ଆନ୍ତଃରାଜ୍ୟ ବାଘଛାଲ ସ୍ମଗଲରଙ୍କ ଟାର୍ଗେଟରେ ରହିଛି ଓଡ଼ିଶା, ବିପଦରେ ପଡ଼ୁଛନ୍ତି କଲରାପତରିଆ

ବୋଲଗଡରୁ ଜବତ ହେଲା କଲରାପତରିଆ ଚମଡ଼ା

  • ଆନ୍ତଃରାଜ୍ୟ ବାଘଛାଲ ସ୍ମଗଲରଙ୍କ ଟାର୍ଗେଟରେ ରହିଛି ଓଡ଼ିଶା
  • ବୋଲଗଡରୁ ଜବତ ହେଲା କଲରାପତରିଆ ଚମଡ଼ା
  • ୪ ଲକ୍ଷ ଟଙ୍କାର ଡିଲ୍ ବେଳେ ୨ଜଣଙ୍କୁ କାବୁ କଲା ଏସଟିଏଫ୍
  • ରାଜ୍ୟରେ ବଢୁଥିବା ବେଆଇନ ବାଘ ଶିକାରକୁ ନେଇ ଚିନ୍ତା

ଭୁବନେଶ୍ୱର(ଆଲୋକ ମହାନ୍ତି): କଲରାପତରିଆ ବାଘ ବଂଶକୁ ବଡ଼଼ ବିପତ୍ତି ଆସିଛି। ରାଜ୍ୟରେ ବେଆଇନ୍ ବାଘ ଛାଲ ବିକ୍ରି ବେଧଡ଼କ ଭାବେ ବଢ଼ି ଚାଲିଥିବାରୁ ଶିକାରୀ ହାତରେ ବୁଡ଼ିବାକୁ ବସିଛି କଲରାପତରିଆଙ୍କ ବଂଶ। ଆଜି ଖୋର୍ଦ୍ଧା ବୋଲଗଡ଼ରେ ଏକ କଲରାପତରିଆ ବାଘ ଛାଲ ବିକ୍ରି ପୂର୍ବରୁ ଛାଲ ଜବତ ସହ ୨ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ୍ STF। ଏପଟେ କ୍ରମାଗତ କଲରାପତିରିଆଙ୍କ ଛାଲ ଜବତ ନେଇ STF ଓ ବନ ବିଭାଗର ତଥ୍ୟ ବି ଚିନ୍ତା ବଢାଇଛି। ଏଭଳି ସ୍ଥିତିରେ ବନ୍ୟାପ୍ରାଣୀ ଚୋରା କାରବାର ରୋକିବାକୁ ଏସଟିଏଫ୍ ପକ୍ଷରୁ ଜାରି ହୋଇଛି ନୂଆ ହେଲ୍ପଲାଇନ୍ ନମ୍ବର।

ଆନ୍ତଃରାଜ୍ୟ ବାଘଛାଲ ସ୍ମଗଲରଙ୍କ ଟାର୍ଗେଟରେ ରହିଛି ଓଡ଼ିଶା। ଆଜି ଖୋର୍ଦ୍ଧା ବୋଲଗଡରୁ ଜବତ ହେଲା କଲରାପତରିଆ ବାଘ ଚମଡ଼ା। ରାଜ୍ୟରେ ବେଧଡ଼କ ଭାବେ ବଢୁଥିବା ବନ୍ୟଜନ୍ତୁ ଶିକାରର ଇଏ ଆଉ ଏକ ନମୁନା କହିଲେ ଅତ୍ୟୁକ୍ତି ହେବ ନାହିଁ। ବୋଲଗଡ଼ରେ କଲରାପତରିଆ ବାଘ ଛାଲ ୪ ଲକ୍ଷ ଟଙ୍କାରେ ବିକ୍ରି ଲାଗି ଡିଲ୍ ଚାଲିଥିବା ବେଳେ ନୟାଗଡ଼ର ଜଣେ ଶିକାରୀ ଓ ତା ସହଯୋଗୀକୁ କାବୁ କରିଛି ଏସଟିଏଫ୍। ଗୁଇନ୍ଦା ସୂଚନା ଆଧାରରେ ବାଘ ଚମଡ଼ା ରାକେଟର ଦୁଇ ସଦସ୍ୟଙ୍କୁ ଗିରଫ ସହ ଚମଡ଼ାକୁ ଏସଟିଏଫ୍ ଜବତ କରିଛି।

ତେବେ ରାଜ୍ୟରେ ବାଘ ଛାଲ ରାକେଟ୍ ଧରାପଡ଼ିବା ନୂଆ କଥା ନୁହେଁ। ଏହା ପୂର୍ବରୁ ସମାନ ଧରଣର ଏକାଧିକ ରାକେଟକୁ ଧରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍। ମାର୍ଚ୍ଚ ୨୩ ଦେବଗଡ଼ ବାରକୋଟ, ଫେବ୍ରୁଆରୀ ୧୫ରେ ନୂଆପଡ଼ାର ସିନାପାଲି, ଫେବ୍ରୁଆରୀ ୮ରେ କେନ୍ଦୁଝର ସହରରୁ ଜବତ ହୋଇଥିଲା ବାଘଛାଲ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ରୀତିମତ କଲାପତରିଆ ବାଘ ଚମଡ଼ା ଉଦ୍ଧାର ପରେ ଏହା ପଛରେ ବଡ଼ ଧରଣର ରାକେଟ୍ କାମ କରୁଥିବା ସନ୍ଦେହ କରିଛି ଏସଟିଏଫ୍। ତା ସହ ଏସଟିଏଫ ବାଘ ଶିକାରର ଯେଉଁ ତଥ୍ୟ ଦେଇଛି, ତା ବି ଚମକାଇବା ଭଳି। ଏସ୍ଟିଏଫର ତଥ୍ୟ ଅନୁସାରେ କେବଳ ଗତବର୍ଷ ହିଁ ଜବତ କରିଛି ୧୨ କଲାପତରିଆ ଚମଡ଼ା। ସେପଟେ ୨୦୧୫ରୁ ୨୦୨୧ ମଧ୍ୟରେ ରାଜ୍ୟରେ ୨୪ରୁ ଅଧିକ କଲରାପତିଆଙ୍କୁ ହତ୍ୟା କରାଯାଇଥିବା ବନ ବିଭାଗ ପକ୍ଷରୁ ତଥ୍ୟ ମିଳିଛି।

ବିଳମ୍ବରେ ହେଉ ପଛେ ବନ୍ୟପ୍ରାଣୀ ଅପରାଧ ସମ୍ପର୍କରେ ତଥ୍ୟ ହାସଲ ଲାଗି ଆଜି କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ନମ୍ବର 94392 63646। ଏହି ନମ୍ବର ଡାଏଲ କରି ଯେ କେହିବି ଏସଟିଏଫକୁ ବନ୍ୟପ୍ରାଣୀ କାରବାରର ସୂଚନା ଦେଲେ ସୂଚନାଦାତାଙ୍କ ନାଁ ଗୋପନ ରଖି ସେମାନଙ୍କୁ ପୁରସ୍କାର ଦେବାକୁ ଘୋଷଣା କରାଯାଇଛି।

You might also like