ଟ୍ରେଲର ଦେଖାଉଛି ୟାସ୍‌

ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଧାମରା ପାଖରେ ଲ୍ୟାଣ୍ଡଫଲ୍ ସୂଚନା

  • ପାରାଦୀପରୁ ୨ଶହ କିଲୋମିଟର ଦୂରରେ ବାତ୍ୟା ୟାସ୍
  • ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଧାମରା ପାଖରେ ଲ୍ୟାଣ୍ଡଫଲ୍ ସୂଚନା
  • ଆଜି ମଧ୍ୟରାତ୍ରିରୁ ଆରମ୍ଭ ହୋଇଯିବ ପ୍ରଳୟ ପବନ
  • ଭଦ୍ରକ ଓ ବାଲେଶ୍ୱରକୁ ବାତ୍ୟାର ସବୁଠୁ ଅଧିକ ବିପଦ
  • ୪ମିଟର ଯାଏଁ ଉଚ୍ଚ ଜୁଆର ଉଠି ମାଡ଼ି ଯାଇପାରେ ଗାଁ ଗଣ୍ଡା

ଭୁବନେଶ୍ୱର: ଭାଙ୍ଗିବ, ଉଡ଼େଇବ, ବୁଡ଼େଇବ। ପାଣିପାଗ ବିଭାଗର ପୂର୍ବାନୁମାନ ସହ ତାଳ ଦେଇ ଉପକୂଳକୁ ମାଡ଼ି ଆସୁଛି ୟାସ୍, ମାଡ଼ି ଆସୁଛି ପ୍ରଳୟ। ପାଣିପାଗ ବିଭାଗର ସଦ୍ୟତମ ଆକଳନ କହୁଛି ବାତ୍ୟା ଏବେ ପାରାଦୀପରୁ ୨ ଶହ କିଲୋମିଟର ଦୂରରେ ଅଛି। ଅତି ଭୀଷଣ ରୂପ ନେଇ କାଲି ମଧ୍ୟାହ୍ନ ସୁଦ୍ଧା ଏହା ଧାମରା ପାଖରେ ଲ୍ୟାଣ୍ଡଫଲ୍ କରିବ। ଫଳରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ସବୁଠୁ ଅଧିକ ବିପଦ। ତେବେ ମଧ୍ୟରାତ୍ରିରୁ ହିଁ ପ୍ରବଳ ବେଗରେ ପବନ ସାଙ୍ଗକୁ ବର୍ଷା ବି ବଢ଼ିବ। ଲ୍ୟାଣ୍ଡଫଲ୍ ସମୟରେ ୧୮୫ କିଲୋମିଟର ବେଗରେ ପବନ ସାଙ୍ଗକୁ ସମୁଦ୍ରରୁ ୪ ମିଟର ଯାଏଁ ଉଚ୍ଚ ଜୁଆର ଉଠି ସ୍ଥଳଭାଗକୁ ମାଡ଼ିଯିବାର ଆଶଙ୍କା ରହିଛି। ତେବେ ଉପକୂଳ ଛୁଇଁବାର ଯଥେଷ୍ଟ ପୂର୍ବରୁ ତାଣ୍ଡବର ଟ୍ରେଲର ଦେଖାଇଲାଣିି ୟାସ୍।

ଗଛ ଭାଙ୍ଗିଲାଣି,ଘର ଉଡ଼ିଲାଣି…ଉଚ୍ଚା ଉଚ୍ଚା ଲହଡ଼ି ସହ ସ୍ଥଳଭାଗକୁ ମାଡ଼ି ଗଲାଣି ଜୁଆର। ଜଗତସିଂହପୁର ଶିଆଳୀ ବେଳାଭୂମିଠୁ ନେଇ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ତାଳଚୁଆ, ବାଲେଶ୍ୱରର ତାଳସାରି…ଉପକୂଳରେ ପ୍ରବଳ ବର୍ଷା ସହ ଗତକାଲିଠୁ ଆହୁରି ଉଗ୍ର ହେଲାଣି ସମୁଦ୍। ଭୟଙ୍କର ହେଲାଣି ପ୍ରକୃତିର କୋପ। ହେଲେ ଇଏ ୟାସର ଟ୍ରେଲର କାରଣ ଆଜି ମଧ୍ୟରାତ୍ରିରୁ ହିଁ ଏ କୋପ ଆହୁରି ବଢ଼ିବ, କେନ୍ଦ୍ରାପଡ଼ାଠୁ ନେଇ ଜଗତ୍ସିଂହପୁର, ବାଲେଶ୍ୱର ଓ ଭଦ୍ରକ ଏଇ ଚାରି ଜିଲ୍ଲାରେ ତାଣ୍ଡବ କରିବ ଅତି ଭୀଷଣ ବାତ୍ୟା ୟାସ୍।ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତାକାଲି ଧାମରା ପାଖରେ ହିଁ ବାତ୍ୟା ଲ୍ୟାଣ୍ଡଫଲ୍ କରିବ। ହେଲେ ତା ପୂର୍ବରୁ ଅତି ଭୟଙ୍କର ହେଲାଣି ଧାମରାର ଚିତ୍ର।

ଆଇଏମଡ଼ି ସୂଚନା ଅନୁଯାୟୀ କାଲି ଭୋର ୫ଟାରୁ ୬ଟା ସୁଦ୍ଧା ବାତ୍ୟା ଧାମରା ପାଖରେ ପହଞ୍ଚିବ। ଆଉ ମଧ୍ୟାହ୍ନରେ ଧାମରାର ଉତ୍ତରକୁ ଓ ବାଲେଶ୍ୱରର ଦକ୍ଷିଣକୁ ସ୍ଥଳଭାଗ ଅତିକ୍ରମ କରିବ। ୟାସର ଆଖି ଭିତରେ ରହିବ ଧାମରା ଓ ବାଲେଶ୍ୱର। ତେଣୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ବିଶେଷ କରି ଧାମରା ଓ ଚାନ୍ଦବାଲି ଅଞ୍ଚଳ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବ। ବାତ୍ୟାର ପ୍ରକୃତି ଅନୁଯାୟୀ ଲ୍ୟାଣ୍ଡଫଲ୍ ସମୟରେ ଗତିପଥ ରେଖାର ଡାହାଣପାର୍ଶ୍ୱରେ ସର୍ବାଧିକ ବର୍ଷା, ଜୁଆର ଓ ପବନ ହୋଇଥାଏ। ତେଣୁ ସ୍ୱାଭାବିକ ଭାବେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ହିଁ ପ୍ରଳୟ ରଚିପାରେ ୟାସ୍।

ସବୁଠୁ ବଡ଼ କଥା ହେଉଛି ଲାଣ୍ଡଫଲ ସମୟରେ ସର୍ବାଧିକ ୧୮୫ କିଲୋମିଟର ଯାଏଁ ପବନ ତ ବହିବ। ତା ସାଙ୍ଗକୁ ସମୁଦ୍ରରୁ ୪ ମିଟର ଉଚ୍ଚ ଯାଏଁ ଜୁଆର ଉପକୂଳ ଭିତରକୁ ମାଡ଼ି ଆସିବ। ତେଣୁ ଏଇ ଦୁଇ ଜିଲ୍ଲାର ସମୁଦ୍ରପାଖ ଗାଁ ଗୁଡ଼ିକ ପାଇଁ ବିପଦ ଅଧିକ ରହିଛି। ଏଥିସହ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ୨ ମିଟର ପର୍ଯ୍ୟନ୍ତ ଜୁଆର ଉଠିବ। ଆଇଏମଡ଼ି ଡିଜିଙ୍କ ସୂଚନା ଅନୁଯାୟୀ, ବାତ୍ୟା ସ୍ଥଳଭାଗ ଛୁଇଁବାର ପୂର୍ବ ଓପର ୬ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ। ତେଣୁ ଆଜି ମଧ୍ୟରାତ୍ରିରୁ ହିଁ ପବନର ବେଗ ଘଣ୍ଟାକୁ ୮୦ରୁ ୯୦ କିଲୋମିଟର ରହିବ। ସକାଳକୁ ଏହା ବଢ଼ି ୧୬୦ କିମି ଉପରେ ରହିବ।

ବାତ୍ୟାର ପ୍ରଭାବ ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଆଜି ମଧ୍ୟରାତ୍ରିରୁ ଆସନ୍ତାକାଲି ପୂର୍ବାହ୍ନ ଏବଂ ବାଲେଶ୍ୱର ଓ ଭଦ୍ରକରେ କାଲି ପୂର୍ବାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ଅଧିକ ରହିବ। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ୧୨୦ କିଲୋମିଟର ବେଗରେ ପବନ ବହିବା ସାଙ୍ଗକୁ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ପ୍ରଭାବ ରହିବ। ଭାରତୀୟ ପାଣିପାଗ ବିଭାଗ ଧାମରା ପାଖେ ଲ୍ୟାଣ୍ଡଫଲ୍ କରିବାର ପୂର୍ବାନୁମାନ କରିଥିଲା ବେଳେ ରାଜ୍ୟ ସରକାର କିନ୍ତୁ ଭିତରକନିକାରୁ ନେଇ ଧାମରା ଓ ଚାନ୍ଦବାଲି ଯାଏଁ ଯେକୌଣସି ସ୍ଥାନରେ ଲ୍ୟାଣ୍ଡଫଲ୍ କରିବା ଆଶଙ୍କାରେ ପ୍ରସ୍ତୁତ ଥିବା ଏସଆରସି କହିଛନ୍ତି। ବାତ୍ୟା ଆଶଙ୍କାକୁ ଦେଖି ସୁନ୍ଦରଗଡ଼ର ୨, ଢେଙ୍କାନାଳର ୩ ଓ ଅନୁଗୁଳ ଜିଲ୍ଲାର ଦୁଇଟି ବ୍ଲକରେ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। କଟକ ଓ ଭୁବନେଶ୍ୱରରେ ମଧ୍ୟ ପବନର ବେଗ ୬୦ରୁ ୯୦ କିଲୋମିଟର ପର୍ଯ୍ୟନ୍ତ ରହିବାର ସମ୍ଭାବନା ଥିବାରୁ ପ୍ରଶାସନକୁ ଆଲର୍ଟ ରହିବାକୁ କୁହାଯାଇଛି।

ବାତ୍ୟାରେ ସର୍ବାଧିକ ପ୍ରଭାବିତ ହେବାକୁ ଥିବା ୪ଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକରେ ଅତିପ୍ରବଳରୁ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଏହିସବୁ ଜିଲ୍ଲା ପାଇଁ ରେଡ୍ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ବାତ୍ୟା ଉପକୂଳ ପାଖାପାଖି ହୋଇଯାଇଥିବାରୁ ପାରାଦୀପ ଓ ଧାମରା ବନ୍ଦରରେ ୧୦ ନଂ ବିପଦ ସଙ୍କେତ ଚାରି ହୋଇଥିବା ବେଳେ ପୁରୀ ପାଇଁ ୮ ଓ ଗୋପାଳପୁର ପାଇଁ ୩ ନମ୍ବର ବିପଦ ସଂକେତ ଜାରି ହୋଇଛି।

You might also like