କଟକର ସେସୁ କଲୋନୀ ପାଲଟିଛି ଭୂତ କୋଠି

କଟକ: କଟକର ସେସୁ କଲୋନୀ ପାଲଟିଛି ଭୂତ କୋଠି। ଆଉ ଅସୁରକ୍ଷିତ କୋଠାରେ ରହୁଛନ୍ତି କର୍ମଚାରୀ ଓ ତାଙ୍କ ପରିବାର। କେଉଁଠି ଛାତରୁ ସିମେଣ୍ଟ ଖସୁଛି ତ ଆଉ କେଉଁଠି ଘରର କାନ୍ଥରେ ଗଛ ଉଠି ଗଲାଣି। ତେବେ  ବାରମ୍ବାର ଅଭିଯୋଗ ପରେ ବି ଅଧିକାରୀ ଶୁଣୁନଥିବା ଅଭିଯୋଗ ହୋଇଛି।

କୌଣସି ମୁହୂର୍ତ୍ତରେ ବି ଏହି କୋଠା ଭୁଶୁଡ଼ି ଯାଇପାରେ। କଟକ ବାଦାମବାଡ଼ି ନିକଟରେ ଏହି କଲୋନୀ ରହିଛି। ଏହି କଲୋନୀରେ ୧୮୦ କର୍ମଚାରୀ ନିଜ ପରିବାର ନେଇ ରହୁଛନ୍ତି। କଲୋନୀରେ ଥିବା କୋଠାକୁ ଦେଖିଲେ ଯେ କେହି ଭିତରକୁ ଯିବାକୁ ଭୟ କରିବ। ଛାତରୁ ପାଣି ଲିକ୍‌ କରୁଥିବାରୁ ଘର ଭିତରେ ଜରି ପାଲ ଟାଣି କର୍ମଚାରୀ ରହୁଛନ୍ତି।

ସମସ୍ତ କର୍ମଚାରୀଙ୍କ ଘରଭଡ଼ା ବାବଦ ଟଙ୍କା ଦରମାରୁ କାଟି ନେଉଛନ୍ତି ସରକାର। କିନ୍ତୁ କୋଠା ମରାମତି ପାଇଁ ବାରମ୍ବାର ଅଭିଯୋଗ ପରେ ବି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସବୁଠି ଅଭିଯୋଗ କରି ଥକି ଗଲେଣି ବୋଲି ଏହି କଲୋନୀର ବାସିନ୍ଦା କହିଛନ୍ତି।

ଅନ୍ୟପଟେ ଏନେଇ ବିଭାଗୀୟ ଅଧିକାରୀ ଖାମଖିଆଲ୍‌ ଢଙ୍ଗରେ ଉତ୍ତର ରଖିଛନ୍ତି। ଯାହାର ଘର ଭଲନାହିଁ ସେ ଘର ଛାଡ଼ି ଦିଅନ୍ତୁ ବୋଲି ଅଧୀକ୍ଷଣ ଯନ୍ତ୍ରୀ କହିଛନ୍ତି।

You might also like