ଆଜିଠୁ ଖୋଲିଲା କଟକ ଚଣ୍ଡୀ ମନ୍ଦିର ଓ ବାବା ଧବଳେଶ୍ୱରଙ୍କ ପୀଠ

କଟକ: କୋଭିଡ୍‌ କଟକଣା ମଧ୍ୟରେ ଆଜିଠୁ ବାବା ଧବଳେଶ୍ୱରଙ୍କ ପୀଠ ଓ କଟକ ଚଣ୍ଡୀ ମନ୍ଦିର ଖୋଲିଛି। କୋଭିଡ୍ ଗାଇଡଲାଇନ୍ସ ଅନୁସାରେ, ଆଜି ଭୋର ୪ଟାରୁ ପହଡ଼ ଖୋଲାଯାଇ ବାବା ଧବଳେଶ୍ୱରଙ୍କ ସ୍ନାନ କରାଯାଇଥିଲା। ମଙ୍ଗଳ ଆଳତୀ ପରେ ଦର୍ଶନ ନିମନ୍ତେ ସୁଯୋଗ ଦିଆଯାଇଛି। ଆଜି ମନ୍ଦିର ପୂଜକଙ୍କ ପରିବାର ଲୋକେ ଦର୍ଶନ କରିବା ପାଇଁ ବ୍ୟବସ୍ଥା ହୋଇଛି। ଆସନ୍ତା କାଲିଠୁ ଦୁଇ ଦିନ ପର୍ଯ୍ୟନ୍ତ ମଞ୍ଚେଶ୍ୱର ପଞ୍ଚାୟତ ଏବଂ ୧୧ ତାରିଖରୁ ସର୍ବସାଧାରଣ ଦର୍ଶନ ସୁଯୋଗ ମିଳିବ। ଗୋଟିଏ ଥରରେ ୫୦ ଜଣ ଭକ୍ତ ଦର୍ଶନ କରିପାରିବେ। ୬ ଫୁଟ୍ ଦୂରତା ରଖି ମନ୍ଦିର ପରିସରରେ ମହାଦେବଙ୍କୁ ଦର୍ଶନ କରିପାରିବେ ଭକ୍ତ।

ସେହିପରି ଦୀର୍ଘ ୯ ମାସ ପରେ କୋଭିଡ କଟକଣା ଭିତରେ ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ କଟକ ଚଣ୍ଡୀ ମନ୍ଦିର ମଧ୍ୟ ଖୋଲିଛି। ସକାଳୁ ସକାଳୁ ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରୁଛନ୍ତି। ମନ୍ଦିରକୁ ଫୁଲରେ ସୁନ୍ଦର ଭାବେ ସଜା ଯାଇଥିବା ଦେଖିବାକୁ ମିଳିଛି। ଗତକାଲି ମନ୍ଦିର ଖୋଲାଯିବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ହେଲେ କାଲି ମନ୍ଦିର ଖୋଲା ଯାଇନଥିଲା। ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରୁ କେବଳ ମନ୍ଦିର ମୁଖ୍ୟ ଫାଟକ ଖୋଲା ଯାଇଥିଲା। ଦୂରରୁ କେବଳ ଭକ୍ତମାନେ ମା’ଙ୍କୁ ଦର୍ଶନ କରିଥିଲେ।

ଜାନୁଆରୀ ୩ରେ ସମସ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିଥିଲା। କରୋନା ମହାମାରୀ ପାଇଁ ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିଲା। ଫଳରେ କୋଟି କୋଟି ଜଗନ୍ନାଥପ୍ରେମୀ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିଥିଲେ। ପ୍ରଥମେ ଡିସେମ୍ବର ୨୩ରୁ ୨୫ ସେବାୟତ ପରିବାର ଓ ୨୬ରୁ ୩୧ପୁରୀ ପୌରପାଳିକା ଅନ୍ତର୍ଗତ ସହରବାସୀ ପ୍ରଭୁଙ୍କ ଦର୍ଶନ କରିଥିଲେ। ଜାନୁଆରୀ ୧ ଓ ୨ ଶ୍ରୀମନ୍ଦିର ବନ୍ଦ ରହିବା ପରେ ଜାନୁଆରୀ ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି।

ସେହିପରି କୋଭିଡ କଟକଣା ଭିତରେ ଗତ ଡିସେମ୍ବର ୨୭ ତାରିଖରୁ ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ଖୋଲିଥିଲା। ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାର ପ୍ରଭୁଙ୍କୁ ଦର୍ଶନ କରିଥିଲେ। ୩୧ ତାରିଖ ଯାଏ ସେବାୟତଙ୍କ ପରିବାର ହିଁ ଦର୍ଶନ କରିବେ ବୋଲି ସୂଚନା ଦିଆଯାଇଥିଲା। ଏଥିପାଇଁ ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରୁ ବ୍ୟାରିକେଡ୍‌ କରାଯାଇଥିଲା।

ଗତ ଡିସେମ୍ବର ୨୮ରୁ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଖୋଲିଥିଲା। ପ୍ରଥମ ଦୁଇଦିନ ସେବାୟତଙ୍କ ପରିବାର ବାବାଙ୍କ ଦର୍ଶନ କରିଥିବା ବେଳେ ଏହାର ୨ ଦିନ ପରେ ସ୍ଥାନୀୟ ଲୋକ ଏବଂ ତା’ ପରେ ସାଧାରଣ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଥିଲା।

You might also like