ହାତରେ କୋଦାଳ ଧରି ଗାଁ ରାସ୍ତା ସମତୁଲ କଲେ ବିଧାୟକ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ହାତରେ ପୁଣି କୋଦାଳ ! ହଁ, ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ବିଧାୟକ ହାତରେ କୋଦାଳ ଧରି ଗାଁର ମାଟି ରାସ୍ତାକୁ ସମତୁଲ କରୁଛନ୍ତି । ବିଧାୟକଙ୍କର ଏହି କାମକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।

ବର୍ଷା ଦିନରେ ଧାନ ଜମିରେ କାମ କରୁଥିବା ମୈଦଲପୁର ପଞ୍ଚାୟତର ମହିଳା ଶ୍ରମିକଙ୍କ ପାଇଁ  ବିଧାୟକ ରନ୍ଧାରୀ ଗତକାଲି ରେନ୍‌ କୋଟ, ଚା’, ବିସ୍କୁଟ ଧରି ଯାଉଥିଲେ। ତାଙ୍କ ସହ କିଛି କର୍ମୀ ମଧ୍ୟ ଥିଲେ। ପାପଡାହାଣ୍ଡି ବ୍ଲକ୍‌ ଅନ୍ତର୍ଗତ କଣ୍ଟାସର-ଜବାଗୁଡା ରାସ୍ତାରେ ସମାନେ ଏକ ଗାଡ଼ିରେ ଯାଉଥିଲେ।

ହେଲେ ଗାଁ ଆରମ୍ଭରେ ବିଧାୟକଙ୍କ ଗାଡ଼ି ଆଉ ଗଡ଼ି ନ ଥିଲା।  ରାସ୍ତା ଏତେ କର୍ଦ୍ଦମାକ୍ତ ଥିଲା ଯେ, ଗାଡ଼ି ଆଉ ଗଡ଼ିବା ସମ୍ଭବପର ନଥିଲା। ସାଙ୍ଗରେ ଥିବା ଉପସ୍ଥିତ କର୍ମୀ କିଛି ବୁଝିବା ପୂର୍ବରୁ ବିଧାୟକ ନିଜେ ଗାଡିରୁ ଓହ୍ଲାଇ ପଡ଼ିଲେ। ନିକଟରେ ଥିବା ମୋରମ ଆଣି ରାସ୍ତାରେ ପକାଇବା ସହ ରାସ୍ତାକୁ ସମତୁଲ କରିବାରେ ଲାଗି ପଡ଼ିଲେ।

ବିଧାୟକ ନିଜେ ରାସ୍ତା ମରାମତି କାମ କରୁଥିବା ଦେଖି ଅନ୍ୟମାନେ ମଧ୍ୟ ସହଯୋଗର ହାତ ବଢାଇଥିଲେ। ସମସ୍ତଙ୍କ ଉଦ୍ୟମରେ ଏହି ରାସ୍ତା ଗମନାଗମନ ଉପଯୋଗୀ ହୋଇ ପାରିଥିଲା। ବିଧାୟକଙ୍କ ଏଭଳି କାର୍ଯ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

You might also like