ବିଜେଡିକୁ ଅକଳରେ ପକାଇଥିଲା କି ଦାମଙ୍କ ବିସ୍ଫୋରକ ବୟାନ ?

ଭୁବନେଶ୍ୱର : ଗତ କିଛି ଦିନ ଧରି ବିସ୍ଫୋରକ ବୟାନ ଦେଇ ରାଜ୍ୟ ସରକାରଙ୍କୁ ଅକଳରେ ପକାଇ ଅାସୁଥିଲେ ଦାମ। ପ୍ରଥମେ ଡଙ୍କାରୀ ପାହାଡ଼ ଲୁଟ୍, ପରେ ଶହେ କୋଟିର ଚାରା ଘୋଟାଲା, ତାପରେ ଓମ୍‌ଫେଡ୍‌ର ୩୦ କୋଟିର ସ୍କାମ୍ ଅଭିଯୋଗ ଓ ଏହା ପରେ ସମବାୟ ଋଣରେ ୮ଶହ କୋଟିର ଘୋଟାଲା ଭଳି ଗୁରୁତର ଅଭିଯୋଗ ଅାଣିଥିଲେ ଦାମ।

ଏମିତିକି ସେ ଅାଉ ପାଦେ ଅାଗକୁ ଯାଇ ଓଡ଼ିଶାରେ ତାମିଲ ଉପନିବେଶବାଦ ଚାଲିଥିବାର ଅଭିଯୋଗ ମଧ୍ୟ ଅାଣିଥିଲେ। ଯାଜପୁରରେ ରାମ୍‌କୋ ସିମେଣ୍ଟ କାରଖାନାର ତାମିଲ୍ ଲିଙ୍କ୍‌ ଓ ତଥାକଥିତ ଗଡଫାଦର୍‌ଙ୍କ ଭୂମିକା କଥା ଉଠାଇ ସରକାରଙ୍କୁ ପୁଣି ହରଡ଼ ଘଣାରେ ପକାଇଥିଲେ। ଖାଲି ସେତିକି ନୁହେଁ ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ବେଳେ ପଳାତକ ଘୋଷିତ ୧୨ଶହ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଯେଉଁ ନିଷ୍ପତ୍ତି ହୋଇଥିଲା ,ତାହା ଏଯାଏଁ କାହିଁକି କାର୍ଯ୍ୟକାରୀ ହୋଇନି ବୋଲି ପ୍ରଶ୍ନ କରି ସରକାରଙ୍କୁ ପୁଣି ବାଣ ମାରିଥିଲେ।

ନିଜର ବିବାଦୀୟ ବୟାନ ପାଇଁ ଗତବର୍ଷ ଡିସେମ୍ବର ୨୨ ତାରିଖରେ ମନ୍ତ୍ରିମଣ୍ଡଳରୁ ବହିଷ୍କାର ହୋଇଥିଲେ ଦାମ। ଜାତିଅାଣ ମନ୍ତବ୍ୟ ପାଇଁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଥିବା ଦଳ ପକ୍ଷରୁ କୁହାଯାଇଥିଲା। ତା ପରଦିନ ତାଙ୍କୁ ଦଳର ଉପସଭାପତି ଓ ଢେଙ୍କାନାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପଦ ସହ ଅନ୍ୟ ପଦପଦବୀରୁ ବି ହଟାଇ ଦିଅାଯାଇଥିଲା। ଏହା ସତ୍ତ୍ୱେ ବି ଦାମ ନିଜର ରୋକଠୋକ୍ ମନ୍ତବ୍ୟ ଜାରି ରଖିଥିଲେ।

ବିଜେଡି ସରକାରଙ୍କୁ ବିଭିନ୍ନ ସମୟରେ ଅକଳରେ ପକାଇ ଚାଲିଥିବା ଦାମଙ୍କୁ ଦଳରୁ ବହିଷ୍କାର ପାଇଁ ଦୁଇ ଦିନ ତଳେ ପ୍ଲଟ ମଧ୍ୟ ତିଅାରି ହୋଇଥିଲା। ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଓ ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ନବୀନ ନିବାସ ଅାସି ଦାମଙ୍କ ଦଳ ବିରୋଧୀ କାର୍ଯ୍ୟ ନେଇ ସିଧାସଳଖ ଅଭିଯୋଗ କରିଥିବାବେଳେ ଏ ଦୁଇ ନିର୍ବାଚନମଣ୍ଡଳୀରୁ ମଧ୍ୟ ନେତା ଓ କର୍ମୀ ମାନେ ଅାସି ନବୀନଙ୍କୁ ଫେରାଦ ହୋଇଥିଲେ। 

You might also like