ଭୁବନେଶ୍ୱର: ବଙ୍ଗୋପ ସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଝଡ଼ ବାତ୍ୟାର ରୂପ ନେଇଥିବା ବେଳେ ଗତକାଲି ରାତି ପ୍ରାୟ ସାଢ଼େ ୧୨ଟାରୁ ୧ଟା ୩୦ ମିନିଟ୍ ମଧ୍ୟରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଏହା ସ୍ଥଳ ଭାଗକୁ ଅତିକ୍ରମ କରିଛି।
ଝଡ଼ ବାତ୍ୟା ‘ଡାଏ’ ବର୍ତ୍ତମାନ ଗୋପାଳପୁରରୁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରିଛି। ତେବେ ସ୍ଥଳଭାଗକୁ ଛୁଇଁଲା ପରେ ଏହା କ୍ରମଶଃ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି। ଏହାର ପ୍ରଭାବରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ। ଆସନ୍ତା କାଲି ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଜଣାପଡ଼ିଛି।
ସେପଟେ ଆଜି ସକାଳ ସାଢେ ୮ଟା ମଧ୍ୟରେ ୯ଟି ଜିଲ୍ଲାରେ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲା ଗୁଡିକ ହେଲା ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର। ଏଥିସହ ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ସୋନପୁର, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଜାଜପୁର, ଭଦ୍ରକ, ବାଲେଶ୍ୱର କେନ୍ଦୁଝର ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଝଡ଼ ବାତ୍ୟା ‘ଡାଏ’ର ପ୍ରଭାବରେ ଏହି ସବୁ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ତେବେ ଧିରେ ଧିରେ ପବନ ବେଗ ହ୍ରାସ ପାଇବ। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ରହିବ। ଏହାକୁ ଦୃଷ୍ଟିରେ ରଖି ପୁରୀ ଓ ଗୋପାଳପୁର ବନ୍ଦରରେ ୭ ନମ୍ବର ବିପଦ ସଂକେତ ଜାରି କରାଯାଇଥିପବା ବେଳେ ଚାନ୍ଦବାଲି ଓ ପାରାଦୀପ ବନ୍ଦରରେ ୬ ନମ୍ବର ବିପଦ ସଂକେତ ଜାରି କରାଯାଇଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ସୁରକ୍ଷାକୁ ନେଇ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।