ବେଆଇନ୍ ଭାବେ କଲେଜ ଛାତ୍ରୀଙ୍କ ଗର୍ଭ ପରୀକ୍ଷା କରାଇଲେ ପୋଲିସ ବାବୁ !

କଟକ: ପୁଣି ଲାଗିଲା ବର୍ଦ୍ଦିରେ ଦାଗ। କଟକ ନରସିଂହପୁର ପୋଲିସ୍ ବିରୋଧରେ ସାଂଘାତିକ ଅଭିଯୋଗ। ନରସିଂହପୁର ଥାନାର ଜଣେ ପୋଲିସ୍ ଅଧିକାରୀ ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ୩ ଦିନ ଧରି ଥାନାରେ ଅଟକ ରଖିବା ସହ ବେଆଇନ୍ ଭାବେ ତାଙ୍କ ଗର୍ଭ ପରୀକ୍ଷା କରାଇଥିବା ଅଭିଯୋଗ ଆସିଛି। ବିନା ମହିଳା ପୋଲିସରେ ଏସବୁ କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ନରସିଂହପୁୁର ଅଞ୍ଚଳରେ ଜଣେ ନାବାଳିକା କଲେଜ ଛାତ୍ରୀ ନିଖୋଜ ହୋଇଥିବା ନେଇ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।

କିଛି ଦିନ ତଳେ ସଂପୃକ୍ତ ନାବାଳିକାକୁ ଉଦ୍ଧାର କରିଥିଲା ପୋଲିସ। ତେବେ ଚାଇଲଡ୍ ଲାଇନର ବିନା ପରାମର୍ଶରେ ପୋଲିସ ତାଙ୍କ ସହ ଏଭଳି କରିଥିବା କଥା ସୂଚନା ଦେଇଛନ୍ତି କଟକ CWC ସଦସ୍ୟ। ଘଟଣା ଚାଇଲ୍ଡ ଲାଇନ୍ ନଜରକୁ ଆସିବା ପରେ ଚାଇଲଡ ଲାଇନ୍ ଓ CWC ସଂପୃକ୍ତ ନାବାଳିକାକୁ ଉଦ୍ଧାର କରିଥିଲା। ନାବାଳିକାଙ୍କୁ କାଉନସେଲିଂ କରିବା ପରେ ସେ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଥିବା ସୂଚନା ଦେଇଛନ୍ତି CWC ସଦସ୍ୟ।

ଘଟଣାର ଗୁରୁତ୍ୱ ଅନୁଭବ କରି CWC ଓ ଚାଇଲ୍ଡ ଲାଇନ୍ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କୁ ଚିଠି ଲେଖି ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଘଟଣାର ତଦନ୍ତ ପାଇଁ ସୁପାରିସ କରିଛନ୍ତି। ଏପଟେ CWC ନିର୍ଦ୍ଦେଶ ପରେ ଆଠଗଡ଼ ଏସଡିପିଓ ଆଜି ବସୁନ୍ଧାରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ତେଣେ ସଂପୃକ୍ତ ନାବାଳିକା ସମେତ ତାଙ୍କ ବାପା ମାଆଙ୍କୁ ମଧ୍ୟ ପୋଲିସ ଦୁର୍ବ୍ୟବାହାର କରିଥିବା ଅଭିଯୋଗ ଆଣିଛନ୍ତି ପୀଡ଼ିତାଙ୍କ ବାପା।

You might also like