ଜାଣନ୍ତୁ ଘଣ୍ଟା ପ୍ରତି କେତେ କି.ମି. ବେଗରେ ଗତି କରୁଛି ଘୂର୍ଣ୍ଣିଝଡ଼ ‘ପେଥାଇ’

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ‘ପେଥାଇ’ ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ବର୍ତ୍ତମାନ ଏହା ଶ୍ରୀଲଙ୍କାର ଟ୍ରିଙ୍କୋମାଲିଠାରୁ ୪୬୦ କି.ମି., ଚେନ୍ନାଇଠାରୁ ୪୯୦ କି.ମି., ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ୍‌ଠାରୁ ୬୪୦ କି.ମି. ଓ କାକିନାଡା ଠାରୁ ୬୭୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି।

ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରି କାଲି ଅପରାହ୍ନ ସୁଦ୍ଧା ଆନ୍ଧ୍ର ପ୍ରଦେଶ ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ରୂପ ନେବ। ତେବେ ଏହା ସ୍ଥଳଭାଗ ଛୁଇଁବା ପୂର୍ବରୁ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିବ ବୋଲି ଜଣାପଡ଼ିଛି।

ଆଜି ଓ କାଲି ଦୁଇ ଦିନ ଆନ୍ଧ୍ର ପ୍ରଦେଶରେ କିଛି ସ୍ଥାନରେ ବର୍ଷା ହେବା ସହ ଆଉ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ‍ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ତାମିଲନାଡୁର କିଛି ସ୍ଥାନରେ ଆଜି ବର୍ଷା ହୋଇପାରେ।

ସେହିପରି ଘୂର୍ଣ୍ଣିଝଡ଼ ‘ପେଥାଇ’ର ପ୍ରଭାବରେ ଆଜି ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବା ସହ ଆଉ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କାଲି ମଧ୍ୟ ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦକ୍ଷିଣ ଛତିଶଗଡ଼ର କିଛି ଅଞ୍ଚଳରେ ଆଜି ଓ କାଲି ବର୍ଷା ହେବାର ସମ୍ଭାବନା ଥିବାବେଳେ ୧୭ ତାରିଖରେ ଝାଡ଼ଖଣ୍ଡର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।

ପ୍ରବଳ ବର୍ଷା ପରେ ୧୮ ତାରିଖରୁ ରାଜ୍ୟରେ ଶୀତର ପ୍ରକୋପ ବଢିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

You might also like