‘ଭୁବନେଶ୍ୱର-କଟକରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି’, ‘ପରିବର୍ତ୍ତନ କରିବାକୁ ହେବ ଷ୍ଟ୍ରାଟେଜୀ’

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି। ଜଣେ ଲୋକ ଏକାଧିକ ଲୋକଙ୍କୁ ସଂକ୍ରମିତ କରୁଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ଯେହେତୁ ଭୁବନେଶ୍ୱରକୁ ଏକାଧିକ ଲୋକ ବାହାରୁ ଆସୁଛନ୍ତି ସେଥିଲାଗି ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ବୁଧବାର ରାଜ୍ୟରେ ୮ ହଜାରରୁ ଅଧିକ ପଜିଟିଭ୍ କେସ୍ ସାମ୍ନାକୁ ଆସିବା ଏହା ସୂଚାଉଛି। ତେବେ ସଂକ୍ରମିତଙ୍କୁ ଚିକିତ୍ସା ଲାଗି ରାଜ୍ୟ ପ୍ରସ୍ତୁତ ରହିଛି। କରୋନା ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ବେଡ୍ ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ପଶ୍ଚିମ ଓଡ଼ିଶାରେ ରୋଗୀ ଅଧିକ ଭର୍ତ୍ତି ହେଉଛନ୍ତି ଯେଉଁଠି ଆବଶ୍ୟକ ବେଡ୍ ସଂଖ୍ୟା ବଢ଼ାଯାଉଛି ବୋଲି ସେ କହିଛନ୍ତି।

ସେପଟେ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପରେ ଏବେ ପୂର୍ବ ଷ୍ଟ୍ରାଟେଜିକୁ ବଦଳାଇ ସ୍ପେଶାଲ ଷ୍ଟ୍ରାଟେଜି ଦରକାର ବୋଲି କହିଛନ୍ତି ଭୁବନେଶ୍ୱର ଏମସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର। କୋଭିଡ ସ୍ଥିତି ନେଇ ଏଭଳି ପ୍ରତିକ୍ରିୟା ସେ ରଖିଛନ୍ତି। ସେ ଆହୁରି କହିଛନ୍ତି ଭୁବନେଶ୍ୱରରେ କଟକଣା ଅଧିକ ରହିବା ଦରକାର, ନଚେତ୍ ସ୍ଥିତି ଅସମ୍ଭାଳ ହେବ। ପରିବା, ମାଛ ମାର୍କେଟ ଓ ମଦ ଦୋକାନ ସଂକ୍ରମଣ ବୃଦ୍ଧିର ମୁଖ୍ୟ କାରଣ ବୋଲି ମଧ୍ୟ ସେ କହିଛନ୍ତି। ତେଣୁ ଏଥିପ୍ରତି ସରକାର ବିଶେଷ ଗୁରୁତ୍ୱ ଦେବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।

ଅନ୍ୟପଟେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ବୁଧବାରଠାରୁ ପଞ୍ଜିକରଣ ଆରମ୍ଭ ହେବ। ଟିକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସେସନ୍ ସାଇଟ୍ ପ୍ରସ୍ତୁତ ଥିବାବେଳେ ଆବଶ୍ୟକ ସ୍ଥଳେ ଏହାକୁ ବୃଦ୍ଧି କରାଯିବ। ତେବେ ମେ ୧ ପରେ ରାଜ୍ୟରେ ଯେବେ ଟିକା ପହଞ୍ଚିବ, ସେବେ ଟିକାକରଣ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

ବୁଧବାର ରାଜ୍ୟରେ ଆଉ ୯୦ ହଜାର କୋଭିସିଲ୍ଡ ଟିକା ଆସି ପହଞ୍ଚିବ ବୋଲି ସେ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୪ ହଜାର କୋଭିସିଲ୍ଡ ଓ ୩ ଲକ୍ଷ ୫୦ ହଜାର କୋଭାକ୍ସିନ ଟିକା ମହଜୁଦ ରହିଛି। ଟିକା ଆଣିବା ନେଇ ରାଜ୍ୟ ସରକାର କମ୍ପାନୀମାନଙ୍କ ସହ ଆଲୋଚନା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୭ ଲକ୍ଷ ୪ ହଜାର ୯୧୬ ଡୋଜ ଟିକାକରଣ ହୋଇଥିବା ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସେପଟେ, ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଆଜିଠାରୁ ଅନଲାଇନରେ ଟିକାକରଣ ପାଇଁ ପଞ୍ଜୀକରଣ ଆରମ୍ଭ ହେବ। ଅପରାହ୍ନ ୪ଟାରୁ ଟିକା ପଞ୍ଜୀକରଣ ଆରମ୍ଭ ହେବ। ଟିକାକରଣ ପାଇଁ କୋୱିନ୍ ପୋର୍ଟାଲରେ ପଞ୍ଜୀକରଣ ହେବ। ଏହାସହ ଆରୋଗ୍ୟ ସେତୁ ଓ ଉମଙ୍ଗ ଆପରେ ବି ପଞ୍ଜୀକରଣ ହୋଇପାରିବ। ମେ’ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ତେବେ ଟିକା ନେବା ପାଇଁ ଏବେ ସ୍ଲଟ୍ ମିଳିବ ନାହିଁ। ଟିକା ଆସିବା ପରେ ପଞ୍ଜୀକୃତ ବ୍ୟକ୍ତିଙ୍କୁ ସ୍ଳଟ୍ ଆବଣ୍ଟନ କରାଯିବ। ଦୁଇଟି ଟିକା ଉତ୍ପାଦନ କମ୍ପାନୀଠାରୁ ଟିକା ପହଞ୍ଚିବାରେ ବିଳମ୍ବ ହେବାର ଆଶଙ୍କା ଥିବାରୁ ଟିକାକରଣ ଡେରି ହୋଇପାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି। ୩ କୋଟି ୭୭ ଡୋଜ୍ କୋଭିସିଲ୍ଡ ଓ ୧୦ ଲକ୍ଷ ୩୪ ହଜାର ଡୋଜ୍ କୋଭାକ୍ସିନ ଟିକା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅର୍ଡର ଦେଇ ସାରିଛି। କିନ୍ତୁ ଟିକା କେବେ ମିଳିବ ତାହା ସ୍ପଷ୍ଟ ହୋଇନି।

You might also like