କଟକ: ଚାଲିଛି ଐତିହାସିକ କଟକ ବାଲିଯାତ୍ରା। ସନ୍ଧ୍ୟା ନଇଁ ଆସିଲେ ଅସମ୍ଭାଳ ଗହଳି। ଯାତ୍ରା ବୁଲା ସାଙ୍ଗକୁ ସୁଆଦିଆ ଖାଦ୍ୟର ମଜା ନେବାକୁ ଆଦୌ ଭୁଲୁ ନାହାନ୍ତି ଫୁଡ୍ ଲଭର୍। ଦେଶୀ ଚଟ୍ପଟି ଖାଦ୍ୟ ଗୁପଚୁପ୍ ଓ ଦହିବରା ଆଳୁଦମ୍ ହେଉ କି ରାଜସ୍ଥାନୀ ଖାଦ୍ୟର ପସରା ସବୁଠି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।
କଟକ ବାଲିଯାତ୍ରାରେ ଖାଦ୍ୟ ପ୍ରେମୀଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ଦହିବରା ଆଳୁଦମ୍ ଷ୍ଟଲ୍। ବ୍ୟବସାୟୀ ତ୍ରିନାଥ ସାହୁଙ୍କ ଦହିବରା ଷ୍ଟଲ୍ ପାଖରେ ସବୁଠୁ ଅଧିକ ଭିଡ଼ ଦେଖିବାକୁ ମିଳିଛି। ଏପରିକି ରାତି ଅଧଯାଏ ଗ୍ରାହକଙ୍କ ଭିଡ଼ ଲାଗି ରହିଥାଏ। ତାସହ ଠୁଙ୍କାପୁରୀ, ଗୁପ୍ଚୁପ୍, ମଲେଇ, ଚୁସ୍କି ଷ୍ଟଲ୍ରେ ବି ଭିଡ଼ କିଛି କମ୍ ନୁହେଁ। ଆଉ ମଥୁରାକେକ୍, ଲଙ୍କାଚପ୍ ଓ ମସଲା ପିଆଜି ଷ୍ଟଲ ବାଲିଯାତ୍ରା ପଡ଼ିଆର ଅଧିକାଂଶ ସ୍ଥାନରେ ହୋଇଛି।
ବାଲିଯାତ୍ରାରେ ଚଟ୍ପଟି ଖାଦ୍ୟର ଆଉ ଏକ ଆକର୍ଷଣ ପାଲଟିଛି ରାଜସ୍ଥାନୀ ଫୁଡ୍ ଷ୍ଟଲ୍। ଓରମାସ୍ ଷ୍ଟଲରେ ଲାଗିଥିବା ଏହି ଷ୍ଟଲ୍ରେ ବିଭିନ୍ନ ରାଜସ୍ଥାନୀ ଖାଦ୍ୟର ମଜା ନେବାକୁ ଖାଦ୍ୟ ପ୍ରେମୀ ଆଦୌ ଭୁଲୁ ନାହାନ୍ତି। ଡାକ ବାଟି ଚୁରମା, ମୁଗଡ଼ାଲ କଚୋଡ଼ି, ଛୋଲେ ବଟୋରେ ଭଳି ବିଭିନ୍ନ ଖାଦ୍ୟର ଦର ବି ଗ୍ରାହକଙ୍କ ପକେଟ୍କୁ ସୁହାଇଲା ଭଳି ରହିଛି।