ଆଜି ନିରବ ଥିଲା ବ୍ୟସ୍ତବହୁଳ ରାଜଧାନୀ; ଚାରିଆଡେ ଶୂନଶାନ ଚୁପଚାପ୍

ଭୁବନେଶ୍ୱର: କରୋନା ଲଢ଼େଇରେ ଜାଗ୍ରତ ଯୋଦ୍ଧା ସାଜିଛି ଓଡ଼ିଶା। ସଫଳ ହୋଇଛି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଅକ୍ଷରେ ଅକ୍ଷରେ ପାଳନ ହୋଇଛି କରୋନା ଭାଇରସକୁ ମାତ ଦେବାର ଅଭିଯାନ। ବାଲେଶ୍ୱରରୁ ବ୍ରହ୍ମପୁର, ରାଉରକେଲାରୁ ରାଜଧାନୀ ସାରା ରାଜ୍ୟରେ ଆଜି ଜନତା କର୍ଫ୍ୟୁକୁ ମିଳିଛି ସ୍ୱତଃ ସମର୍ଥନ। ଜନଶୂନ୍ୟ ଜନଗହଳିପୂର୍ଣ୍ଣ ରାସ୍ତା, ଚାରିଆଡେ ଖାଁ ଖାଁ।

ରାଜଧାନୀର ସବୁଠୁ ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ ଛକ, ଜୟଦେବ ବିହାର ଓଭର ବ୍ରିଜ୍ ଓ ରାମ ମନ୍ଦିର ଛକରେ ଜଣେ ଲୋକଙ୍କୁ ବୁଲିବାର ଦେଖିବାକୁ ମିଳିନଥିଲା।

ତେବେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଛକମାନଙ୍କରେ ପୋଲିସ କର୍ମଚାରୀ ମୁତୟନ ହୋଇଥିଲେ। ଲୋକଙ୍କୁ ଅଯଥାରେ ଘରୁ ନବାରିବାକୁ ପରାମର୍ଶ ଦେଇ ଫେରାଇ ବି ଦେଉଥିଲେ।

ତେବେ ଯେଉଁମାନେ ମେଡିକାଲ, ମିଡିଆ ଓ ବିଭିନ୍ନ ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ଜଣାଉଥିଲେ ପରିଚୟପତ୍ର ଦେଖି ସେମାନଙ୍କୁ ଯିବାକୁ ଅନୁମତି ଦେଉଥିଲେ।

କରୋନା ସହ ଯୁଦ୍ଧ ଜିତିବାକୁ ଗୋଟିଏ ପଟେ ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ୱାନ, ଅନ୍ୟପଟେ ରାଜ୍ୟ ସରକାରଙ୍କ ଲକଡାଉନ୍ ଘୋଷଣା ବଡ଼ ରାଜ୍ୟର ଗାଁଠୁ ସହର ସବୁଠି ଦେଖିବାକୁ ମିଳିଥିଲା।

ଲକଡାଉନ୍ ଘୋଷିତ ୫ ଜିଲ୍ଲା ଖୋର୍ଦ୍ଧା, ଗଂଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳରେ ଅଧିକ ପ୍ରଭାବ ପଡିଥିବାବେଳେ ସମ୍ବଲପୁର,  ଝାରସୁଗୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ ଓ ପୁରୀ ସହର ସମେତ ଯାଜପୁର ରୋଡ୍ ଏବଂ ଯାଜପୁର ଟାଉନ ମିଳିଥିଲା ଅଭୂତପୂର୍ବ ସ୍ୱତଃ ସମର୍ଥନ।

କେବଳ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ କିଛି କିଛି ସ୍ଥାନରେ ଘରୁ ବାହାରିଛନ୍ତି। ମେଡିସିନ୍ ଷ୍ଟୋର, ଗ୍ରୋସେରୀ ଓ ପରିବା ଭଳି ନିହାତି ଆବଶ୍ୟକ ସାମଗ୍ରୀ ଦୋକାନ ସହ ବହୁ ସ୍ଥାନରେ ପେଟ୍ରୋଲ ପମ୍ପ ଖୋଲା ରହିଛି।

You might also like