ପୁଣି ବଡ଼ଧରଣର ଜିଏସ୍‌ଟି ଠକେଇ: ୩ ଗିରଫ

କଟକ: ବିନା କୌଣସି ନିବେଶରେ ବ୍ୟବସାୟୀକ କାରବାର ଚଳାଉଥିଲେ ଅଭିଯୁକ୍ତ। ଫଳରେ ଟିକସ ବାବଦକୁ କୋଟି କୋଟି ଟଙ୍କାର ଠକେଇ କରୁଥିଲେ। ଏଭଳି ଜି.ଏସ.ଟି ଠକେଇ କରୁଥିବା ୩ ଜଣ ବ୍ୟକ୍ତିଙ୍କୁ ଗତକାଲି ଚୌଦ୍ୱାରରୁ ଗିରଫ କରିଛି ଜି.ଏସ.ଟି ଏନଫରସମେଣ୍ଟ ସ୍କାର୍ଡ।

ଗିରଫ ଅଭିଯୁକ୍ତ ମଧ୍ୟରେ ରହିଛନ୍ତି ସ୍ମୃତି ମହାନ୍ତି, ସୌମ୍ୟ ମହାନ୍ତିଓ ରାଜୀବ ମିଶ୍ର। ୩ ଅଭିଯୁକ୍ତ ଗିରଫ କରିବା ସହିତ ସୋମବାର ବିଳମ୍ବିତ ରାତିରେ ହିଁ ଜେ.ଏମ.ଏଫ.ସି ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯାଇଛି।

ତଦନ୍ତକାରୀ ଅଧିକାରୀଙ୍କ ସୂଚନା ମୁତାବକ, ଅଭିଯୁକ୍ତମାନେ ଅନ୍ୟ ଏକ ବ୍ୟକ୍ତିଙ୍କ ସମସ୍ତ ଡକ୍ୟୁମେଣ୍ଟ ଆଣି ଏହାର ଅପବ୍ୟବହାର କରି ଏହି ଠକେଇ କରିଛନ୍ତି। ବିନା କୌଣସି ଇନଭଏୟସରେ ବିଭିନ୍ନ ପ୍ରକାର ସାମଗ୍ରୀ କାରବାର କରିଥିବା ଦର୍ଶାଇଛନ୍ତି। ଏପରିକି କାରବାରରେ ଦର୍ଶାଇଥିବା ନାଁରେ ସେଭଳି କୌଣସି କମ୍ପାନୀ କି କୌଣସି ବ୍ୟକ୍ତି ମଧ୍ୟ ନଥିବା ଜଣାପଡ଼ିଛି।

ସଠିକ ତଥ୍ୟ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଉପସ୍ଥାପନା ନ କରିପାରିବାରୁ ୩ ଜଣଙ୍କୁ ଗିରଫ କରିଛି CT/ GSTର ଏନଫରସମେଣ୍ଟ ସ୍କ୍ୱାର୍ଡ। ଏମାନଙ୍କ ଲିଙ୍କ୍ ବିଭିନ୍ନ ଲୋକଙ୍କ ସହିତ ଜଡ଼ିତ ରହିଛି। ତେଣୁ ଏହି ଠକେଇର ଚେର ବହୁତ ଲମ୍ବା ରହିଥିବା ସି.ଟି / ଜି.ଏସ.ଟିର ଯୁଗ୍ମ କମିଶନର ପ୍ରମୋଦ କୁମାର ରାଉତ କହିଛନ୍ତି।

ଅନ୍ୟପଟେ ରାଉରକେଲା ଜିଏସ୍‌ଟି କାର୍ଯ୍ୟାଳୟରେ କାମ କରୁଥିବା ଅଲେଖ ମହାନନ୍ଦଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। କମର୍ସିଆଲ ଟ୍ୟାକ୍ସ ବିଭାଗରେ କାମ କରୁଥିବା ଅଲେଖଙ୍କ ଛେଣ୍ଡ କଲୋନି ଫେଜ୍ ଓ୍ୱାନ୍ ବାସଭବନରେ ଏହି ଚଢ଼ଉ କରାଯାଉଛି। ଏହାସହ ନିଜ ଗାଁ, ଶ୍ୱଶୁର ଘର, ରାଉରକେଲା ଅଫିସରେ ମଧ୍ୟ ଏକକାଳୀନ ଚଢ଼ଉ ଚାଲିଛି। ଆୟବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ରାଉରକେଲା ଓ ସୁନ୍ଦରଗଡ଼ ଭିଜିଲାନ୍ସ ଟିମ୍ ଚଢ଼ଉ କରୁଛି।

You might also like