‘ଫୋନି’ ଉଜାଡ଼ି ଦେଲା ବେଉସା, ଭାଙ୍ଗି ଦେଲା ଚାଷୀଙ୍କ ମେରୁଦଣ୍ଡ

ଭୁବନେଶ୍ୱର: ‘ଫୋନି’ ଉଜାଡ଼ି ଦେଲା ବେଉସା, ଭାଙ୍ଗି ଦେଲା ଚାଷୀଙ୍କ ମେରୁଦଣ୍ଡ। କ୍ଷତ ଏତେ ଗଭୀର ଯେ କେବେ ଶୁଖିବ ତା’ର ହିସାବ କରିବା ମୁସକିଲ୍‌। ବିଶେଷକରି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ଅର୍ଥକାରୀ ଫସଲ ଉପରେ ନିର୍ଭର କରି ଚଳୁଥିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ଫୋନି। ପାନ, ଧାନ, କଦଳୀ,ନଡ଼ିଆ ସବୁକୁ ମାଟିରେ ମିଶାଇ ଦେଇଛି ବାତ୍ୟା।

‘ଫୋନି’ର ଭୟଙ୍କର ଚୋଟରେ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇ ହୋଇଛି ପାନ ଚାଷ। କୃଷି ଅର୍ଥନୀତିର ପ୍ରମୁଖ ଅର୍ଥକାରୀ ଫସଲ ଉପରେ ବାତ୍ୟା ‘ଫୋନି’ ଏଭଳି ଶକ୍ତ ପ୍ରହାର କରିଛି। ଲକ୍ଷ ଲକ୍ଷ ସଂଖ୍ୟାରେ ପାନ ବରଜକୁ ମାଟିରେ ମିଶାଇ ହଜାର ହଜାର ଚାଷୀଙ୍କୁ ପୂରା ଘାଇଲା କରିଛି ବାତ୍ୟା ‘ଫୋନି’। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ସ୍ଥିତି ଏବେ ସଙ୍ଗୀନ।

ଖୋର୍ଦ୍ଧାର  ବାଲିଅନ୍ତା ଓ ବାଲିପାଟଣା ବ୍ଲକ୍‌ରେ ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି। ସେଠାକାର ଲୋକଙ୍କର ମୁଖ୍ୟ ବେଉସା ହେଉଛି ପାନ ଚାଷ। ତେବେ ‘ଫୋନି’ର କରାଳ ରୂପ ସେମାନଙ୍କ ମୁଖ୍ୟ ବେଉସାକୁ ଧୂଳିସାତ କରିଦେଇଛି। ଗରିବ ପାନ ଚାଷୀଙ୍କ ଭାତ ହାଣ୍ଡିକୁ ‘ଫୋନି’ ଭାଙ୍ଗି ଦେଇଛି।

ଖାଲି ପାନ ନୁହେଁ, ଖରାଦିନିଆ ଫସଲ ଯେପରିକି ଧାନ, ନଡ଼ିଆ, କଦଳୀ ଭଳି ଅନ୍ୟ ଅର୍ଥକାରୀ ଫସଲକୁ ବି ‘ଫୋନି’ ଗ୍ରାସ କରିଛି। ଚାଷୀ ଠିକ୍ ଅମଳ କରିବା ପୂର୍ବରୁ ତାକୁ ନଷ୍ଟ କରିଛି ବାତ୍ୟା। କଦଳୀ ଓ ନଡ଼ିଆ ଫସଲ କଥା ନ କହିଲେ ଭଲ। ଫଳନ୍ତି କଦଳୀ ଓ ନଡ଼ିଆ ଗଛ ଏବେ ନଷ୍ଟ ହୋଇଯାଇଛି। ଏହା ପୁରୀ ଜିଲ୍ଲାରେ ଅନେକଙ୍କ ଉପାର୍ଜନର ଅନ୍ୟତମ ପ୍ରମୁଖ ମାଧ୍ୟମ ହୋଇଥିବା ବେଳେ ବାତ୍ୟା ଘଟାଇଥିବା ଅପୂରଣୀୟ କ୍ଷତିକୁ ନେଇ ଚାଷୀ ସମ୍ପୂର୍ଣ୍ଣ ନିର୍ବାକ୍।

‘ଫୋନି’ ଯୋଗୁ କେବଳ କ୍ଷେତରେ ଫସଲ ନଷ୍ଟ ହୋଇଛି ତା ନୁହେଁ, ବରଂ କୁକୁଡ଼ା ଓ ମାଛ ଚାଷ କରି ଭବିଷ୍ୟତରେ କିଛି ଅଧିକ ରୋଜଗାର ପାଇଁ ଆଶା ବାନ୍ଧିଥିବା ଏବଂ ପୁଞ୍ଜି ଲଗାଇଥିବା ଉଦ୍ୟମୀ ଚାଷୀଙ୍କ ସ୍ୱପ୍ନରେ ବି ପାଣି ଭରି ଦେଇଛି ‘ଫୋନି’।  କେଉଁଠି ଘର ଭାଙ୍ଗି ହଜାର ହଜାର କୁକୁଡ଼ାଙ୍କ ମୃତ୍ୟୁ ହୋଇଛି ତ ଆଉ କେଉଁଠି ପବନ ମାଡ଼ରେ ଆଘାତ ପାଇଛନ୍ତି ଚିଆଁ। ସେହିଭଳି ମାଛ ଚାଷକୁ ବି କ୍ଷତି ପହଞ୍ଚାଇଛି ପ୍ରଳୟଙ୍କାରୀ ‘ଫୋନି’।

You might also like