ସାବଧାନ! ପ୍ରଥମେ ଟିକା ଦେବା କଥା କହି ଠକୁଛନ୍ତି ସାଇବର ଠକ

ଭୁବନେଶ୍ୱର: ସାରା ଦେଶରେ ଆସନ୍ତା ୧୬ ତାରିଖରୁ ହେବ କୋଭିଡ୍ ଟିକାକରଣ। ହେଲେ ଏବେଠାରୁ ଟିକାକରଣ ନାଁରେ ନୂଆ ପ୍ରକାରର ସାଇବର୍ ଠକେଇ ସାମ୍ନାକୁ ଆସିଲାଣି। ପ୍ରଥମେ ଟିକା ନେବାର ସୁଯୋଗର ଲୋଭ ଦେଖାଇ ପଞ୍ଜୀକରଣ ନାଁରେ ଫୋନ୍ କଲ୍ ଓ ଇମେଲ୍ କରି ଠକେଇ ପାଇଁ ଚେଷ୍ଟା କରୁଛନ୍ତି ସାଇବର୍ ଅପରାଧୀ ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସତର୍କ କରିଛି କମିଶନରେଟ୍ ପୋଲିସ୍।

୧୬ ତାରିଖରୁ ସାରା ଦେଶରେ କୋଭିଡ୍ ଟିକାକରଣ ଆରମ୍ଭ ହେବାକୁ ଯାଉଥିବା ବେଳେ ସମସ୍ତେ ପ୍ରଥମେ ଟିକା ନେବାକୁ ଆଗ୍ରହୀ। ଆଉ ଏହାର ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି ସାଇବର୍ ଅପରାଧୀ। କୋଭିଡ୍ ଟିକା ନାଁରେ ଲୋକଙ୍କୁ ଲୁଟିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଟିକାକରଣ ପାଇଁ ପଞ୍ଜୀକରଣ ନାଁରେ ଏହି ସାଇବର୍ ଅପରାଧୀମାନେ ଫୋନ୍ କରି ଆଧାର କାର୍ଡ, ଇମେଲ୍ ଆଇଡି ମାଗୁଛନ୍ତି। ପରେ ପରେ ଓଟିପି ମାଗି ଆଧାର ଲିଙ୍କ ଥିବା ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହଡପ୍ କରୁଥିବା ଜଣାପଡ଼ିଛି। ଏଭଳି କିଛି ଅଭିଯୋଗ ପାଇବା ପରେ ଲୋକଙ୍କୁ ସତର୍କ ରହିବାକୁ ଟୁଇଟ୍ କରିଛି କମିଶନରେଟ୍ ପୋଲିସ।

ଏନେଇ କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ ସମସ୍ତ ସୋସିଆଲ୍ ମିଡିଆ ମାଧ୍ୟମରେ ଲୋକଙ୍କୁ ସତର୍କ କରିବାକୁ ଚେଷ୍ଟା କରୁଛୁ। ଯଦି ଫୋନ୍ କରି କେହି ବ୍ୟାଙ୍କ ଡିଟେଲ୍ ମାଗୁଛନ୍ତି ତାହା ଦିଅନ୍ତୁ ନାହିଁ ବୋଲି କହିଛନ୍ତି କଟକ ଡିସିପି। ସେହିପରି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ମଧ୍ୟ ସମାନ କଥା କହିଛନ୍ତି। ସେ ମଧ୍ୟ କାହାକୁ ତଥ୍ୟ ଦେବାକୁ ଲୋକଙ୍କୁ ମନା କରିଛନ୍ତି।

ଗତ ଡିସେମ୍ବରରେ ବିଭିନ୍ନ ରାଜ୍ୟରେ ଏଭଳି ଠକେଇର ଅଭିଯୋଗ ଆସିଥିଲା। ଏହାପରେ ସାଇବର୍ ଠକେଇ ରୋକିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଟୁଇଟର ହ୍ୟାଣ୍ଡଲ୍ ସାଇବର୍ ଦୋସ୍ତ ଟୁଇଟ୍ କରି ଏଭଳି ଚେତାବନୀ ଜାରି କରିଥିଲା। ପେ ଆଣ୍ଡ ରେଜିଷ୍ଟର୍ ବା ଦେୟ ଦେଇ ପଞ୍ଜୀକରଣ ଭଳି କୌଣସି ଅଫରକୁ ଏଡାଇବା ଲାଗି ପରାମର୍ଶ ଦେଇଥିଲା ସାଇବର୍ ଦୋସ୍ତ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ମୁଖ୍ୟମନ୍ତ୍ରୀମାନଙ୍କ ସହ ସହ ଭିଡିଓ କନ୍ଫରେନ୍ସିଂ ବେଳେ ମଧ୍ୟ ଟିକାକରଣକୁ ନେଇ କୌଣସି ଗୁଜବ କ ଅପପ୍ରଚାର ଯେଭଳି ନ ହେବ ତାହା ନିଶ୍ଚିତ କରିବା ଲାଗି ଆହ୍ୱାନ ଦେଇଥିଲେ। ଟିକାକରଣ ପାଇଁ ଥିବା ସମସ୍ତ ତଥ୍ୟ ଯେଭଳି ସବୁ ଲୋକଙ୍କ ପାଖରେ ପହଞ୍ଚିବ ତାହା ସୁନିଶ୍ଚିତ କରିବାକୁ ପ୍ରଧାମନ୍ତ୍ରୀ କହିଥିଲେ।

ରିପୋର୍ଟ: ଆଲୋକ ମହାନ୍ତି, ଦେବାଶିଷ ମହାନ୍ତି

 

You might also like