ଆସନ୍ତା ୬ ଘଣ୍ଟା ମଧ୍ୟରେ ଅତି ଭୀଷଣ ବାତ୍ୟାର ରୂପ ନେବ ‘ଅମ୍ପନ୍’, ଓଡ଼ିଶାରେ ଆଜିଠୁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ଅମ୍ପନ୍ ଆସନ୍ତା ୬ ଘଣ୍ଟା ମଧ୍ୟରେ ଏକ୍ସଟ୍ରିମ୍‌ଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଅର୍ଥାତ୍‌ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇପାରେ। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ବୁଲେଟିନ୍‌ରେ ଏନେଇ ସୂଚନା ଦିଆଯାଇଛି।

ଏହା ଏବେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଆଡ଼କୁ ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଗତି କରୁଛି। ଅମ୍ପନ୍ ଏବେ ପାରଦୀପ ଠାରୁ ୮୨୦ କିଲୋମିଟର ଦୂରରେ ରହିଛି। ସେହିପରି ଦୀଘାଠାରୁ ଦକ୍ଷିଣ-଼ ଦକ୍ଷିଣପଶ୍ଚିମକୁ ୯୮୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ଅତି ଭୀଷଣ ବାତ୍ୟାର ରୂପ ନେବାପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗ ଆଡ଼କୁ ମୁହାଁଇବ।

ମେ’ ୨୦ ତାରିଖରେ ଅମ୍ପନ୍‌ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାଟି‌ଆ ଦ୍ୱୀପ ମଧ୍ୟରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୮୦ କିଲୋମିଟର ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି।

ତେବେ ଓଡ଼ିଶା ଉପରେ ଅମ୍ପନର ପ୍ରଭାବ ପଡ଼ିବ। ବିଶେଷକରି ଉତ୍ତର ଓଡ଼ିଶାରେ ଅଧିକ ପ୍ରଭାବ ପଡ଼ିପାରେ। ରାଜ୍ୟରେ ଆଜି ସନ୍ଧ୍ୟାରୁ ବର୍ଷା, ପବନ ଆରମ୍ଭ ହେବ। ଆଜି ସନ୍ଧ୍ୟାରେ ଦକ୍ଷିଣ ଓଡ଼ିଶାରେ ଘଣ୍ଟାପ୍ରତି ୪୫ରୁ ୫୫ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି ଉପକୂଳ ଓଡ଼ିଶାରେ ମଧ୍ୟ ଆଜି ସନ୍ଧ୍ୟାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଅଧିକ ପ୍ରଭାବିତ ହୋଇପାରେ। ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲା ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି।

ପୂର୍ବରୁ ଆଇଏମ୍‌ଡି କହିଥିଲା ଯେ, ମେ’ ୧୯ରେ ଉତ୍ତର ଓଡ଼ିଶାରେ ଅତି ପ୍ରବଳ ମାତ୍ରାରେ ବର୍ଷା ହେବା ସହ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କି.ମି. ରହିପାରେ। ଏପରିକି ୯୫ କିଲୋମିଟର ଯାଏ ମଧ୍ୟ ପହଞ୍ଚିପାରେ। ତେବେ ମେ’ ୨୦ ତାରିଖ ଅପରାହ୍ଣରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କି.ମି. ଓ ବେଳେ ବେଳେ ୧୩୫ କିଲୋମିଟର ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

You might also like