ବାତ୍ୟା ପ୍ରଭାବରେ ଆସନ୍ତାକାଲିଠୁ ପ୍ରବଳ ବର୍ଷା: ୧୮ରୁ ୨୦ ତାରିଖ ଯାଏ ବଢ଼ିବ ପବନର ବେଗ

ଭୁବେଶ୍ୱର: ମାଡ଼ି ଆସୁଛି ବାତ୍ୟା ଅମ୍ପନ। ଏବେ ପାରାଦୀପର ଦକ୍ଷିଣରେ ହଜାର କିମି ଦୂରରେ ରହିଛି। ଦିଘା ଠାରୁ ଦକ୍ଷିଣ ଦକ୍ଷିଣପଶ୍ଚିମରେ ୧୧୬୦ କିମି ଦୂରରେ ରହିଛି ଏହି ବାତ୍ୟା। ଆସନ୍ତା ୧୨ ଘଣ୍ଟାରେ ଭୀଷଣ ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୬ ଘଣ୍ଟା ପୂର୍ବରୁ ଘଣ୍ଟାକୁ ୬ କିମି ବେଗରେ ଗତି କରୁଛି ବାତ୍ୟା ଅମ୍ପନ। 

ବାତ୍ୟା ପ୍ରଭାବରେ ରାଜ୍ୟରେ ଆସନ୍ତାକାଲିଠାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ବର୍ଷାର ପରିମାଣ ୧୯ରେ ବଢ଼ିବ ଓ ୨୦ ତାରିଖରେ ମଧ୍ୟ ରାଜ୍ୟର କିଛି ସ୍ଥାନରେ ବର୍ଷା ଜାରି ରହିବ। ୧୮ରୁ ୨୦ ତାରିଖ ଯାଏଁ ପବନର ବେଗ ମଧ୍ୟ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ମିଳିଥିବା ସୂଚନା ଅନୁସାରେ, ୧୮ ତାରିଖରୁ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିଲେ ମଧ୍ୟ ୫ଟି ଜିଲ୍ଲା- ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ୧୮ ତାରିଖରେ ପ୍ରବଳ ବର୍ଷା ହୋଇପାରେ। ୧୯ ତାରିଖରୁ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ସେଥିପାଇଁ ସମସ୍ତ ଉପକୂଳ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ୨୦ ତାରିଖରେ କେବଳ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ୧୮ ତାରିଖ ସାରୁ ଜୋର୍ ପବନ ବହିବା ଆରମ୍ଭ ହେବ। ୧୮ରେ ଦକ୍ଷିଣ ଉପକୂଳ ଓଡ଼ିଶାରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବିଗରେ ପବନ ବହିବ। ୧୯ରେ ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ୪୫ରୁ ୫୫ କିଲୋମିଟର ଏବଂ ୨୦ ତାରିଖ ସକାଳେ ଉତ୍ତର ଓଡ଼ିଶାରେ ୭୫ରୁ ୮୫ କିଲୋମିଟର କିମ୍ବା ତା ଠୁ ଅଧିକ ବେଗରେ ପବନ ବହିପାରେ। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

You might also like