ପୁରୀ ପରେ ସାମ୍ନାକୁ ଆସିଲା ପିପିଲି ଥାନା ନିର୍ଯାତନା ଅଭିଯୋଗ

ପୁରୀ: ପୁରୀ ବାସେଳି ସାହି ଥାନା ହାଜତ ମୃତ୍ୟୁ ଅଭିଯୋଗକୁ ନେଇ ଚର୍ଚ୍ଚା ଥମିନି। ପୁଣି ଆଉ ଏକ ହାଜତ ନିର୍ଯାତନା ଅଭିଯୋଗ ଆସିଛି ।

ପିପିଲି ଥାନା ଭବାନୀପୁରର ଏକ ଆକ୍ରମଣ ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କଠାରୁ ଆକ୍ରମଣରେ ବ୍ୟବହୃତ ୨ଟି ମାରଣାସ୍ତ୍ର ଓ ବାଇକ୍ ଜବତ ହୋଇଥିଲା । କୋର୍ଟ ଚାଲାଣ ପରେ ଅଭିଯୁକ୍ତମାନଙ୍କୁ ନିମାପଡା ଜେଲକୁ ପଠାଇ ଦିଆଯାଇଥିଲା । ତେବେ ୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ସେମାନଙ୍କୁ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରୀକ୍ଷା ଲାଗି ପଠାଯାଇଥିଲା ।

ଅଭିଯୁକ୍ତଙ୍କ  ଅବସ୍ଥା ଗୁରୁତର ଥିବାରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସେମାନଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ଏହାପରେ ଅଭିଯୁକ୍ତଙ୍କୁ ନିମାପଡ଼ା ଜେଲକୁ ନେବା ପରେ ସେଠାରୁ କଟକ ସ୍ଥାନାନ୍ତର କରାଯାଇଥିବା । ସୂଚନା ମିଳିଛି ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପୋଲିସ ହେପାଜତରେ ମାନବାଧିକାର ଉଲ୍ଲଂଘନ ହୋଇଥିବା ଚର୍ଚ୍ଚା ହେଉଛି।

ସେପଟେ ଏହି ମାମଲାର ଜଣେ ଅଭିଯୁକ୍ତଙ୍କୁ ପିପିଲି ଥାନା ୯ ଦିନ ହେଲା ଉଠାଇ ନେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ତାଙ୍କ ସହ ଭେଟ କରାଇ ଦେଉ ନଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି॥ ତେବେ ଏ ନେଇ ପିପିଲି ପୋଲିସକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ  ।

You might also like