ଧାମରାରୁ ୬୦ କିମି ଦୂରରେ ବାତ୍ୟା: ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଆସିବ ବଡ଼ ଜୁଆର

ମାଡ଼ି ଆସୁଛି ବାତ୍ୟା

ଭୁବନେଶ୍ୱର: ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ୟାସ୍। ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଆଜି ଦ୍ୱିପହରରେ ସ୍ଥଳଭାଗ ଅତିକ୍ରମ କରିବ। ଏହାପୂର୍ବରୁ ଆଉ କିଛି ଘଣ୍ଟା ପୂର୍ବରୁ ଧାମରା ନିକଟରେ ଅତି ଭୀଷଣ ବାତ୍ୟା ରୂପ ନେବାପରେ ଏହା ସ୍ଥଳ ଭାଗ ଛୁଇଁବ । ଏବେ ଏହା ଧାମରାଠାରୁ ୬୦କି.ମି, ପାରାଦୀପଠାରୁ ୯୦ କି.ମି, ଓ ବାଲେଶ୍ୱରଠାରୁ ୧୦୫ କିମି ଦୂରରେ ରହିଛି।  ଏହାପ ପ୍ରଭାବ ବିଶେଷ ଭାବେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲା ଉପରେ ପଡ଼ିବ। ଗତକାଲି ରାତିରୁ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିଛି।

ବାଲେଶ୍ୱର, ସୋର, ବାହାନଗା, ଭଦ୍ରକ, ଧାମରା, ଚାନ୍ଦବାଲି, ପାରାଦୀପ, ଜଗତସିଂହପୁର, କେନ୍ଦ୍ରାପଡ଼ା, ରାଜନଗର, ଆଳି ଭଳି ଏକାଧିକ ଅଞ୍ଚଳରେ ୬୦ରୁ ୯୦ କିଲୋମିଟର୍ ବେଗରେ ପବନ ବହୁଛି। ପବନ ଓ ବର୍ଷାର ପରିମାଣ ଧିରେ ଧିରେ ଆହୁରୀ ବଢ଼ିବା ନେଇ ଆକଳନ କରାଯାଇଛି । ବାତ୍ୟା ୟାସ୍ ଛୁଇଁଲା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୫୫ରୁ ୧୬୫ କିଲୋମିଟର୍ ରହିବ। କିଛି ସ୍ଥାନରେ ପବନର ବେଗ ୧୮୫ କିଲୋମିଟର୍ ବି ହୋଇପାରେ। ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳେ ଜୁଆର ଉଠିବ। ବାଲେଶ୍ୱର ଓ ଭଦ୍ରକରେ ୪ ମିଟର ପର୍ଯ୍ୟନ୍ତ ଜୁଆର ଉଠିବା ସମ୍ଭାବନା ରହିଛି। ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ୨ରୁ ୩ ମିଟର ଜୁଆର ଉଠିପାରେ। ଆଜି ପୂର୍ଣ୍ଣିମା ଯୋଗୁଁ ଜୁଆର ଅଧିକ ଉଚ୍ଚ ଉଠିବା ସମ୍ଭାବନା ରହିଛି।

You might also like