ଓଡ଼ିଶା ଛାଡ଼ିଲା ଘୂର୍ଣ୍ଣିବାତ୍ୟା ‘ଡାଏ’ : ହେଲେ ରାତିକରେ ରଚିଲା ତାଣ୍ଡବ

ଭୁବନେଶ୍ୱର : ଓଡ଼ିଶା ଛାଡ଼ି ଛତିଶଗଡ଼ ଓ ମଧ୍ୟପ୍ରଦେଶ ମୁହାଁ ବାତ୍ୟା ‘ଡାଏ’ । ଓଡ଼ିଶା ଉପରେ ଅାଉ କୌଣସି ଭୟ ନାହିଁ। ହେଲେ ଯିବା ପୂର୍ବରୁ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାରେ ନିଜର ପ୍ରଭାବ ଦେଖାଇଛି ‘ଡାଏ’ । ବାତ୍ୟାର ପ୍ରଭାବରେ ବିଶେଷ କରି ମାଲକାନଗିରି ଏବଂ ବାଲେଶ୍ୱର ଜିଲ୍ଲା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଉଭୟ ଜିଲ୍ଲାରେ ଶହ ଶହ ଗାଁ ଜଳବନ୍ଦୀ ହୋଇ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ବିଭିନ୍ନ ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ସେପଟେ ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି କରାଯାଇଛି।

ଭୟଙ୍କର ଅବସ୍ଥା । ରାସ୍ତାରେ ପାଣି, ଚାଷ ଜମିରେ ପାଣି, ଗାଁରେ ପାଣି, ଡାକ୍ତରଖାନାରେ ପାଣି । ଚାରିଅାଡ଼େ ଜଳାର୍ଣ୍ଣବ ପରିସ୍ଥିତି । ମାଲକାନଗିରି ଜିଲ୍ଲାର ପୋଟେରୁ ଗାଁ ଦାଣ୍ଡରେ ଛୁଟୁଛି ବର୍ଷା ଜଳ । ଉବୁଟୁବୁ ସାରା ଗାଁ । ଲୋକେ ପହଁରି ପହଁରି ଯିବାକୁ ବାଧ୍ୟ ହେଉଛନ୍ତି ।

ଅାଉ ସେପଟେ ଭାଙ୍ଗିଯାଇଛି ସତୀଗୁଡ଼ା କେନାଲ୍ । ପ୍ରାୟ ୫୦ ଫୁଟର ଘାଇ ଯୋଗୁ ଏକର ଏକର ଚାଷ ଜମିରେ ମାଡ଼ିଯାଇଛି ବନ୍ୟା ଜଳ । ବାଲିମେଳା ଜଳଭଣ୍ଡାରର ୪ଟି ଗେଟ୍ ଖୋଲା ଯାଇଛି । ପ୍ରବଳ ବର୍ଷା ଯୋଗୁ ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବଢ଼ୁଥିବାରୁ କାଲିମେଳା, ପଡ଼ିଆ, ମୋଟୁ, ବାଲିମେଳା ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି ।

ଏମଭି-୧୧, ଏମଭି-୩୭ ଏବଂ କୋରକୋଣ୍ଡା ଗାଁ ପାଣି ଘେରରେ ରହିଛି । ଅାଉ ବିଭିନ୍ନ ଇଲାକାରେ ପହଞ୍ଚି ଓଡ୍ରାଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଚିତ୍ରକୋଣ୍ଡାର ଜାନବାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପାଣି ପଶିଯିବାରୁ ନାକେଦମ୍ ହୋଇଛନ୍ତି ରୋଗୀ ଓ ସମ୍ପର୍କୀୟ ।

ବାତ୍ୟା ‘ଡାଏ’ର ପ୍ରଭାବରେ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲାରେ ବଢ଼ିବାରେ ଲାଗିଛି ବିଭିନ୍ନ ନଦୀର ଜଳସ୍ତର । ବସ୍ତା ଦେଇ ଯାଇଥିବା ଜଳକା ନଦୀରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ ।  ବୁଢ଼ାବଳଙ୍ଗ, ସ୍ୱନ ଓ ଗଙ୍ଗାହାର ନଦୀରେ ବି ଜଳସ୍ତର ବଢ଼ୁଛି। ନୀଳଗିରି ବ୍ଲକର ୩ଟି ପଞ୍ଚାୟତ ବାହ୍ୟଜବତରୁ ବିଚ୍ଛିନ୍ନ ହୋଇଛି ।  ହଜାର ହଜାର ହେର ଚାଷ ଜମି ଜଳାର୍ଣ୍ଣବ ହୋଇଛି। ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକର ବହୁ ଗାଁରେ ପାଣି ପଶିଛି । କାଳ ଓ ସୁନେଇ ଡ୍ୟାମ୍‌ର ଗୋଟାଏ ଲେଖାଏଁ ଗେଟ୍ ଖୋଲିଦିଅାଯାଇଛି । ଫଳରେ ଏଠାରେ ମଧ୍ୟ ଦେଖାଦେଇଛି ବନ୍ୟା ପରିସ୍ଥିତି ।

ସେପଟେ ଓଡ଼ିଶା ଛାଡ଼ି ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ପହଞ୍ଚିଛି ଘୂର୍ଣ୍ଣିବାତ୍ୟା ‘ଡାଏ’ । ଏହା ବର୍ତ୍ତମାନ ଡିପ୍ ଡିପ୍ରେସନର ରୂପ ନେଇଥିବାରୁ ଓଡ଼ିଶାରେ ଅାସନ୍ତାକାଲି ପର୍ଯ୍ୟନ୍ତ ଲାଗିରହିବ ବର୍ଷା । ସେପଟେ ସର୍ବାଧିକ ବର୍ଷାରେ ପ୍ରଭାବିତ ମାଲକାନଗିରି ଜିଲ୍ଲାରେ ୭ଦିନ ପାଇଁ ରିଲିଫ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ୧୨ ବର୍ଷ ବୟସରୁ କମ୍ ପିଲାଙ୍କ ପାଇଁ ଦୈନିକ ୪୫ ଟଙ୍କା ଏବଂ ତାଠୁ ଅଧିକ ବୟସ୍କଙ୍କୁ ଦୈନିକ ୬୦ ଟଙ୍କା ପ୍ରଦାନ କରାଯିବ । ତେବେ ‘ଡାଏ’ ଦ୍ୱାରା ରାଜ୍ୟରେ ମୃତାହତ ନେଇ କୌଣସି ସୂଚନା ନାହିଁ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

You might also like