ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା ବୈଠକ କଲେ ମୁଖ୍ୟ ସଚିବ

ବାତ୍ୟାକୁ ନେଇ ଆଲୋଚନା

  • ସମ୍ଭାବ୍ୟ ବାତ୍ୟା ନେଇ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ
  • ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର, NDRF ବରିଷ୍ଠ ଅଧିକାରୀ ସାମିଲ
  • ପ୍ରଭାବିତ ହେବାକୁ ଥିବା ୧୦ରୁ ଅଧିକ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ
  • ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବୈଠକରେ ଆଲୋଚନା

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର, ଓ NDRF ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି। ଏହି ବୈଠକରେ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ୧୦ ଜିଲ୍ଲାପାଳ ମଧ୍ୟ ସାମିଲ ହୋଇଛନ୍ତି। ଆସୁଥିବା ବାତ୍ୟାକୁ ନେଇ  କେମିତି ସରକାର ଓ ପ୍ରଶାସନ ଉଭୟ ପ୍ରସ୍ତୁତ ହେବେ ସେନେଇ ଆଲୋଚନା ହୋଇଥିବା ନେଇ ସୂଚନା ମିଳିଛି।

ସେପଟେ, ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ପୁରା ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର। ଏ ନେଇ ସୂଚନା ଦେଇଛନ୍ତି ଏସଆର୍‌ସି ପ୍ରଦୀପ ଜେନା। ସେ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ନେଇ ଆଜି IMD, NDMA ସଦସ୍ୟଙ୍କ ସହ ବୈଠକ ହୋଇଛି। IMDର ଆକଳନ ଅନୁସାରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ୨୩ରେ ତାହା ଡିପ୍ରେସନ ଓ ୨୪ରେ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି। ପ୍ରାକ୍ ଆକଳନ ଅନୁସାରେ ଉତ୍ତର ଓଡ଼ିଶା ଏବଂ ସୁନ୍ଦରବନ ମଧ୍ୟରେ ସ୍ଥଳ ଛୁଇଁବ। ତେବେ ତାହାର ଗତି, ବେଗ, ତୀବ୍ରତା କେତେ ରହିବ IMD ଏ ପର୍ଯ୍ୟନ୍ତ କହିହେବ ନାହିଁ। ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି। ଜିଲ୍ଲାପାଳମାନେ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରିବା ସହ ଶୁଖିଲା ଖାଦ୍ୟ ଆଦି ରଖି ପ୍ରସ୍ତୁତ ହୋଇଛନ୍ତି।

ଓଡ୍ରାଫ, ଅଗ୍ନିଶମ ଏବଂ NDRF ଟିମକୁ ବିଭିନ୍ନ ସ୍ଥାନକୁ ପଠାଯାଉଛି। ଗୁଜରାଟ ଯାଇଥିବା NDRFର ୫ଟି ଟିମ୍ ଆଜି ଫେରି ଆସିବେ। ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ କୁହାଯାଇଛି। ଯେଉଁ ମାଛଧରା ବୋଟ୍ ସମୁଦ୍ରରେ ଅଛନ୍ତି, କୋଷ୍ଟଗାର୍ଡ ସେମାନଙ୍କୁ ଫେରାଇ ଆଣୁଛନ୍ତି। ବାତ୍ୟା ମୁକାବିଲା ନେଇ ବିଭିନ୍ନ ବିଭାଗ ସହ ଆଲୋଚନା ହୋଇଛି। ନିଜ ନିଜ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ସେମାନଙ୍କୁ କୁହାଯାଇଛି। ବାତ୍ୟା କ୍ଷୟକ୍ଷତି ରୋକିବା ଲାଗି ବିଭିନ୍ନ ସହରରେ ଲାଗିଥିବା ହାଇମାଷ୍ଟ ଲାଇଟ୍ ତଳକୁ ଖସାଇ ଅଣାଯିବ। ବିଜ୍ଞାପନ ଲାଗିଥିବା ବିଭିନ୍ନ ହୋର୍ଡିଂ ଓ ବୋର୍ଡ ଖୋଲିବାକୁ କୁହାଯାଇଛି। ୨୪ ସୁଦ୍ଧା ନଖୋଲିଲେ ପୌର କର୍ମଚାରୀ ଜୋର୍ କରି ଖୋଲିବେ ବୋଲି ସେ କହିଛନ୍ତି। ତେବେ ବାତ୍ୟା କେଉଁଠି ମାଡ଼ ହେବ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

 

You might also like