‘ମୋ ସରକାର’ କାର୍ଯ୍ୟକ୍ରମକୁ ଖୋଲା ଉପହାସ କରୁଛି ରାଜ୍ୟରେ ଥିବା ହସ୍‌ପିଟାଲଗୁଡ଼ିକର ଅବ୍ୟବସ୍ଥା

ଭୁବନେଶ୍ୱର: ‘ମୋ ସରକାର’ କାର୍ଯ୍ୟକ୍ରମକୁ ଖୋଲା ଉପହାସ କରୁଛି ରାଜ୍ୟରେ ଥିବା ସରକାରୀ ହସ୍‌ପିଟାଲ୍‌ର ଚରମ ଅବ୍ୟବସ୍ଥା। ଗୋଟିଏ ପଟେ 5 T ସଚିବ ଭି.କେ ପାଣ୍ଡିୟାନ୍ ଓ ତାଙ୍କ ଟିମ୍ ଜିଲ୍ଲାରୁ ଜିଲ୍ଲା ବୁଲି ଡାକ୍ତରଖାନା ସ୍ଥିତି ପରଖୁଥିବା ବେଳେ ଭଦ୍ରକ, କେନ୍ଦୁଝର ହସ୍ପିଟାଲରୁ ପଦାକୁ ଆସିଛି ଅବହେଳା ଓ ଅବ୍ୟବସ୍ଥାର ବିକଳ ଚିତ୍ର। ଅନ୍ୟପଟେ ମନ୍ତ୍ରୀମାନେ ନ ବୁଲି ପାଣ୍ଡିୟାନ୍ ଓ ସିଏମ୍ଓ ଟିମ୍ ଅଚାନକ ସକ୍ରିୟ ହେବା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଫୁଠ୍‌ପାଥ୍‌ରେ ପ୍ରସବର ବିକଳ ଚିତ୍ର ପଦାକୁ ଆସିବାର ଦୁଇଦିନ ପରେ ଭଦ୍ରକ ମେଡିକାଲ୍‌ରେ ବି ସମାନ ଅବସ୍ଥା। ଡେଲିଭରି ଓ୍ୱାର୍ଡ ବାରଣ୍ଡାରେ, ସର୍ବ ସମ୍ମୁଖରେ ଯମଜ ସନ୍ତାନ ଜନ୍ମ କରିଛନ୍ତି ଜଣେ ପ୍ରସୂତୀ। ତିହିଡ଼ି ଅଞ୍ଚଳର ରାନୁଲତା ଖିଲାର ଏଠାକାର ପ୍ରସୂତୀ ଓ୍ୱାର୍ଡରେ ଆଡମିଶନ ହୋଇଥିଲେ। ତେବେ ଅବସ୍ଥା ଗୁରୁତର କହି ଡାକ୍ତର ତାଙ୍କୁ କଟକ ରେଫର୍ କରିଦେଇଥିଲେ। ୱାର୍ଡରୁ ବାହାରକୁ ଆସିବା ପରେ ବାରଣ୍ଡାରେ ହିଁ ପ୍ରସବ କରିଥିଲେ ରାନୁ।

ଇଏ ତ ଥିଲା ଭଦ୍ରକ ମୁଖ୍ୟ ସରକାରୀ ଡାକ୍ତରଖାନାର ଅବସ୍ଥା। ଏବେ କେନ୍ଦୁଝର ସରକାରୀ ଡାକ୍ତରଖାନାର ଅବସ୍ଥା ପଢ଼ନ୍ତୁ। ସାମାନ୍ୟ ବର୍ଷାରେ ବି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅବସ୍ଥା ବେହାଲ୍ ହୋଇଯାଏ। ଡାକ୍ତରଖାନାର ପିପି ସେଣ୍ଟରରେ ନର୍ଦ୍ଦମାର ପାଣି ପଶିଯିବାରୁ ଫସି ଯାଇଥିଲେ ଡାକ୍ତର ଓ ଷ୍ଟାଫ୍। ସେମାନଙ୍କ ମଧ୍ୟରୁ କିଛି ଷ୍ଟାଫ୍ ନର୍ଦ୍ଦମା ପାଣିରେ ପଶି ବାହାରକୁ ଆସିଥିବାବେଳେ ଡାକ୍ତରଙ୍କୁ ଲୁହା ବାଡ଼ ଉପରେ ଚଢ଼ି ଆସିବାକୁ ପଡ଼ିଥିଲା। ଦିନକ ତଳେ 5T ସଚିବ ପାଣ୍ଡିଆନ ମୋ ସରକାର କାର୍ଯ୍ୟକ୍ରମର ତଦାରଖ ପାଇଁ ଏଠାକୁ ଆସିଥିଲେ। ଆଉ ଏବେ ଡାକ୍ତରଖାନାର ଏଭଳି ଦୃଶ୍ୟ ସରାକାରଙ୍କ 5T କାର୍ଯ୍ୟକ୍ରମକୁ ଉପହାସ କରୁନିଛି।

ସେପଟେ ସୁନ୍ଦରଗଡ଼ ସିଡିଏମ୍ଓ ପଙ୍କଜ ପଟେଲ୍‌ଙ୍କ ନିଲମ୍ବନ ପ୍ରତିବାଦରେ ୬ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ କରିଛି ବିଜେପି। ଏପଟେ ମୁଖମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ଥାନୀୟ ବିଧାୟିକା କୁସୁମ ଟେଟେ ପହଞ୍ଚି ନିଲମ୍ବନ ଆଦେଶ ପ୍ରତ୍ୟାହର କରିବାକୁ ଦାବି କରିଥିଲେ।

ସେପଟେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ନବୁଲି 5T ସଚିବ ପାଣ୍ଡିଆନ୍ ଓ ସିଏମ୍ଓ ଟିମ୍ ଅଚାନକ ସକ୍ରିୟ ହେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ସଚିବମାନେ କ’ଣ ମନ୍ତ୍ରୀଙ୍କ ଉପରେ କି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଯେଉଁ କାମ କରିବା କଥା, ଏବେ 5T ସଚିବ ଓ CMO ଟିମ୍ ସେଇ କାମ କରୁଛନ୍ତି ଯାହାକୁ ନେଇ ବିଜେଡି ରାଜନୀତିରେ ବି ଚାପା ଗୁଜଂରଣ ସୃଷ୍ଟି ହେଉଛି। ନବୀନଙ୍କ ପଞ୍ଚମ ପାଳିରେ ସିଏମ୍ଓ ଅଧିକାରୀଙ୍କ ଏଭଳି ମାତ୍ରାଧିକ ସକ୍ରିୟତାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି।

You might also like