କେନ୍ଦ୍ରାପଡ଼ା: ସାଇବର ଠକେଇର ଶିକାର ହେଲେ ଡାକ୍ତର । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବାଦଲ ମହାନ୍ତି ସାଇବର ଠକାମୀର ଶିକାର ହୋଇଥିବା ଅଭିଯୋଗ ହୋଇଛି । ବିଟ୍ କଏନରେ ୧୧ ଲକ୍ଷ ଟଙ୍କା ଲଗାଇ ସେ ଠକାମୀର ଶିକାର ହୋଇଥିବା ନେଇ ଜଣାପଡ଼ିଛି । କଟକ କ୍ରାଇମବ୍ରାଞ୍ଚର ସାଇବର ସେଲରେଏନେଇ ସେ ଅଭିଯୋଗ କରିଛନ୍ତି । ଡାକ୍ତର ଜଣକ ରାଜକନିକା ବ୍ଲକ ବଡ଼ଆମ୍ବିଳା ଗାଁର ବୋଲି ଜଣାପଡିଛି । ଅଭିଯୋଗ ପରେ ସାଇବର ସେଲ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଲକ୍‌ଡାଉନ ସମୟରେ ଅଧିକ ସାଇବର ଠକେଇ ହେଉଛି ବୋଲି କିଛି ଦିନ ପୂର୍ବରୂ ପୋଲିସ ଡିଜି ଅଭୟ ସୂଚନା ଦେଇଥିଲେ । ଏହାସହ ସେ କହିଥିଲେ ଲକ୍‌ଡାଉନ ଯୋଗୁଁ ଅନ୍‌ଲାଇନ୍‌ କାରବାର ବଢ଼ିଛି । ତେଣୁ ସାଇବର ଲୁଟେରାଙ୍କୁ ଲୁଟ୍‌ କରିବ ପାଇଁ ସୁଯୋଗ ମିଳୁଛି ।

ତେବେ ଗତ ୯ ତାରିଖରେ ସାଇବର ସେଲ୍‌କୁ ଏକ ବଡ଼ ସଫଳତା ମିଳିଥିବା ଦେଖାଯାଇଛି । ଜଣେ ବ୍ୟକ୍ତିଙ୍କଠାରୁ ସାଇବର ଲୁଟେରା ଲକ୍ଷାଧିକ ଟଙ୍କା ଲୁଟ୍‌ କରିଥିବା ବେଳେ ସାଇବର ସେଲ ସେହି ଟଙ୍କା ଫେରାଇ ଆଣିଛି ।

‘ସେୟାର ମାର୍କେଟରେ ଟଙ୍କା ଲଗାଇଲେ, ଆମେ ତୁମକୁ ପ୍ରଚୁର ଲାଭ ଦେବୁ ।’ ଏଭଳି କିଛି ଲୋଭ ଦେଖାଇ ଟଙ୍କା ଲୁଟ କରିଥିଲେ ସାଇବର ଲୁଟେରା । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଯୁବକ ବିଶ୍ୱ ରଞ୍ଜନ ବିଶ୍ୱାଳଙ୍କଠାରୁ ସେୟାର ମାର୍କେଟରେ ପ୍ରଫିଟ୍ କରାଇବେ କହି ଠକିଥିଲେ ସାଇବର ଠକ । ପ୍ରଥମେ ଜଣେ ଠକ ସେୟାର ମାର୍କେଟରେ ଟଙ୍କା ଲଗାଇବା ଲାଗି ବିଶ୍ୱ ରଞ୍ଜନଙ୍କୁ ଡେମୋ କଲ ଦେଇଥିଲେ ।

ଏଥିରେ ତାଙ୍କୁ ପ୍ରଫିଟ୍ ହେବାରୁ ଯୁବକଙ୍କ ପଇସା ଲଗାଇବା ଲାଗି ଆଗ୍ରହ ବଢ଼ିଥିଲା । ଏହାପରେ ଠକ ଜଣଙ୍କ ଆଉ ଜଣେ ବ୍ରୋକରଙ୍କ ନମ୍ବର ଦେବା ସହ ଅଧିକ ପ୍ରଫିଟ୍ ଲୋଭ ଦେଖାଇଥିଲେ । ପରେ ସେୟାର ମାର୍କେଟରେ କ୍ଷତି ହୋଇଛି କହି ତାଙ୍କ ଠାରୁ ସେକ୍ୟୁରିଟି ଡିପୋଜିଟ୍ କରିବାକୁ କହି ୪ ଲକ୍ଷ ୩୦ ହଜାର ଟଙ୍କା ଠକି ନେଇଥିଲେ । ଏନେଇ ବିଶ୍ୱ ରଞ୍ଜନ ସଙ୍ଗେ ସଙ୍ଗେ ସାଇବର ସେଲରେ ଅଭିଯୋଗ କରିଥିଲେ । ଏହାପରେ ପଦକ୍ଷେପ ନେଇ ସାଇବର ସେଲ ଯୁବକଙ୍କ ୪ ଲକ୍ଷ ୩୦ ହଜାର ଟଙ୍କା ଫେରାଇ ଆଣିଥିଲା ।

Other Stories