କୁଖ୍ୟାତ ଅପରାଧୀ ବାପୁ ପରିଡାକୁ ଗିରଫ ପରେ ଫିଟୁଛି ଗୁମର

ଭୁବନେଶ୍ୱର : ଧିରେ ଧିରେ ଗ୍ୟାଙ୍ଗଷ୍ଟର ଟିଟୋ ସହ ରାଜନେତା ଏବଂ ଅଫିସରଙ୍କ ଲିଙ୍କ୍‌ର ଗୁମର ଖୋଲୁଛି। ଏପଟେ କୁଖ୍ୟାତ ଅପରାଧୀ ବାପୁ ପରିଡାକୁ କ୍ରାଇମବ୍ରାଞ୍ଚ ଏସଟିଫ୍ ଗିରଫ କରିବା ପରେ ସାମ୍ନାକୁ ଅାସୁଛି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ।

ହତ୍ୟା ଧମକ ସହ ଦାଦାବଟି ଅାଦାୟ ଅଭିଯୋଗରେ ଗିରଫ ହୋଇଥିବା ବାପୁ ପାରାଦୀପ ସ୍ଥିତ ନିରାକାର ଡମ୍ଫର ଅାସୋସିଏସନର ସମ୍ପାଦକ। ଟିଟୋର ଅନ୍ୟତମ ବଡ ସହଯୋଗୀ ଥିବା ବାପୁ ବିରୋଧରେ ରହିଛି ୨୮ରୁ ଅଧିକ ସଙ୍ଗୀନ ମାମଲା।

ସେହିପରି ବାପୁର ବିଜେଡି ଲିଙ୍କ୍ ବି ରହିଛି। ବେକରେ ବିଜେଡି ପତାକା ଲଗାଇ ଦଳର ହେଭିୱେଟ ନେତା ଦାମୋଦର ରାଉତଙ୍କ ସହ ବାପୁ ଥିବା ଫଟୋ ଦେଖିବାକୁ ମିଳିଛି। ସେପଟେ ଦାମୋଦର ରାଉତ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବାପୁ ପରିଡ଼ା ସହ ଟିଟୋର କୌଣସି ସମ୍ପର୍କ ନାହିଁ। ଟିଟୋ ସହ ଘନିଷ୍ଠ ସମ୍ପର୍କ ଥିବା କିଛି ଲୁଟେରାଙ୍କ ବିରୋଧରେ ବାପୁର ସାକ୍ଷୀ ଦେବାର ଥିଲା। ସେଥିପାଇଁ ତାକୁ ଚକ୍ରାନ୍ତ କରି ସେମାନେ ଗିରଫ କରାଇଛନ୍ତି ବୋଲି କହିଛନ୍ତି ଦାମ।

ଏହାସହ କହିଛନ୍ତି ଯେ, ଟିଟୋକୁ ପାରାଦୀପରେ କିଏ କୋଠା କିଣାଇଦେଇଥିଲେ ଏବଂ ତାଙ୍କ ପିଲାଙ୍କୁ ବ୍ୟବହାର କରି ଟଙ୍କା ଅାଦାୟ ସହ ମାରପିଟ୍ କରୁଥିଲେ। ସେ ଲୋକଙ୍କୁ ସମସ୍ତେ ଜାଣିଛନ୍ତି, ତାଙ୍କୁ କାହିଁକି ଡକାହେଉନି କି ପଚରାଉଚରା କରାଯାଉନି। ଯିଏ ଅନ୍ୟାୟ କରିବେ, ସେ ପଡ଼ିବେ ବୋଲି କହିଛନ୍ତି ଦାମ।

You might also like