ଥମୁନି ଦାଦନ ଦୁଃଖ; ଦାଦନ ଖଟିବାକୁ ଯାଇ କିଏ ନିର୍ଯାତିତ ହେଉଛନ୍ତି ଆଉ କାହାର ଯାଉଛି ଜୀବନ

ପଢ଼ନ୍ତୁ ଅଧିକ ରୋଜଗାର କରିବା ଆଶାରେ ବହାର ରାଜ୍ୟକୁ ଯାଇ ଶବ ହୋଇ ଫେରିଥିବା ମାୟାଧର ବରିହାଙ୍କ କାହାଣୀ, ରୋଜଗାରିଆ ପୁଅକୁ ଗୁମୁରି କାନ୍ଦୁଛି ମାଆ ଏବଂ ବେସାହାରା ହୋଇପଡ଼ିଛି ପରିବାର

ସୁବର୍ଣ୍ଣପୁର: ଥମୁନି ଦାଦନ ଦୁଃଖ। ରୋଜଗାର କରିବା ଆଶାରେ ବାହାର ରାଜ୍ୟକୁ ଯାଇ କିଏ ନିର୍ଯାତନାର ଶିକାର ହେଉଛି ତ ଆଉ କାହାର ଜୀବନ ଯାଉଛି। ଅନେକ ସମୟରେ ବାହାର ରାଜ୍ୟରେ ଦାଦନ ନିର୍ଯାତିତ ହେଉଥିବାର ଖବର ମଧ୍ୟ ଆସୁଛି। କିନ୍ତୁ ପ୍ରଶାସନର ଏଥିପ୍ରତି ନିଘା ନାହିଁ।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ହଲକାପାଲିପଡ଼ାର ମାୟାଧର ବରିହା ନାମକ ଜଣେ ବ୍ୟକ୍ତି ଅଧିକ ରୋଜଗାର ଆଶାରେ ତାମିଲନାଡୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ସେଠାରୁ ସେ ଆଉ ଜୀବିତ ଫେରିଲେ ନାହିଁ। ଏବେ ରୋଜଗାରିଆ ପୁଅର ଶବ ଦେଖି ଗୁମୁରି ଗୁମୁରି କାନ୍ଦୁଛି ମାଆ।

ଟଙ୍କା ରୋଜଗାର କରି ଆଣି ଘର ଖଣ୍ଡିଏ ତିଆରି କରିବାକୁ ଲକ୍ଷ୍ୟ ରଖି ମାୟାଧର ୩ ମାସ ତଳେ ତାମିଲନାଡୁ ଯାଇଥିଲେ। କିନ୍ତୁ ଘରକୁ ତାଙ୍କ ମୃତଦେହ ଫେରିବା ପରେ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ବେସାହାରା ହୋଇପଡ଼ିଛନ୍ତି।

ଏହି ଭଳି ପରିସ୍ଥିତିରେ ସରକାରୀ ସହାୟତା ପ୍ରଦାନ ପାଇଁ ପରିବାର ଲୋକେ ଦାବି କରିଛନ୍ତି। ଅନ୍ୟପଟେ ନିର୍ଯାତନାର ଶୀକାର ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି।

ଅନ୍ୟ ପଟେ ଦଲାଲ୍‌ଙ୍କ ଦ୍ୱାରା ଠକେଇର ଶୀକାର ହୋଇଥିବା ୧୧ ଜଣ ନିର୍ଯାତିତ ଶ୍ରମିକଙ୍କୁ ଦେବଗଡ଼ ରିଆମାଳ ପୁଲିସ୍‌ ଉଦ୍ଧାର କରିଛି। ସମସ୍ତ ଶ୍ରମିକଙ୍କୁ ସ୍ଥାନୀୟ କେନ୍ଦେଇଜୁରୀ ଗାଁର ଜଣେ ଦଲାଲ ଅଧିକ ରୋଜଗାରର ପ୍ରଲୋଭନ ଦେଖାଇ ଭୁବନେଶ୍ୱର ଡାକିଆଣିଥିଲା। କିନ୍ତୁ ପରେ ଭୁବନେଶ୍ୱରରେ ନରଖି ଅନ୍ୟ ଜଣେ ଦଲାଲ୍‌କୁ ହସ୍ତାନ୍ତର କରିଥିଲା।

ଏହାପରେ ବିହାରର ଗୟା ଜିଲ୍ଲାର ରେଲ୍‌ୱେ ସିଲ୍‌ପଟ୍ କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରାଯାଇଥିଲା। ବିଭିନ୍ନ ସମୟରେ ଶ୍ରମିକମାନଙ୍କୁ ନିର୍ଯାତନା ଦିଆଯାଉଥିବା ପରିବାର ଲୋକେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ପରେ ରିଆମାଳ ପୁଲିସ୍‌ ଶ୍ରମିକମାନଙ୍କୁ ବିହାରରୁ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ୨ଜଣ ନାବାଳକ ମଧ୍ୟ ରହିଛନ୍ତି।

You might also like