଙ୍କୁ କୋଟିଏ ଟଙ୍କା ଲାଞ୍ଚ ଯଚା ଯାଇଥିଲା ବୋଲି ବିସ୍ପୋରକ ତଥ୍ୟ ରଖିଛନ୍ତି। କହିଛନ୍ତି ଦୁର୍ନୀତି ଅଭିଯୋଗରେ ସେ ନିଲମ୍ବନ କରିଥିବା ଜଣେ ଅଧିକାରୀ ପାଣ୍ଡିଆନ୍‌ଙ୍କ ନିର୍ଦ୍ଦେଶରେ ତାଙ୍କୁ ଲାଞ୍ଚ ଯାଚିଥିଲେ। ଟଙ୍କା ନ ନେବାରୁ ତାଙ୍କ ମନ୍ତ୍ରୀପଦ ଗଲା ବୋଲି ଦାମ କହିବା ସହ ସରକାରରେ ଚାଲିଥିବା ଅଫିସରରାଜ ନେଇ ବି ଟାର୍ଗେଟ୍ କରିଥିଲେ। ନବୀନଙ୍କ ଓଡିଅା ଜ୍ଞାନ, କୁନ୍ଦୁଲି ଗଣଦୁର୍ଷମର ସତ ଲୁଚେଇବା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ସହ ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ରାଜନୈତିକ ଜୀବନ କଥା କହି ବର୍ଷିଥିଲେ ଦାମ।

ବହିଷ୍କାର ପରେ ଦୁର୍ନୀତି ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି କହିଥିଲେ ଦାମ ରାଉତ। ତେଣୁ ମାହାଙ୍ଗାରୁ ଅାରମ୍ଭ ହୋଇଥିବା ଅଭିଯାନ ଅାଗକୁ ବି ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି। ଏହି କ୍ରମରେ ଅାସନ୍ତା କାଲି ନିମାପଡାରେ ଦୁର୍ନୀତି ବିରୋଧୀ ସଭା କରିବେ ଦାମ। ତେବେ ବିଜେଡି କହିଛି ଦାମଙ୍କ ସଭାର କୌଣସି ପ୍ରଭାବ ପଡିବ ନାହିଁ।

ମହାଙ୍ଗାରେ ନୂଅା ଦଳର ସଂଙ୍କେତ ବି ଦେଇଛନ୍ତି ଦାମ ରାଉତ। ଏ ନେଇ ଅନେକ ନେତା ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ସୂଚନା ଦେଇଥିଲେ ବି କେବେ ନୂଅା ଦଳ କରିବେ ସେ ନେଇ ସ୍ପଷ୍ଟ କରିନାହାଁନ୍ତି ବିଜୁ ଲିଗାସିର ଏହି ଭେଟେରାନ୍।

You might also like