ମାଡ଼ି ଆସୁଛି ବାତ୍ୟା: ଘଣ୍ଟାକୁ ୧୮୫ କିଲୋମିଟର ବହିବ ପବନ

ଅଶାନ୍ତ ହେଲାଣି ସମୁଦ୍ର

ଭୁବନେଶ୍ୱର: ସ୍ଥଳ ଭାଗକୁ ମାଡ଼ି ଆସୁଛି ବାତ୍ୟା। ଅଶାନ୍ତ ହେଲାଣି ସମୁଦ୍ର, ବଢିଲାଣି ପବନର ବେଗ। ଧୀରେ ଧୀରେ ବର୍ଷାର ବେଗ ବି ବଢିଲାଣି। ଆଉ ଉଗ୍ର ହୋଇ ଉଠିଲାଣି ପ୍ରକୃତି। ବାଲେଶ୍ୱର,ଜଳେଶ୍ୱର, ନୀଳଗିରି, ଭଦ୍ରକ, ପାରାଦୀପରୁ ନେଇ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ସବୁଆଡ଼େ ବାତ୍ୟାର ଭୟ। ସମୁଦ୍ରରୁ ବାତ୍ୟା ୟାସ୍ ଭୀମ ଭୟଙ୍କର ରୂପ ଧରି ଯେତେ ଯେତେ ସ୍ଥଳଭାଗ ମୁହାଁ ହେଉଛି ସେତେ ସେତେ ଉପକୂଳରେ ଆରମ୍ଭ ହେଉଛି କମ୍ପନ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ୨୬ ଦ୍ୱିପ୍ରହରରେ ବାତ୍ୟା ୟାସ୍ ପାରାଦୀପ-ସାଗର ଦ୍ୱୀପ ମଝିରେ ବାଲେଶ୍ୱର ପାଖାପାଖି ମାଡ଼ ହେବାର ସମ୍ଭାବନା ଅଧିକ ରହିଛି।

ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ

ଲ୍ୟାଣ୍ଡଫଲ୍ ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନର ସର୍ବାଧିକ ବେଗ ବେଳେ ବେଳେ ଘଣ୍ଟାକୁ ୧୮୫ କିଲୋମିଟର ଛୁଇଁବାର ସମ୍ଭାବନା ଥିବାରୁ ବାଲେଶ୍ୱର ଜିଲ୍ଲା ପାଇଁ ସବୁଠୁ ଅଧିକ ବିପଦ ରହିଛି। ସେହିପରି , ଭଦ୍ରକ, ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ାରେ ମଧ୍ୟ ବାତ୍ୟାର ପ୍ରଭାବ ଅଧିକ ରହିବ। ବାତ୍ୟା ପ୍ରଭାବରେ ଉପକୂଳ ଅଞ୍ଚଳରେ ଆଜିଠୁ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୪୫ କିଲୋମିଟର ବେଗରେ ପବନ ବହିବ। ଆସନ୍ତାକାଲି ମଧ୍ୟରାତ୍ର ସୁଦ୍ଧା ଏହା ଘଣ୍ଟାପ୍ରତି ୮୦ କିଲୋମିଟର ଏବଂ ୨୬ ସକାଳକୁ ପବନର ବେଗ ପ୍ରତିଘଣ୍ଟା ୧୨୦ରୁ ୧୩୦ କିଲୋମିଟର ବେଗଯାଏଁ ବଢ଼ିଯିବ।

ସେହିପରି ସର୍ବାଧିକ ପ୍ରଭାବିତ ହେବାକୁ ଥିବା ୪ ଜିଲ୍ଲା ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୬୦ କିଲୋମିଟର, ଖୋର୍ଦ୍ଧା ଓ ପୁରୀରେ ୯୦ରୁ ୧୨୦ କିଲୋମିଟର ଏବଂ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି।

ତେବେ ବଡ଼ କଥା ହେଉଛି ଲ୍ୟାଣ୍ଡଫଲ୍ ସମୟରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବା ସହ ୨ରୁ ୪ ମିଟର ଉଚ୍ଚ ପର୍ଯ୍ୟନ୍ତ ଜୁଆର ଉଠିପାରେ। ତେବେ ଏହି ସମୟରେ ପୂର୍ଣ୍ଣିମା ଥିବାରୁ ଏବଂ ବାଲେଶ୍ୱର ଉପକୂଳ ମୁଖ୍ୟତଃ ସମତଳ ଥିବାରୁ ଜୁଆର ପାଣି ମାଡ଼ି ଆସି କ୍ଷୟକ୍ଷତି ଘଟାଇପାରେ। ସେହିପରି ପ୍ରବଳ ପବନ ଯୋଗୁଁ ବଡ଼ ବଡ଼ ଗଛ ଉପୁଡିପାରେ, କଚ୍ଚା, ଆଜବେଷ୍ଟସ୍‌ ଛପର ଓ ପୁରୁଣା କୋଠା ଭାଙ୍ଗିଯାଇପାରେ। ଟେଲିଫୋନ୍, ବିଜୁଳି ଖୁଣ୍ଟ ବି ଗୁରୁତର ପ୍ରଭାବିତ ହୋଇପାରେ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଥିଲା ବେଳେ ୨୫ ଓ ୨୬ ତାରିଖ ଦୁଇ ଦିନ ବାତ୍ୟାର ସର୍ବାଧିକ ପ୍ରଭାବ ରହିବ।

ଉପକୂଳ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ତେଣୁ ଆସନ୍ତାକାଲି ପାଇଁ ଗଞ୍ଜାମ, ଢେଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଭଳି ୮ଟି ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ବାତ୍ୟା ଲ୍ୟାଣ୍ଡଫଲ୍ କରିବା ଦିନ ଅର୍ଥାତ ୨୬ ତାରିଖ ପାଇଁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବା ୯ଟି ଜିଲ୍ଲା- ଜଗତ୍ସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଢେଙ୍କାନାଳ ଓ କେନ୍ଦୁଝର ପାଇଁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯିବା ସହ ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ ଭଳି ୫ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଦିଆଯାଇଛି। ଏହିସବୁ ଜିଲ୍ଲାରେ ବର୍ଷା ପବନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିବାର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ କରିବା ସହ ବାତ୍ୟା ସଂପୂର୍ଣ୍ଣ ନସରିବା ଯାଏଁ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ଏସଆରସି।

ବଙ୍ଗୋପସାଗରରେ ବାତ୍ୟା ବଳ ଗୋଟାଇ ଆଗକୁ ବଢୁଥିବା ବେଳେ ସ୍ଥିତିକୁ ଦେଖି ଆଜି ରାଜ୍ୟର ପାରାଦୀପ ଓ ଧାମରା ବନ୍ଦରରେ ୪ ନମ୍ବର ବିପଦ ସଂକେତ ଜାରି ହୋଇଛି। ସେହିପରି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପାରାଦୀପ ବର୍ଥି ଅଞ୍ଚଳରୁ ଜାହାଜଗୁଡ଼ିକୁ ବାହାର କରି ନିଆଯାଇଛି। ଏଥିସହ ପୋର୍ଟ ଆଙ୍କରେଜରୁ ସମସ୍ତ ଜାହାଜ ସମୁଦ୍ର ଭିତରକୁ ନିରାପଦ ଦୂରତାକୁ ନେଇଯିବା ପାଇଁ କୁହାଯାଇଛି।

You might also like