ଲୋଭନୀୟ ଅଫର୍‌ର ମାୟାଜାଲରେ ପଡ଼ି ଚାଲିଗଲା ସର୍ବସ୍ୱ

ଭୁବନେଶ୍ୱର: ତାଙ୍କ ସହ ଯାହା ଘଟିଯାଇଛି, ଆଗକୁ ଆଉ କାହା ସହ ନହେଉ। ଆଉ କାହା ଆକାଉଣ୍ଟରୁ କଷ୍ଟ ଉପାର୍ଜିତ ଟଙ୍କାକୁ କିଏ ଏମିତି ନେଇନଯାଉ। ଅସହାୟ ଅବସ୍ଥାରେ ଏଭଳି ନିବେଦନ କରୁଥିବା ଏ ହେଉଛନ୍ତି ଭବାନୀପାଟଣାର ବରିଷ୍ଠ ନାଗରିକ ଗଙ୍ଗାଧର ସୁବୁଦ୍ଧି। କାରଣ ତାଙ୍କ ଭଳି ଶିକ୍ଷିତ ବ୍ୟକ୍ତିଙ୍କୁ ସାଇବର୍ ଠକ ଚୁନା ଲଗାଇ ଲୁଟି ନେଇଛନ୍ତି କଷ୍ଟଲବ୍ଧ ଅର୍ଥ। ପତ୍ନୀ ଏବଂ ନିଜ ବ୍ୟାଙ୍କ ଆକାଉଣ୍ଟରୁ ଗଙ୍ଗାଧର ହରାଇଛନ୍ତି ୨ ଲକ୍ଷ ୬୫ ହଜାର ଟଙ୍କା। ସାଇବର ଅପରାଧୀଙ୍କ ଲୋଭନୀୟ ଅଫର୍‌ରେ ମାୟାଜାଲରେ ପଡ଼ି ଚାଲିଯାଇଛି ସର୍ବସ୍ୱ, ଏବେ କରିବେ କଣ ? ପୋଲିସ ଭରସାରେ ଗଙ୍ଗାଧର ଓ ପତ୍ନୀ ଶାରଳାବାଲା।

ଯୋଉ ପଇସାକୁ ଆମେ କଷ୍ଟ କରି ଅର୍ଜନ କରିଥିଲୁ, ସେ ପଇସା ଗୋଟିଏ ସେକେଣ୍ଡରେ ପଳାଇଲା। ହଠାତ୍ ଏମିତି ଘଟିଲା ଆମେ ଜାଣିପାରିଲୁନୁ। 
-ଶାରଳାବାଲା ପୃଷ୍ଟି, ଗଙ୍ଗାଧରଙ୍କ ପତ୍ନୀ, ଭବାନୀପାଟଣା

ଶନିବାର ଦିନ ପ୍ରାୟ ୧୨ଟା। ଗଙ୍ଗାଧରଙ୍କ ମୋବାଇଲ୍‌କୁ ଆସିଲା ଏକ ଫୋନ୍ କଲ। ଏକ ଘରୋଇ ମୋବାଇଲ୍ ନେଟୱର୍କର ସଂସ୍ଥାର କର୍ମଚାରୀ ବୋଲି ପରିଚୟ ଦେଇ ନୂଆବର୍ଷର ମିଛ ଅଫର୍ ଦେଇଥିଲା ସାଇବର ଠକ। ୨୦ ହଜାର ଟଙ୍କା ଏବଂ ଏକ ମୋବାଇଲ୍ ପୁରସ୍କାର ପାଇଁ ଗଙ୍ଗାଧରଙ୍କ ନାଁ ମନୋନୀତ ହୋଇଥିବା କହିଥିଲା ଫୋନକଲ୍‌ରେ। ଏଥିପାଇଁ ପ୍ରଥମେ ଏକ ଆପ୍ଲିକେସନ୍ ଡାଉନଲୋଡ୍ କରିବାକୁ ପଡ଼ିବ ବୋଲି କହି ଲିଙ୍କ୍ ପଠାଇଥିଲା ଦୁର୍ବୃତ୍ତ।

ପୁରସ୍କାର ଲୋଭରେ ପଡ଼ି ସେହି ଲିଙ୍କ୍‌କୁ ଖୋଲି ନିର୍ଦ୍ଦିଷ୍ଟ ମୋବାଇଲ୍ ଆପ୍ ଡାଉନଲୋଡ୍ କରିଦେଲେ ଗଙ୍ଗାଧର। ତାପରେ ସାଇବର ଠକର ଇନଷ୍ଟ୍ରକ୍ସନ ଅନୁଯାୟୀ ଫୋନ୍ କଲ୍‌ରେ ନିଜର ଏବଂ ପତ୍ନୀଙ୍କ ଆକାଉଣ୍ଟର ଦେଇଦେଲେ ସବୁ ତଥ୍ୟ। ଏପରିକି ଅନ୍‌ଲାଇନ୍‌ରେ ୨୦ ହଜାର ଟଙ୍କା ବି ଟ୍ରାଂଜାକ୍ସନ କରିଦେଇଥିଲେ। ଏତିକି ପ୍ରକ୍ରିୟା ଭିତରେ ବିନା OTP ଏବଂ ପାସୱାର୍ଡରେ ଗଙ୍ଗାଧର ଓ ପତ୍ନୀଙ୍କ ଆକାଉଣ୍ଟରୁ କିସ୍ତି କିସ୍ତି କରି ଦୁର୍ବୃତ୍ତ ନେଇଗଲେ ୨ ଲକ୍ଷ ୬୫ ହଜାର ଟଙ୍କା। ମାମଲା ଏବେ ଥାନାରେ।

ଯେହୁତୁ ଫୋନ୍ କରିଥିବା ବ୍ୟକ୍ତି ମୋତେ ପାସୱାର୍ଡ କିମ୍ବା ଓଟିପି ମାଗୁନଥିଲା, ସେଥିପାଇଁ ମୁଁ ତିଳେମାତ୍ରେ ବି ସନ୍ଦେହ କରିନଥିଲି। କିନ୍ତୁ ଆଶ୍ଚର୍ଯ୍ୟର କଥା ବିନା ଓଟିପି ଓ ପାସୱାର୍ଡରେ ସବୁ ଟ୍ରାଞ୍ଜାକ୍ସନ କରିଛି। 
-ଗଙ୍ଗାଧର ସୁବୁଦ୍ଧି, ଠକେଇର ଶିକାର ବ୍ୟକ୍ତି, ଭବାନୀପାଟଣା

କେବଳ ଭବାନୀପାଟଣା ନୁହେଁ। ରାଜ୍ୟରେ ସାଂଘାତିକ ସ୍ଥିତିରେ ପହଞ୍ଚିଲାଣି ସାଇବର ଅପରାଧ। କେବେ ସେକ୍ସଟୋର୍ସନ ତଥା ସେକ୍ସ ଭିଡ଼ିଓ ଜରିଆରେ ବ୍ଲାକମେଲିଂ କରି ଟଙ୍କା ଆଦାୟ ତ ଆଉ କେବେ ସୋସିଆଲ୍ ମିଡିଆରେ ମିଥ୍ୟା ବିଜ୍ଞାପନ ଦେଇ ୟୁଜର୍ସଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିବାର ନିୟମିତ ନଜିର ସାମ୍ନାକୁ ଆସିଲାଣି। ୨୦୧୯ର ଏନ୍‌ସିଆରବି ରିପୋର୍ଟ ବି କହୁଛି, ଓଡ଼ିଶାରେ ୭୬ ପ୍ରତିଶତ ଅଧିକ ସାଇବର କ୍ରାଇମ୍ ବଢ଼ିଛି। ଏଭଳି ଅପରାଧରୁ ବର୍ତ୍ତିବା ପାଇଁ ପୋଲିସଠୁ ସାଇବର ଏକ୍ସପର୍ଟଙ୍କ ଯାଏଁ ନାନା ଉପାୟ ବତାଉଛନ୍ତି। ତେବେ ଅପରାଧୀ ନୂଆ ନୂଆ ତରିକାରେ ଲୁଟ୍ କରିଚାଲିଛନ୍ତି।

ବ୍ୟାଙ୍କ୍‌ରୁ କେବେ ବି ଭେରିଫିକେସନ୍ ପାଇଁ କିଛି ବି ଆପ୍‌ ଇନ୍‌ଷ୍ଟାଲ୍ କରିବା ପାଇଁ ଆସିବ ନାହିଁ। ଆପଣଙ୍କ ପଇସାକୁ ଚୋରାଇ ନେବା ପାଇଁ ସାଇବର ଠକମାନେ ବିଭିନ୍ନ ଯୋଜନା କରୁଛନ୍ତି। ଏଥିପ୍ରତି ସତର୍କ ରହିବା ଆବଶ୍ୟକ।
-ଡ.ଶ୍ରବଣ ବିବେକ, ଏସ୍‌ପି, କଳାହାଣ୍ଡି
ଭବାନୀପାଟଣାରୁ ରାଜକୁମାର ସିଂଦେଓଙ୍କ ରିପୋର୍ଟ
You might also like