ବାତ୍ୟା ଅପ୍‌ଡେଟ୍‌: ସାମ୍ନା କରିବାକୁ କେତେ ପ୍ରସ୍ତୁତ ଅଛି ରାଜ୍ୟ ?

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଦକ୍ଷିଣ, ଉପକୂଳ, ଉତ୍ତର ଓଡ଼ିଶାର ୧୨ଟି ଜିଲ୍ଲାକୁ ସତର୍କ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। କିନ୍ତୁ ବନ୍ୟା ଭୟ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିଶନର କହିଛନ୍ତି। ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇପାରେ। ଏଥିପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ଯାହାର କଚ୍ଚା ଘର ରହିଛି ତାଙ୍କୁ ସ୍ଥାନାନ୍ତରିତ କରାଯିବ। ସମସ୍ତ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।

ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ପାଇଁ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି। ଆଣ୍ଟିଭେନମ ଇଂଜେକ୍‌ସନ ସହ ସମସ୍ତ ଔଷଧ ମହଜୁଦ ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ସେହିଭଳି ଓଡ୍ରାଫର ୨୦, NDRFର ୧୦ ଓ ଫାୟାର ସର୍ଭିସର ୩୩୫ ୟୁନିଟ ପ୍ରଭାବିତ ହେବାକୁ ଥିବା ଅଞ୍ଚଳକୁ ପଠାଯିବ। ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ନେଇ ରାଜ୍ୟ ସରକାର ସଂପୂର୍ଣ୍ଣ ସଜାଗ ଥିବା ସେ ସୂଚନା ଦେଇଛନ୍ତି।

ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଖାଦ୍ୟ ସାମଗ୍ରୀ ରହିଛି। ତେଣୁ ଭୟ ନ କରିବାକୁ ସେ ରାଜ୍ୟବାସୀଙ୍କୁ କହିଛନ୍ତି। ଅଯଥାରେ ବଜାରକୁ ଯାଇ ଭିଡ଼ ନକରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନ। ଆଜି କ୍ୟାବିନେଟ ସେକ୍ରେଟାରୀ ଓଡ଼ିଶା ଓ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବେ। ଏହାଛଡ଼ା ମୁଖ୍ୟମନ୍ତ୍ରୀ ୧୨ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ତୟାର NDRF ଟିମ୍। କଟକ ମୁଣ୍ଡଳି ସ୍ଥିତ ଏନଡିଆରଏଫ ବାଟାଲିଆନର ୩ଟି ୟୁନିଟ୍ ଆଜି କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଭଦ୍ରକ ଜିଲ୍ଲା ଗସ୍ତ କରିଛି। ପ୍ରତି ଟିମ୍ ରେ ୨୧ ଜଣ ଲେଖାଏ ସଦସ୍ୟ ରହିଛନ୍ତି।

ବାତ୍ୟା ପରେ ଉପୁଡ଼ି ପଡ଼ିଥିବା ଗଛ ଅପସାରଣଠୁ ଆରମ୍ଭ କରି ପାଣି ଘେରରେ ଥିବା ଲୋକଙ୍କୁ ଉଦ୍ଧାର ପାଇଁ ଆବଶ୍ୟକ ସରଂଜାମ ଟିମ୍ ସେମାନେ ସାଙ୍ଗରେ ଧରି ଯାଇଛନ୍ତି। ଏହାବ୍ୟତୀତ ବର୍ତ୍ତମାନ କରୋନାର ପ୍ରଭାବ ଜାରି ଥିବାରୁ ଏନଡିଆରଏଫ୍ ସଦସ୍ୟମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହ ସ୍ୱତନ୍ତ୍ର ପିପିଇ କିଟ୍ ବି ପ୍ରଦାନ କରାଯାଇଛି।

ତେବେ ବାତ୍ୟାକୁ ନେଇ ଏବେଠୁ ଚିନ୍ତାରେ ପଡ଼ିଗଲେଣି ବାଲେଶ୍ୱର ସଦର ଅଞ୍ଚଳର ଚାଷୀ। ଏହି ଚାଷୀମାନେ ନିଜ ନିଜ କ୍ଷେତରୁ ଧାନ ବୋହି ଆଣୁଛନ୍ତି। ବର୍ଷା ହେଲେ ଶସ୍ୟ ନଷ୍ଟ ହେବା ଆଶଙ୍କାରେ ଅମଳରେ ଲାଗିପଡ଼ିଛନ୍ତି କିଛି ଚାଷୀ।

You might also like