ଆଁ କରି ମାଡ଼ି ଆସୁଛି ୟାସ୍‌: ଏପଟେ ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର

ୟାସ୍ ଆଁରେ ଥିବା ୪ ଜିଲ୍ଲା ସହ ୧୦ ଜିଲ୍ଲାରେ ସ୍ଥାନାନ୍ତର ପ୍ରକ୍ରିୟା ଜାରି

  • ପ୍ରକୃତି କୋପରୁ ଧନଜୀବନ ସୁରକ୍ଷା ଲାଗି ଯୁଦ୍ଧକାଳୀନ ପ୍ରସ୍ତୁତି
  • ୟାସ୍ ଆଁରେ ଥିବା ୪ ଜିଲ୍ଲା ସହ ୧୦ ଜିଲ୍ଲାରେ ସ୍ଥାନାନ୍ତର ପ୍ରକ୍ରିୟା ଜାରି
  • ୭ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର ଯୋଜନା
  • ଆଜି ରାତି ୯ଟା ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ସରିଯିବା ଆଶା: ଏସଆରସି
  • ସ୍ଥାନାନ୍ତର ପ୍ରକ୍ରିୟାର ଫୋକସ୍ ବୟସ୍କ, ଗର୍ଭବତୀ ଓ ଶିଶୁଙ୍କୁ ଅପରେସନରେ ଏନଡ଼ିଆର୍‌ଏପ୍‌, ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍

ଭୁବନେଶ୍ୱର: ବାତ୍ୟା ୟାସ୍ ଯେତିକି ପାଖୋଉଛି, ଉତ୍ତର ଏବଂ ପୂର୍ବ ଉପକୂଳରେ ଛନକା ସେତିକି ବଢ଼ି ଚାଲିଛି। କଳାହାଣ୍ଡିଆ ମେଘ ସାଙ୍ଗକୁ ଦିନ ତମାମ ଲାଗି ରହିଥିବା ତୁହାକୁ ତୁହା ପବନ ଓ ବର୍ଷା, ବାତ୍ୟାର ଆଗୁଆ ସୂଚନା ଦେଇସାରିଛି। ଲ୍ୟାଣ୍ଡ ଫଲକୁ ଆଉ ମାତ୍ର କେଇ ଘଣ୍ଟା ବାକି ରହିଛି। ତେଣୁ ବେଳ ଥାଉ ଥାଉ ଜାରି ରହିଛିି ବଡ଼ଧରଣର ସ୍ଥାନ୍ତାନ୍ତର ଅଭିଯାନ। ପୋଲିସଠୁ ଆରମ୍ଭ କରି ଏନଡ଼ିଆର୍‌ଏଫ୍‌, ଓଡ୍ରାଫ୍, ଅଗ୍ନିଶମ ଟିମ୍ ସମସ୍ତେ ସଜାଗ ଅଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତେ ଲାଗିପଡ଼ିଛନ୍ତି ଧନଜୀବନ ସୁରକ୍ଷା ପାଇଁ। ଆଜି ରାତି ୯ଟା ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ସରିିଯିବ ବୋଲି SRC କହିଛନ୍ତି।

ପିସିଆର୍ ଭ୍ୟାନଅଏ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ନିଆଯାଉଛି। କେବଳ ବୟସ୍କ ନୁହଁନ୍ତି, ନବଜାତଠୁ ଆରମ୍ଭ କରି ଗର୍ଭବତୀ ଏବଂ ଅସହାୟଙ୍କୁ ଅଗ୍ରାଧିକାରୀ ଭିତ୍ତିରେ ସୁରକ୍ଷିତ ସ୍ଥାନାନ୍ତର କରାଯାଉଛି । ଟିଏମ୍ସି ସେଣ୍ଟର, ମେଡ଼ିକାଲ, ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ ଘର ସବୁଠି ଥଇଥାନ୍ କରାଯାଇଛି ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଲୋକମାନଙ୍କୁ।

କେନ୍ଦ୍ରାପଡ଼ାରୁ ଜଗତସିଂପୁର, ଭଦ୍ରକରୁ ବାଲେଶ୍ୱର ସବୁଠୁ ଚାଲିଛି ପ୍ରସ୍ତୁତି।ସାଇକ୍ଲୋନିକ୍ ଷ୍ଟର୍ମ ୟାସ୍ ଦ୍ୱାରା ପ୍ରଭାବିତ ହେବାକୁ ଥିବା ପ୍ରାୟ ୧୦ଟି ଜିଲ୍ଲାରେ ଅପରାହ୍ନ ସୁଦ୍ଧା ଅଢ଼େଇ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏଭଳି ଭାବେ ସନ୍ଧ୍ୟା ସୁଦ୍ଧା ସାଢେ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ଲାଗି ଯୋଜନା ରହିଥିବା କହିଛନ୍ତି ଏସଆରସି। କେବଳ ଉପକୂଳ ନୁହେଁ, ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ା ଓ ବଣେଇ ବ୍ଲକ, ଢେଙ୍କାନାଳର ଭୁବନ, କଙ୍କଡ଼ାହାଡ଼ ଓ କାମାକ୍ଷାନଗର, ଅନୁଗୁଳର ପାଲଲହଡ଼ା ଓ କଣିହାଁକୁ ମଧ୍ୟ ଆଲର୍ଟ ରଖାଯାଇଛି।

ଏପଟେ ୟାସ୍ ମୁହଁରେ ଥିବା ପ୍ରାୟତଃ ୪ଟି ଜିଲ୍ଲା ଯଥା, କେନ୍ଦ୍ରାପଡ଼ା, ଜଗତସିଂପୁର, ଭଦ୍ରକ ଏବଂ ବାଲେଶ୍ୱରରେ କୋପ ଦେଖାଇଲାଣି। ପବନ ସହ ବର୍ଷା ବି ହେଲାଣି। କେଉଁଠି ଭାଙ୍ଗିଲାଣି ଗଛ ତ ଆଉ କେଉଁଠି ଉଜୁଡ଼ିଗଲାଣି ଚାଳ ଛପର ବାସ। ବାତ୍ୟା ସ୍ଥଳ ଭାଗ ଛୁଇଁବା ଆଗରୁ ରାଜନଗରରେ ଉଜୁଡ଼ିଯାଇଛି ସବୁକିଛି। ଏଣେ ସମୁଦ୍ର ଅଶାନ୍ତ ହେବା ପରେ ଫୁଲି ଉଠୁଛି ବୈତରଣୀ ନଦୀର ଜଳସ୍ତର। ଫଳରେ କେନ୍ଦ୍ରାପଡା ବରାଡ଼ିଆ ପଞ୍ଚାୟତର ନଦୀକୂଳର ୫୦ଟି ପରିବାର ଏବେ ଜଳବନ୍ଦୀ ହୋଇଛନ୍ତି। କେବଳ କେନ୍ଦ୍ରାପଡ଼ା ନୁହେଁ, ଉତ୍ତର ଏବଂ ପୂର୍ବ ଉପକୂଳ ଜିଲ୍ଲା ଗୁଡ଼ିକରେ ବର୍ତ୍ତମାନ ଏଭଳି ସ୍ଥିତି ଦେଖାଦେଇଥିବା ବେଳେ ସ୍ଥାନାନ୍ତର ପ୍ରକ୍ରିୟାକୁ ଜୋରଦାର କରାଯାଇଛି।

You might also like