କେନ୍ଦ୍ରାପଡ଼ାରେ ଉଠିଲା କର୍ଫ୍ୟୁ

କେନ୍ଦ୍ରାପଡ଼ା: ଅଶାନ୍ତ କେନ୍ଦ୍ରାପଡ଼ାରେ ଶାନ୍ତି ଫେରାଇ ଆଣିବା ଲାଗି ଗତକାଲି ବସିଥିବା ଶାନ୍ତି କମିଟି ବୈଠକ ସଫଳ ହୋଇଛି। ଫଳରେ ପରିସ୍ଥିତି ସୁଧୁରିଥିବାରୁ ସକାଳ ୬ଟାରୁ କର୍ଫ୍ୟୁ ପ୍ରତ୍ୟାହାର କରାଯାଇଛି।

ତେବେ କର୍ଫ୍ୟୁ ଉଠାଇ ଦିଆଯାଇଥିଲେ ମଧ୍ୟ ୧୪୪ଧାରା ବଳବତ୍ତର ରହିବ। ଗତକାଲି ଦୁଇ ଗୋଷ୍ଠୀଙ୍କ ସହ ଏସ୍‌ପି, କେନ୍ଦ୍ରାଞ୍ଚଳ ଆଇଜି ଓ ଜିଲ୍ଲାପାଳ ଆଲୋଚନା କରିଥିଲେ। ଏଥିରେ ସହରରେ ଖୁବଶୀଘ୍ର ଶାନ୍ତି ଫେରାଇ ଆଣିବାକୁ ସମସ୍ତେ ମତ ଦେଇଥିଲେ।

ଆଜି ସକାଳ ୯ଟାରେ ଶାନ୍ତି କମିଟି ପକ୍ଷରୁ ପୁରୁଣା ବସ୍‌ଷ୍ଟାଣ୍ଡରୁ ତିନିମୁହାଣି ପର୍ଯ୍ୟନ୍ତ ଶୋଭାଯାତ୍ରା ହେବ। ଏଥିସହ ଆଗାମୀ ଦିନରେ ଏଭଳି ପରିସ୍ଥିତିକୁ କିପରି ଏଡ଼ାଯାଇପାରିବ ସେ ନେଇ ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା କରାଯିବ ବୋଲି କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର ସୂଚନା ଦେଇଛନ୍ତି।

ଦୁଇ ଦିନ ତଳେ ସ୍ଥାନୀୟ ସରକାରୀ ହାଇସ୍କୁଲ ପଡ଼ିଆରେ ଏକ ସଭାର ଆୟୋଜନକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ପରିସ୍ଥିତିକୁ ନଜରରେ ରଖି ପ୍ରଥମେ ସହରରେ ୧୪୪ ଧାରା ଓ ପରେ କର୍ଫ୍ୟୁ ଜାରି କରାଯାଇଥିଲା।

You might also like