‘ପେତାଇ’ ଧୋଇନେଲା ବର୍ଷକର ପରିଶ୍ରମ; ଚିନ୍ତାରେ ଚାଷୀ

ବଲାଙ୍ଗିର/ବୌଦ୍ଧ: ବର୍ଷାରେ ନଷ୍ଟ ହୋଇଗଲା ବର୍ଷକର ପରିଶ୍ରମ। ଅମଳ ବେଳେ ପେତାଇ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଛି। କ୍ଷେତଠାରୁ ଖଳା ଯାଏ ସବୁଠି ବର୍ଷା ପ୍ରଭାବରେ ଧାନ ଫସଲ ନଷ୍ଟ ହୋଇ ଯାଇଛି।

କ୍ଷେତରେ କଟା ହୋଇ ପଡ଼ିଥିବା ଧାନ ଉଠାଇ ସୁରକ୍ଷିତ ସ୍ଥାନରେ ରଖିବାକୁ ଚାଷୀ ସମୟ ନପାଇବା ଯୋଗୁ ବର୍ଷାରେ ପାଚିଲା ଧାନ ଭିଜି ଯାଇଛି। ଏପରିକି ଲଗାଣ ବର୍ଷାରେ କ୍ଷେତରେ ପାଣି ମଧ୍ୟ ଜମି ରହିଛି। ଫଳରେ ଚାଷୀର ବର୍ଷକର ପରିଶ୍ରମ ଏବେ ପାଣିରେ ବୁଡ଼ି ଯାଇଛି।

ବଲାଙ୍ଗିର ଜିଲ୍ଲା ଲୋଇସିଂହା ଓ ପୁଇଁତଳା ବ୍ଲକ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। କ୍ଷେତ କଥା ଛାଡ଼ନ୍ତୁ ଖଳାରେ ଥିବା ଧାନକୁ ଚାଷୀ ରକ୍ଷା କରିପାରିଲେନି। ଫଟା ଦଦରା ପଲିଥିନ ଓ ସିମେଣ୍ଟ ଅଖା ଘୋଡ଼ାଇ ବର୍ଷା ଦାଉରୁ ଫସଲକୁ ରକ୍ଷା କରିବାକୁ ଉଦ୍ୟମ କରି ମଧ୍ୟ ଏହା ଫେଲ୍ ମାରିଛି। କେବଳ ଧାନ ଫସଲ ନୁହେଁ ପାଟଣାଗଡ଼ ଅଞ୍ଚଳରେ ବ୍ୟାପକ କପା ଫସଲ ବି ନଷ୍ଟ ହୋଇ ଯାଇଛି। ବର୍ଷା ଯୋଗୁ କପାର ରଙ୍ଗ କଳା ପଡ଼ିଯାଇଥିବା ଦେଖିବାକୁ ମିଳିଛି।

ସେପଟେ ବୌଦ୍ଧ ଜିଲ୍ଲାରେ ବି ବର୍ଷା ଯୋଗୁ ବ୍ୟାପକ ଫସଲ ନଷ୍ଟ ହୋଇଛି। ବିଶେଷ କରି ଜିଲ୍ଲାର ୩ଟି ବ୍ଲକ୍‌ କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗାର ଆଭ୍ୟନ୍ତରୀଣ ଅଞ୍ଚଳ ବର୍ଷା ଯୋଗୁ ଅଧିକ ପ୍ରଭାବିତ ହୋଇଛି। ଧାର କରଜ କରି ଫସଲ କରିଥିବା ଚାଷୀ ଏବେ କେମିତି ଋଣ ସୁଝିବ ସେନେଇ ଚିନ୍ତାରେ। ତେବେ କ୍ଷୟକ୍ଷତିର ଆକଳନ ଚାଲିଛି ବୋଲି କୃଷି ଅଧିକାରୀ କହିଛନ୍ତି।

ସମୟ ଅଭାବ ହେଉ ବା ସଠିକ୍‌ ସୂଚନା ନ ପାଇବା ଯୋଗୁ ଚାଷୀଙ୍କ ବର୍ଷକର ଫସଲ ବର୍ଷାରେ ନଷ୍ଟ ହୋଇଯାଇଛି। ସରକାରୀ ସହାୟତା ଯୋଗାଇ ଦେବାକୁ କ୍ଷତିଗ୍ରସ୍ତ ଚାଷୀ ନିବେଦନ କରିଛନ୍ତି।

You might also like