ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ, ଡାକ୍ତରଖାନା ପହଞ୍ଚୁ ପହଞ୍ଚୁ ଚାଲିଗଲା ଜୀବନ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା। ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ। ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଳମ୍ବରେ ପହଞ୍ଚିବାରୁ ଚାଲିଗଲା ଜୀବନ। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ କୋଷଲାଙ୍ଗ ଗାଁରୁ ଏଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି।

କୋଷଲାଙ୍ଗ ଗାଁର ୬୫ ବର୍ଷୀୟ ବୃଦ୍ଧ କଣ୍ଠ କହଁର ନାମକ ବ୍ୟକ୍ତି ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ତୁରନ୍ତ ପରିବାର ପକ୍ଷରୁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ତେବେ ଗାଁକୁ ରାସ୍ତା ନଥିବାରୁ ପାଖାପାଖି ୨କିଲୋମିଟର ପୂର୍ବରୁ ଆମ୍ବୁଲାନ୍ସ ଆସି ଅଟକି ରହିଥିଲା। ଗାଁଲୋକେ ବୃଦ୍ଧ ଅସୁସ୍ଥ ବ୍ୟକ୍ତିଙ୍କୁ ଏକ ଖଟିଆରେ ବୋହି ଆମ୍ବୁଲାନ୍ସ ଯାଏଁ ଆଣିଥିଲେ। ପରେ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଠିକଣା ସମୟରେ ଚିକିତ୍ସା ହୋଇ ନ ପାରିବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି।

ଏହି ଗାଁରେ ପାଖାପାଖି ୩୦ଟି ପରିବାର ବାସ କରନ୍ତି। ସୁବିଧା ଅସୁବିଧା ସମୟରେ ଗ୍ରାମବାସୀଙ୍କ ପାଇଁ ଏକ ସରୁ ପାଦଚଲା ରାସ୍ତା ହିଁ ଏକ ମାତ୍ର ଭରସା। ତେବେ ପୂର୍ବରୁ ବହୁଥର ନୂଆଗାଁ ବ୍ଲକରୁ ରୋଗୀ ଓ ପ୍ରସୂତି ଖଟିଆରେ ବୁହା ହୋଇ ଚିକିତ୍ସା ପାଇଁ ଆସିବା ଘଟଣା ଘଟିଥିବା ବେଳେ ପୁଣି ଏଭଳି ଘଟଣା ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରି ଘଟଣାର ପୁନରାବୃତ୍ତି ଘଟୁଥିଲେ ହେଁ ନିଦା ବିଷ୍ଣୁ ପରି ବସି ରହିଛି ପ୍ରଶାସନ। ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ କିଛି ସୁଫଳ ମିଳୁ ପାରୁନାହିଁ ।

You might also like