ୱେଲ୍‌ ମାର୍କଡ୍ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ

ଚିନ୍ତା ବଢାଉଛି ବାତ୍ୟା

ଭୁବନେଶ୍ୱର: ୱେଲ୍‌ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି ବଙ୍ଗୋପସାଗରର ଲଘୁଚାପ। ଆସନ୍ତା ୧୨ ଘଣ୍ଟା ଭିତରେ ଏହା ଅବପାତ ବା ଡିପ୍ରେସନରେ ପରିଣତ ହେବ। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଏହି ଅବପାତ ଉତ୍ତର, ଉତ୍ତର ପଶ୍ଚିମ ଦିଗରେ ଗତି କରିବ ପରେ ତାହା ଆହୁରି ଘନୀଭୂତ ହୋଇ ଆସନ୍ତାକାଲି ବାତ୍ୟାରେ ପରିଣତ ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଭେରି ସିଭିୟର ସାଇକ୍ଲନିଷ ଷ୍ଟର୍ମରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ୨୬ ତାରିଖରେ ଅତି ଭୀଷଣ ବାତ୍ୟା ଭାବେ ଏହା ଉପକୂଳ ଅତିକ୍ରମ କରିବ।

ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ

ୟାସ୍ ଉପକୂଳ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୨୦ରୁ ୧୬୫ କିଲୋମିଟର ରହିପାରେ। ମଝିରେ ମଝିରେ ଏହା ୧୮୫ କି.ମି ମଧ୍ୟ ଛୁଇଁପାରେ। ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ- ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି IMD। ୟାସ୍ ପ୍ରଭାବରେ ୨୫ ତାରିଖ ଅପରାହ୍ନରୁ ଉତ୍ତର ଓଡ଼ିଶା ସହିତ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ୨୪ ତାରିଖ ସଂଧ୍ୟାରୁ ଉପକୂଳ ଓଡ଼ିଶାରେ ୪୦ରୁ ୫୦ କି.ମି ବେଗରେ ପବନ ବୋହିବ। ୨୫ ସକାଳୁ ୫୦ରୁ ୬୦ କିମି ଓ ୨୬ରେ ପବନ ବେଗ ବଢ଼ିବ ବୋଲି IMD ଡିଜି ସୂଚନା ଦେଇଛନ୍ତି।

ଏପଟେ, ବାତ୍ୟା ମୁକାବିଲା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ୧୭ଟି ଏନଡ଼ିଆରଫ, ୨୦ଟି ଓଡ୍ରାଫ, ୧୫୦ଟି ଫାୟାର ଟିମକୁ ଆଜି ବିଭିନ୍ନ ଜିଲ୍ଲାକୁ ପଠାଯିବ। ବାଲେଶ୍ୱର ପାଇଁ ୭ଟି, ଭଦ୍ରକ ପାଇଁ ୪ଟି, କେନ୍ଦ୍ରାପଡ଼ା ପାଇଁ ୩ଟି, ଯାଜପୁର ପାଇଁ ୨ଟି, ମୟୂରଭଂଜ ପାଇଁ ଗୋଟିଏ NDRF ଟିମ୍ ମୁତୟନ ହେବ। ଏହାସହ ଆଉ ୪ଟି ଟିମ୍ ଏମର୍ଜେନ୍ସି ପାଇଁ ମୁଖ୍ୟାଳୟରେ ରହିବେ ବୋଲି ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି।

ବାତ୍ୟା ପରେ ଗଛ କାଟିବା ଲାଗି ବନ ବିଭାଗକୁ ମଧ୍ୟ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି। ଭାରତୀୟ ନୌସେନା ପୂର୍ବ ନୌ କମାଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗ ଭାରପ୍ରାପ୍ତ ନୌସେନା ଅଧିକାରୀ ବାତ୍ୟା ମୁକାବିଲା ପାଇଁ କାର୍ଯ୍ୟପନ୍ଥା ସ୍ଥିର କରିଛନ୍ତି। ୮ଟି ବନ୍ୟା ରିଲିଫ୍ ଓ ୪ଟି ଡ୍ରାଇଭିଂ ଟିମ୍ ଓଡ଼ିଶା ଓ ପଶ୍ଚିମବଙ୍ଗରେ ସହାୟତା ପାଇଁ ସଜାଗ ଅଛନ୍ତି। ଆଇଏନ୍ଏସ୍ ଡେଗା ଓ ଆଇଏନ୍ଏସ୍ ରଜାଲି ମଧ୍ୟ ପ୍ରସ୍ତୁତ ଅଛନ୍ତି। ଲୋକଙ୍କୁ ସ୍ଥାନାନ୍ତରଣ, ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଓ ପୁନରୁଦ୍ଧାର ପାଇଁ ଏନଜିଓ ମାନଙ୍କ ସହଯୋଗ ନିଆଯିବ।

ଅକ୍ସିଜେନ ଉତ୍ପାଦନ ଓ ରିଫିଲିଂ ପାଇଁ ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ ଅକ୍ସିଜେନ ଯୋଗାଉଥିବା ବିଭିନ୍ନ ସଂସ୍ଥା ମାନଙ୍କ ସହ ଆଲୋଚନା କରାଯାଇଛି। ସେଥିପାଇଁ ଶିଳ୍ପ ବିଭାଗ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି। ଜିଲ୍ଲା କୋଭିଡ କେୟାର ସେଣ୍ଟର ଓ ଜିଲ୍ଲା କୋଭିଡ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ସିଲିଣ୍ଡର ମହଜୁଦ ରଖିବା ପାଇଁ ନିର୍ଦେଶ ଦିଆଯାଇଥିବା ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି। ପ୍ରସୂତି ମହିଳାମାନେ ବାତ୍ୟା ଆଶ୍ରୟସ୍ଥଳକୁ ନଯାଇ ସିଧା ହସ୍ପିଟାଲ ଆସିବାକୁ କୁହାଯାଇଛି।

You might also like