୫୦ ହଜାର ଲୁଟିନେଲେ, ଠକେଇ ଅଭିଯୋଗରେ ଫସେଇ ଦେଲେ ସାଇବର ଲୁଟେରା

ପାରାଦୀପ(ରମାକାନ୍ତ ନାୟକ): ଠକେଇର ନୂଆ ତରିକା। ସାଇବର୍ ଠକଙ୍କ ଟାର୍ଗେଟରେ ଏବେ ଫସିଛନ୍ତି ସାଧାରଣ ଲୋକ। ଋ଼ଣ ଦେବା ବାହାନାରେ ବ୍ୟାଙ୍କ ଆକାଉଣ୍ଟରେ ହୋଇଛି ଲକ୍ଷାଧିକ ଟଙ୍କାର ଟ୍ରାନ୍‌ଜାକ୍ସନ୍।  ଏଭଳି କିଛି ଅଭିଯୋଗ ଆସିଛି ପାରାଦୀପ ଷଣ୍ଢକୁଦ ଅଞ୍ଚଳରୁ। ଏହି ଘଟଣାରେ ସ୍ଥାନୀୟ ବିଶ୍ୱଜିତ ଜେନା ନାମକ ଜଣେ ରଙ୍ଗ ମିସ୍ତ୍ରୀଙ୍କୁ କୋଲକାତା ଜିଆରପି ଉଠାଇ ନେଇ ପଚରାଉଚରା କରୁଛି।

ବିଶ୍ୱଜିତଙ୍କ ଆକାଉଣ୍ଟରେ ୧୩ ଲକ୍ଷରୁ ଅଧିକ ଟଙ୍କା ସନ୍ଦେହଜନକ ଟ୍ରାନ୍‌ଜାକ୍ସନ୍ ହୋଇଥିବା ଜଣାପଡ଼ିଛି। ପୋଲିସ ଘଟଣାର ତଦନ୍ତ ହେଉଛି। ସୂଚନା ମୁତାବକ, ବିଶ୍ୱଜିତ ଅନଲାଇନରେ କୌଣସି ସଂସ୍ଥାଠୁ ୨ ଲକ୍ଷ ଟଙ୍କା ଋ଼ଣ ନେବାକୁ ଆବେଦନ କରିଥିଲେ। କମ୍ପାନି ପକ୍ଷରୁ ଏନେଇ ବିଶ୍ୱଜିତଙ୍କୁ ଆକ୍ସିସ୍ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ସହ ୫୦ ହଜାର ଟଙ୍କା ଓ ବ୍ୟାଙ୍କ କାଗଜପତ୍ର, ଏଟିଏମ୍ ପଠାଇବାକୁ କୁହାଯାଇଥିଲା।

ବିଶ୍ୱଜିତ ଆକ୍ସିସ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲେ। ଏଥିସହିତ ଏସବୁ କାଗଜପତ୍ର ମଧ୍ୟ ପଠାଇଥିଲେ। କାଗଜପତ୍ର ପଠାଇବାର ଦୀର୍ଘଦିନ ପରେ ବି ବିଶ୍ୱଜିତ୍‌ଙ୍କୁ ଲୋନ୍‌ ଟଙ୍କା ମିଳି ନ ଥିଲା। ଋଣ ଟଙ୍କା ଆଜି ଆସିବ..କାଲି ଆସିବ କହି ୨ ମାସ ଗଡ଼ାଇ ଦେଇଥିଲେ। ଇତି ମଧ୍ୟରେ କମ୍ପାନୀ ବିଶ୍ୱଜିତଙ୍କୁ ତାଙ୍କର ଆଧାର କାର୍ଡ, ବ୍ୟାଙ୍କ କାଗଜପତ୍ର ଫେରାଇ ଦେଇଥିଲେ। ତେବେ ଯାଞ୍ଚ ପରେ ଏସବୁ କାଗଜପତ୍ର ନକଲି ବୋଲି ଜଣାପଡ଼ିଛି।

ସାଇବର୍ ଠକଙ୍କ କଳା କାରନାମା ସେତିକିରେ ସରି ନ ଥିଲା। ଲୁଟେରାମାନେ ଲୋକଙ୍କୁ ରେଳବାଇରେ ଚାକିରି କରାଇ ଦେବା ନାଁରେ ଟଙ୍କା ଆଦାୟ କରୁଥିଲେ। ଏସବୁ କାରବାର ବିଶ୍ୱଜିତ୍‌ଙ୍କ ନାଁରେ ଖୋଲା ଯାଇଥିବା ଆକାଉଣ୍ଟ ମାଧ୍ୟମରେ ହେଉଥିଲା। ଏହି ଆକାଉଣ୍ଟରେ ୧୩ ଲକ୍ଷ ଟଙ୍କାର କାରବାର ହୋଇଥିବା ଅଭିଯୋଗ ହୋଇଛି। ଏହି ଟଙ୍କା କାରବାର ଅଭିଯୋଗରେ ବିଶ୍ୱଜିତଙ୍କୁ ପୋଲିସ ଉଠାଇ ନେଇଛି।

ଅନ୍ୟପକ୍ଷେ ବିଶ୍ୱଜିତ୍‌ଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଫସେଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି। ‘ସୁନା ବନ୍ଧା ପକାଇ ଲୋନ ପାଇଁ ୫୦ହଜାର ବ୍ୟାଙ୍କରେ ଦେଇଥିଲୁ। ଦିନେ ଆଣିଲେ ଦିନେ ଖାଉଛୁ। ୧୩ ଲକ୍ଷ କିଏ, ଆମେ କିଏ ’ ବୋଲି କାନ୍ଦି କାନ୍ଦି କହିଛନ୍ତି ପତ୍ନୀ। ତେବେ ଏହି ମାମଲାରେ ପୋଲିସ୍ କିମ୍ବା କୋଲକାତା ଜିଆରପିର ପ୍ରତିକ୍ରିୟା ମିଳିପାରିନି।

ସୂଚନାଥାଉ କି, ସାରା ଦେଶରେ ସାଇବର ଲୁଟେରମାନେ ସେମାନଙ୍କ ଜାଲ ବିସ୍ତାର କରି ସାରିଛନ୍ତି। ବିଭିନ୍ନ ଉପାୟରେ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଲୁଟି ନେଉଛନ୍ତି।  ନିକଟରେ ସିଡିିଏ ସେକ୍ଟର-୭ର ଜଣେ ଡାକ୍ତରଙ୍କ ଠାରୁ ୭ ଦିନରେ ୭୭ ଲକ୍ଷ ଟଙ୍କା ଲୁଟି ନେଇଥିଲେ।  ଏତେ ପରିମାଣର ସାଇବର  ଠକେଇ ଓଡିଶା ଇତିହାସରେ ବୋଧହୁଏ ପ୍ରଥମ ଘଟଣା।

ସେହପରି ମୋବାଇଲ ଟାଓ୍ୱାର ବସାଇବା ଆଳରେ ଅନୁଗୁଳର ଯୁବକ ବସନ୍ତ ଛତରଙ୍କଠାରୁ ୩୦ ଥରରେ ସମୁଦାୟ ୩ ଲକ୍ଷ ୧୭ ହଜାର ଟଙ୍କା ଲୁଟିଥିଲେ ଅନ୍‌ଲାଇନ୍ ଠକ।  ବସନ୍ତ ଭୁବନେଶ୍ୱର ଡିସିପିଙ୍କ ନିକଟରେ ଅଭିଯୋଗ କରିବା ପରେ କମିଶ                 ନରେଟ୍ ପୋଲିସ ଉଦ୍ୟମରେ ବସନ୍ତ  ୩ ଲକ୍ଷ ଟଙ୍କା ଫେରିପାଇଛନ୍ତି।

ସେହିପରି ଏକ ଘରୋଇ କଲେଜରେ ଅଧ୍ୟାପିକା ଭାବେ କାମ କରୁଥିବା ରେଶମା ମହାପାତ୍ର ଓଏଲ୍ଏକ୍ସରେ ନିଜ ଓ୍ୱାସିଂ ମେସିନ୍ ବିକିବାକୁ ବିଜ୍ଞାପନ ଦେଇଥିଲେ। ତେବେ ଜଣେ ସାଇବର ଲୁଟେରା ଫୋନ୍ କରି ତାଙ୍କଠାରୁ ଓ୍ୱାସିଂ ମେସିନ୍ କିଣିବା ବାହାନାରେ  ତାଙ୍କ ଗୁଗୁଲ ପେ ଆକାଉଣ୍ଟରୁ ୧୯ ହଜାର ଟଙ୍କା ଲୁଟି ନେଇଥିଲେ। ଏ ନେଇ ସେ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ।

You might also like