ଫନି ବୁଡାଇଲ କୂଳ ବେଉସା, କାଳିଆ ପାଇଁ କୁଡୁଆ ଚିନ୍ତା

ପୁରୀ: ବାତ୍ୟା ଫୋନି ଉଜାଡି ଦେଇଛି ବହୁ ଲୋକଙ୍କ କୂଳ ବେଉସା । କ୍ଷତିଗ୍ରସ୍ତ କୌଳିକ ବୃତ୍ତି ମଧ୍ୟରୁ ଗୋଟିଏ ହେଉଛି କୁମ୍ଭାରଙ୍କ କୁମ୍ଭକାର ସେବା । ପୁରୀ ଶ୍ରୀମନ୍ଦିର ଓ ଜଗନ୍ନାଥଙ୍କ ସେବା ପୂଜା ସହ ସହ ପ୍ରତ୍ୟକ୍ଷ ଜଡିତ ଥିବା ପୁରୀ କୁମ୍ଭାରପଡ଼ାର ମାଟି କୁଡ଼ୁଆ କାରିଗରଙ୍କ କୁମ୍ଭାର ଶାଳକୁ ନିଶ୍ଚିହ୍ନ କରିଛି ବାତ୍ୟା ଫୋନି  । ଫଳରେ ଆଗକୁ ସେମାନେ କେମିତି କୁଡୁଆ ତିଆରି କରିବେ ଏବେ ସେ ଚିନ୍ତା ଖାଲି କୁମ୍ଭକାରଙ୍କୁ ନୁହେଁ ଜିଲ୍ଲା ପ୍ରଶାସନକୁ ବି ଘାରିଛି।

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସେବା ପୂଜା ଲାଗି କେଉଁଠୁ ଆସିବ ଲକ୍ଷ ଲକ୍ଷ ମହାପ୍ରସାଦ କୁଡ଼ୁଆ ତାହାକୁ ନେଇ ଏବେ ଚିନ୍ତା। ପୁରୀରେ କାଳିଆ ଦର୍ଶନ ପରେ ଆନନ୍ଦ ବଜାରରୁ ଅଗଣିତ ଭକ୍ତ କେମିତି ସୁରୁଖୁରୁରେ ପାଇବେ ମହାପ୍ରସାଦ ସେ ନେଇ ଏବେ ସମସ୍ୟା ଉପୁଜିଛି। ବାତ୍ୟା ଫୋନି ପୁରୀର କୁମ୍ଭକାର ସେବାୟତଙ୍କ କୁଳ ବେଉସାକୁ ସମ୍ପୂର୍ଣ୍ଣ ଉଜାଡି ଦେବାପରେ ସୃଷ୍ଟି ହୋଇଛି ଏଭଳି ଆଶଙ୍କା ।

୩ ତାରିଖର ସେ କାଳ ସାମୁଦ୍ରିକ ଝଡ଼ରେ ପୁରା ନିରବି ଯାଇଛି ପୁରୀ କୁମ୍ଭାରପଡ଼ା ଅଞ୍ଚଳ ବର୍ଷ ତମାମ ଶ୍ରୀମନ୍ଦିରକୁ ମାଟି ହାଣ୍ଡି ଓ କୁଡୁଆ ଯୋଗାଉଥିବା ପ୍ରାୟ ୩ ଶହ କୁମ୍ଭାକାର ପରିବାରର କୌଳିକ ବୃତ୍ତିକୁ ପୁରା ଛାରଖାର କରି ଦେଇଛି। ଫୋନି ଭାଙ୍ଗି ଚୁରମାର ହୋଇଛି କୁମ୍ଭାର ଶାଳ। ଆଉ ନଷ୍ଟ ହୋଇଛି ହାଣ୍ଡି ଓ କୁଡୁଆ ଗଢୁଥିବା ଏ କୁମ୍ଭାର ଚକ। ଫଳରେ ଜୀବିକାହୀନ ହୋଇ ପଡ଼ିଛନ୍ତି ସମଗ୍ର କୁମ୍ଭାରପଡ଼ାର ଶହ ଶହ କୁମ୍ଭକାର ପରିବାର।

ବାତ୍ୟା ଫୋନିରେ କୁମ୍ଭାରପଡ଼ା କୁମ୍ଭକାରଙ୍କ କ୍ଷୟକ୍ଷତିର ପରିମାଣ ପ୍ରାୟ ୬ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଆଗକୁ ରଥଯାତ୍ରା ଆସୁଥିବାରୁ ତାକୁ ଦୃଷ୍ଟିରେ ରଖି ଅଧିକ ବ୍ୟବସାୟ ଅଶାରେ ଅକ୍ଲାନ୍ତ ପରିଶ୍ରମ ସହ ବଡ଼ ବିନିଯୋଗ କରିଥିଲେ କୁମ୍ଭାକାର ପରିବାର ହେଲେ ତା ପୂର୍ବରୁ ଫୋନି ଆସି ସେ ଆଶାକୁ ଧୂଳିସାତ କରିଦେବା ପରେ ଏବେ ଅସହାୟ ହୋଇପଡ଼ିଛନ୍ତି ଏମାନେ। ଗୋଟିଏ ପଟେ ନିଜ ଚାଳ ଚୁଲି ଉଡ଼ିଯାଇଥିବା ବେଳେ ସେପଟେ ବେଉସା ବି ଶଙ୍କଟରେ  ଏଭଳି ସ୍ଥିତିରେ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନର ସହଯୋଗ ଲୋଡ଼ିଛି କୁମ୍ଭକାର ନିଯୋଗ।

You might also like