ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅମ୍ଫାନ୍’ ପଶ୍ଚିମବଙ୍ଗ ଉପକୂଳ ଦେଇ ଗତି କରିପାରେ। ଏବେ ଏହା ଘଣ୍ଟାକୁ ୨୦ କି.ମି. ବେଗରେ ଗତି କରୁଛି। ଆଜି ଏନେଇ ସୂଚନା ଦେଇଛନ୍ତି ଏସ୍ଆର୍ସି ପ୍ରଦୀପ ଜେନା।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ରୂପ ନେଇ ସାରିଥିବାବେଳେ ଆଜି ଏହା ବାତ୍ୟାର ରୂପ ନେଇପାରେ। ଏବେ ଏହା ପାରାଦୀପର ଦକ୍ଷିଣରେ ୧୦୬୦ କି.ମି. ଦୂରରେ ରହିଛି। ମେ’ ୧୭ ତାରିଖ ସଂଧ୍ୟାରେ ବାତ୍ୟାଟି ଗତି ପରିବର୍ତ୍ତନ କରିବ ଓ ୨୦ ତାରିଖ ଦିନ ବାତ୍ୟା ‘ଅମ୍ଫାନ୍’ ସ୍ଥଳଭାଗ ଛୁଇଁବା ଆକଳନ କରାଯାଉଛି ବୋଲି ଏସ୍ଆର୍ସି କହିଛନ୍ତି।
ଏହାର ପ୍ରଭାବରେ ଓଡ଼ିଶାରେ ମେ’ ୧୮ରୁ ୨୦ ଯାଏ ବର୍ଷା ହେବା ସହ ଜୋରରେ ପବନ ବହିବ। ମେ‘ ୧୯ରେ ଉପକୂଳ ଓଡ଼ିଶାରେ ୬୦ କି.ମି. ବେଗରେ ପବନ ବହିବ। ମେ’ ୨୦ରେ କାଳକ୍ରମେ ପବନର ବେଗ ବଢ଼ି ଘଣ୍ଟାକୁ ୧୧୦ କି.ମି. ପର୍ଯ୍ୟନ୍ତ ଯାଇପାରେ।
ଯଦିଓ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, କିନ୍ତୁ ବନ୍ୟାର ଭୟ ନାହିଁ। ଏଥିପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ନେଇ ରାଜ୍ୟ ସରକାର ସଂପୂର୍ଣ୍ଣ ସଜାଗ ଅଛନ୍ତି। ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ରହିଛି। ତେଣୁ ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ ଓ ଅଯଥାରେ ବଜାରକୁ ଯାଇ ଭିଡ଼ ନ କରିବାକୁ ଏସ୍ଆର୍ସି କହିଛନ୍ତି।