‘ଫୋନି’ ଭାଙ୍ଗି ଦେଲା ଚାଷୀର ମେରୁଦଣ୍ଡ
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ଭାଙ୍ଗି ଦେଲା ଚାଷୀର ମେରୁଦଣ୍ଡ। ‘ଫୋନି’ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁ ବ୍ୟାପକ ଫସଲ ନଷ୍ଟ ହୋଇଛି।
କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଚାଷୀଙ୍କ ସୁନାର ଫସଲକୁ ‘ଫୋନି’ ଉଜାଡ଼ି ଦେଇଛି। ଆଣ୍ଠୁଏ ଆଣ୍ଠୁଏ ପାଣିରେ ଡାଳୁଅ ଧାନ ବୁଡ଼ି ରହିଛି। ଅମଳ ହେବା ସମୟରେ ହେକ୍ଟର ହେକ୍ଟର ଚାଷ ଜମି ବର୍ଷା ପାଣିରେ ବୁଡ଼ି ରହିଛି। ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଋଣ କିପରି ସୁଝିବେ ସେ ନେଇ ଚିନ୍ତାରେ।
କ୍ଷୟକ୍ଷତିର ଆକଳନ କରାଯାଉଛି, ଯାଞ୍ଚ ପରେ ସରକାରୀ ନିୟମ ଅନୁସାରେ ସହାୟତା କରାଯିବ ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି।
ସେହିପରି ‘ଫୋନି’ ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ଢେଙ୍କାନାଳ ଜିଲ୍ଲାରେ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଡାଳୁଅ ଧାନ ସମେତ ମୁଗ ବିରି ଫସଲରେ ପାଣି ଜମି ନଷ୍ଟ ହୋଇଯାଇଛି। ସଦର ବ୍ଲକ ଅନ୍ତର୍ଗତ ତାଳବରକୋଟ ଅଞ୍ଚଳରେ ଏଭଳି ଏ ଦୃଶ୍ୟ ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ପନିପରିବା ଚାଷ ବି ବର୍ଷାରେ ନଷ୍ଟ ହୋଇଯାଇଛି।
ଫୋନି କ୍ଷୟକ୍ଷତିର ଆକାଳନ ଚାଲିଥିବା ଜିଲ୍ଲା କୃଷି ଅଧିକାରୀ କହିଛନ୍ତି। ଏହାସହ ଚାଷୀଙ୍କୁ ସହାୟତା ଲାଗି ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ସେ କହିଛନ୍ତି।
(ବାଙ୍କୀରୁ ସଂଜୀପ କୁମାର ନାୟକ ଓ ଢେଙ୍କାନାଳରୁ ରାଜଶ୍ରୀ ଶତପଥୀଙ୍କ ରିପୋର୍ଟ)