ପୁଣି ଗଡ୍ଫାଦରଙ୍କୁ ନିଶାନା କଲେ ଦାମ
ଦାମ ଦେଉଥିବା ତଥ୍ୟକୁ କାଉଣ୍ଚର କରିବାକୁ ସାହାସ ଜୁଟାଇ ପାରୁନି ବିଜେଡି
ଭୁବନେଶ୍ୱର: ଦାମଙ୍କ ଭାଷାରେ ଓଡ଼ିଶାରେ ଚାଲିଛି ତାମିଲ୍ ଉପନିବେଶବାଦ । ଓଡ଼ିଆ ଆଇଏଏସ୍ଙ୍କ ସ୍ୱାଭିମାନ କଥା ଉଠାଇ ଦାମ ଅାଜି ପୁଣି ତଥାକଥିତ ଗଡ୍ଫାଦର୍ଙ୍କୁ ନିଶାନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯାହା କରୁଛନ୍ତି ତାକୁ ଅମଲା ଓ ଅାଉ କେତେଜଣ ଭଣ୍ଡୁର କରୁଛନ୍ତି ବୋଲି କହିଛନ୍ତି ଦାମ। ଯାଜପୁରରେ ରାମକୋ ସିମେଣ୍ଟ କାରଖାନା କଥା ଉଠାଇ ଅାଜି ସରକାରଙ୍କ ଉପରେ ପୁଣି ଏକ ବୋମା ପକାଇଛନ୍ତି ଏହି ବରିଷ୍ଠ ବିଜେଡି ନେତା। ଅଭିଯୋଗ ଅନୁସାରେ, ପ୍ରଶାସନର ଅଗୋଚରରେ ଯାଜପୁରରେ ଗୋଚର ଓ ଦେବୋତ୍ତର ବିଭାଗ ଜମିରେ ଚାଲିଥିବା ରାମକୋ କମ୍ପାନୀ ବେଅାଇନ କାମ କରୁଥିଲେ ବି ସରକାର ଏଥିପ୍ରତି ଅାଖି ବୁଜି ଦେଇଛନ୍ତି।
କେବେଳ ଏତିକି ନୁହେଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ବେଳେ ହୋଇଥିବା ନିଷ୍ପତ୍ତି କଥା ଉଠାଇ ପଳାତକ ୧୨ଶହ ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କାହିଁକି ହୋଇନି ବୋଲି ପ୍ରଶ୍ନ କରିବା ସହ ସରକାରଙ୍କୁ କାଠଗଡ଼ାରେ ଠିଅା କରିଛନ୍ତି ଦାମ ରାଉତ। ଭିତ୍ତିଭୂମି ବିକାଶ ପାଇଁ ତାଙ୍କ ସମୟରେ ଅାରମ୍ଭ ହୋଇଥିବା ୩ ହଜାର କୋଟିର ଯୋଜନା କୁଅାଡ଼େ ଗଲା ଓ ମୋତିଲାଲ୍ଙ୍କ ଲିଙ୍କରେ ନୟାଗଡ଼ରେ ନାଲ୍କୋ ପାଖରୁ ୬୦ ଲକ୍ଷ ଟଙ୍କା ନେଇ କିଏ ଲାବୋରେଟୋରୀ କରିଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଦାମ ଅଭିଯୋଗ କରିଛନ୍ତି ଶାସନ ବ୍ୟବସ୍ଥାରେ ପ୍ରଶାସକଙ୍କ ହାକିମାତି ଯୋଗୁଁ ମନ୍ତ୍ରୀମାନେ ଅସହାୟ ହୋଇପଡିଛନ୍ତି।
ତେବେ ଦାମଙ୍କ ମନ୍ତବ୍ୟ ନେଇ ବିଜେଡି ଅାଜି ନିରବ ରହିଛି। ଶାସନ ବ୍ୟବସ୍ଥାରେ ଗଡଫାଦରଙ୍କ ଭୂମିକାକୁ ନେଇ କିଛି ଦିନ ହେବ ଗୋଟିଏ ପରେ ଗୋଟିଏ ବୋମା ପକାଇଚାଲିଛନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ। ଯାହା ସରକାରଙ୍କ ପାଇଁ ଅଡୁଅା ପରିସ୍ଥିତି ସୃଷ୍ଟି କରିଥିଲେ ବି ଦାମ ଦେଉଥିବା ତଥ୍ୟକୁ କାଉଣ୍ଚର କରିବାକୁ ବିଜେଡି ସାହାସ ଜୁଟାଇ ପାରୁନି।