ପୁଣି ବିଷ ଓଗାଳିଲେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ

ସମବାୟ ବ୍ୟାଙ୍କ ଋଣରେ ୭୦୦ରୁ ୮୦୦ କୋଟି ଟଙ୍କାର ଦୁର୍ନୀତି

ଭୁବନେଶ୍ୱର: ପ୍ରଥମେ ଚାରା, ତାପରେ ଓମ୍‌ଫେଡ୍‌ ଦୁର୍ନୀତି, ଆଉ ଏବେ ସମବାୟ ବ୍ୟାଙ୍କ ପ୍ରସଙ୍ଗରେ ବିଷ ଓଗାଳିଛନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ। ସମବାୟ ବ୍ୟାଙ୍କ ଋଣରେ ୭୦୦ରୁ ୮୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି। ୬୦ ଭାଗ ଋଣ ଅଣଚାଷ ପାଇଁ ଦିଆଯାଇଥିବା ବେଳେ ବାକି ୪୦ ଭାଗ ଋଣ କେବଳ କାଗଜ କଲମରେ ସୀମିତ ରହିଥିବା ଅଭିଯୋଗ ଉଠାଇଛନ୍ତି ଦାମ।

ଦାମ କହିଛନ୍ତି, ‘ସେତେବେଳେ ଏମ୍‌ଡି ଥିଲେ ତୁଷାରକାନ୍ତି ପଣ୍ଡା। ଦୁର୍ନୀତିର ତଦନ୍ତ ପାଇଁ ରେଜିଷ୍ଟ୍ରାରଙ୍କୁ ଲେଖିଥିଲେ, ହେଲେ ଗଡଫାଦରଙ୍କ ଯୋଗୁଁ ହେଲାନି। ଏଥିସହ ଅଭିଯୋଗ ଥିବା ଅଧିକାରୀଙ୍କ କାର୍ଯ୍ୟକାଳ ଦୁଇଥର ବଢ଼ାଯାଇଛି। ପ୍ରଥମ ଥର କାର୍ଯ୍ୟକାଳ ବଢ଼ିଲା ବେଳେ ମୁଁ ଦସ୍ତଖତ କରିଥିଲି। ହେଲେ ସେତେବେଳେ ଦୁର୍ନୀତି ନେଇ ଜାଣିନଥିଲି।  ଦୁର୍ନୀତି ଜାଣିବା ପରେ ଆପତ୍ତି ଉଠାଇବା ସହ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲି। ହେଲେ ରେଜିଷ୍ଟ୍ରାର ଏହାକୁ ମାନିଲେନି। କାହିଁକି ନା ଗଡଫାଦର ରେଜିଷ୍ଟ୍ରାରଙ୍କୁ କହିଲେ ମନ୍ତ୍ରୀଙ୍କ କଥା ଶୁଣନି।’

ଏଥିସହ ସମବାୟ ସମିତିରେ କମ୍ପ୍ୟୁଟର କିଣାରେ ୩୭ କୋଟିର ଦୁର୍ନୀତି ହୋଇଛି ବୋଲି ଅଭିଯୋଗ ଉଠାଇଛନ୍ତି ଦାମ। ଘର ଓ ଇଲେକ୍ଟ୍ରି ନ ଥିଲା ବେଳେ ସଫ୍ଟୱୟାର ବି ପ୍ରସ୍ତୁତ ହୋଇ ନଥିଲା। ହେଲେ କଂପ୍ୟୁଟର ଗୁଡ଼ିକ କଣ ଖତ ଖାଇଗଲା କି ବୋଲି ପ୍ରଶ୍ନ କରିଛନ୍ତି ଦାମ। ତେବେ ଏନେଇ ତୁଷାରକାନ୍ତି ପଣ୍ଡାଙ୍କ ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ଦାମ ବାବୁ ତଥ୍ୟ ଦେଲେ ତଦନ୍ତ ହେବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ।

You might also like