ଭୁବନେଶ୍ୱରରେ ବିଗିଡ଼ୁଛି ସ୍ଥିତି, ୨୪ ଘଣ୍ଟାରେ ୧୦୦୦ରୁ ଅଧିକ ସଂକ୍ରମଣ ଚିହ୍ନଟ

ଭୁବନେଶ୍ୱର: ରାଜଧନୀରେ ଦ୍ରୁତ ଗତିରେ ବଢ଼ୁଛି ସଂକ୍ରମଣ ସଂଖ୍ୟା। ଗୋଟିଏ ଦିନରେ ସଂକ୍ରମଣ ସଂଖ୍ୟା ହଜାରେ ଟପିଲା। ବୁଧବାର ଗୋଟିଏ ଦିନରେ କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୧୦୪୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଟିଆ ଅଞ୍ଚଳରୁ ସର୍ବାଧିକ ୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ନୟାପଲ୍ଲୀଅଞ୍ଚଳରୁ ୪୯, ଖଣ୍ଡଗିରିରୁ ୪୭, ଚନ୍ଦ୍ରଶେଖରପୁରରୁ ୪୨ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଓଲ୍ଡଟାଉନରୁ ୩୯, ଶୈଳଶ୍ରୀ ବିହାରରୁ ୨୭, ସୁନ୍ଦରପଦାରୁ ୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ତେବେ ଭୁବନେଶ୍ୱରରେ ଦ୍ରୁତଗତିରେ ସଂକ୍ରମଣ ବଢ଼ୁଥିବା ବେଳେ ବିଏମସି କମିଶନର ପ୍ରେମ ଚାନ୍ଦ ଚୌଧୁରୀ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ‘ସଂକ୍ରମଣ ବଢ଼ିଚାଲିଛି, ହେଲେ ଲୋକେ ତଥାପି ସଚେତନ ହେଉନାହାନ୍ତି । ଲୋକ ସହଯୋଗ ନକଲେ କିମ୍ବା ନିୟମ ନମାନିଲେ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯିବ।’ ଏହାସହ ସେ ଆହୁରି କହିଛନ୍ତି ଯେ, ଭୁବନେଶ୍ୱରରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ବ୍ରେକ ଦେବା ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ପ୍ରସ୍ତୁତି ଚାଲିଛି।

କରୋନା ସମୟରେ ସ୍ୱାସ୍ଥ୍ୟସେବା ଓ ହସ୍ପିଟାଲରେ ବେଡ ସଂଖ୍ୟାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର। ସେ କହିଛନ୍ତି, ‘ଏବେ ଆମ ପାଖରେ ୩ ହଜାର ବେଡ୍ ରହିଛି, ଆଗାମୀ ୧୦ ଦିନ ମଧ୍ୟରେ ଆଉ ୩ ହଜାର ବେଡ ବ୍ୟବସ୍ଥା ବୃଦ୍ଧି କରାଯିବ। ୩ ହଜାରରୁ ୫୦ ପ୍ରତିତ ବେଡ୍ ଏବେ ଖାଲି ପଡ଼ିଛି। ୮୫ ପ୍ରତିଶତ କରୋନା ରୋଗୀ ହୋମ୍ କ୍ୱାରେଣ୍ଟାଇନରେ ରହିଛନ୍ତି। ଏବେ ଭୁବନେଶ୍ୱର ସ୍ଥିତି ନିୟନ୍ତ୍ରଣରେ ଅଛି। କିନ୍ତୁ ଆମେ ଖରାପ ସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ।

ସେପଟେ ମହାମାରୀର ଦ୍ୱିତୀୟ ଲହର ସବୁବେଳେ ପୂର୍ବାପେକ୍ଷା ଅଧିକ ତୀବ୍ର ରହିଥାଏ ବୋଲି RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି। ସେ କହିଛନ୍ତି, କୋଭିଡ ନିୟମ ମାନିବାରେ ସଂଜମତା ଓ ସତର୍କତା ଅବଲମ୍ବନ ନକରିବାରୁ କରୋନାର ଏହି ଦ୍ୱିତୀୟ ଲହର ଅଧିକ ଭୀଷଣ ହେଉଛି ।

ଯଦି ଜଣେ ବ୍ୟକ୍ତି କୌଣସି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ ବୋଲି ଭାବୁଛନ୍ତି, ତେବେ ତୁରନ୍ତ ଟେଷ୍ଟ କରାଇ ନିଅନ୍ତୁ। ଏହାସହ ଟେଷ୍ଟ ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଜକୁ ଆଇସୋଲେସନରେ ରଖନ୍ତୁ ବା କାହା ସହ ମିଳାମିଶା କରନ୍ତୁ ନାହିଁ। କାରଣ ଏହି ସାମାନ୍ୟ ଅବହେଳା କାହାର ଜୀବନ ମଧ୍ୟ ନେଇପାରେ। ତେଣୁ ସମସ୍ତେ ସତର୍କ ରହିବା ଓ ସଚେତନ ରହିବା ଆବଶ୍ୟକ। ସଚେତନ ରହିଲେ ହିଁ କରୋନା ସହ ଲଢ଼େଇରେ ବିଜୟ ହୋଇପାରିବା ବୋଲି କହିଛନ୍ତି ଶ୍ରୀମତି ପତି।

You might also like