ଖାରବେଳଙ୍କୁ ମାଡ଼ ମାରିବା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ନିର୍ଦ୍ଦେଶ

ଅତିରିକ୍ତ ଏସ୍‌ପିଙ୍କୁ ଭେଟିଲେ ଉତ୍କଳ ଭାରତ ଦଳ ସଭାପତି ଐର ଖାରବେଳ ସ୍ୱାଇଁ

ଭୁବନେଶ୍ୱର: କାଶୀପୁରରେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କ ଉପରେ ହୋଇଥିବା ଆକ୍ରମଣର କ୍ରାଇମ୍‌ବ୍ରାଞ୍ଚ୍ ତଦନ୍ତ ହେବ। ଆଜି ଏହା ସ୍ପଷ୍ଟ କରିଛନ୍ତି ପୁଲିସ୍‌ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା।

ଏହି ଘଟଣା ପରେ ଷଡ଼ଯନ୍ତ୍ର ରହିଛି କି ନାହିଁ ସେ ନେଇ ଖୋଳତାଡ଼ କରିବ କ୍ରାଇମ୍‌ବ୍ରାଞ୍ଚ୍। ଏ ନେଇ ବିସ୍ତୃତ ଭାବେ ତଦନ୍ତ କରାଯିବ।

ଖାରବେଳଙ୍କ ଉପରେ ବାରମ୍ବାର ହେଉଥିବା ଆକ୍ରମଣ ଘଟଣାକୁ ବି ତଦନ୍ତ ପରିସରକୁ ଅଣାଯାଇପାରେ ବୋଲି ସୂଚନା ମିଳିଛି।

ଅନ୍ୟପଟେ ମାଡ଼ ମାରିବା ଘଟଣାରେ ଅତିରିକ୍ତ ଏସ୍‌ପିଙ୍କୁ ଭେଟିଛନ୍ତି ଉତ୍କଳ ଭାରତ ଦଳ ସଭାପତି ଐର ଖାରବେଳ ସ୍ୱାଇଁ।

ଗତକାଲି କାଶିପୁରରେ ତାଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ରାୟଗଡ଼ାର ଅତିରିକ୍ତ ଏସ୍‌ପି ପତିତପାବନ ଚୌଧୁରୀଙ୍କୁ ଜଣାଇଥିଲେ ଖାରବେଳ। ତେବେ ଆଜି ଅତିରିକ୍ତ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଆସି ବିଧିବଦ୍ଧ ଭାବେ ସେ ଅଭିଯୋଗ କରିଛନ୍ତି।

ଗତକାଲି ରାୟଗଡ଼ା କାଶୀପୁରରେ ଏକ ପଥପ୍ରାନ୍ତ ସଭାରେ ଭାଷଣ ଦେବା ବେଳେ ଖାରବେଳକୁ ଆକ୍ରମଣ ହୋଇଥିଲା। ବିଚ୍ ରାସ୍ତା ଉପରେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଯୁବକ।

ତେବେ ବିଜେଡିର ସମର୍ଥକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି ଖାରବେଳ। ରାଜ୍ୟ ସରକାରଙ୍କ ବିରୋଧରେ କହିଥିବାରୁ ଏପରି ହୋଇଥିବା ସେ ଅଭିଯୋଗ କରିଛନ୍ତି।

ତେବେ ଆଗାମୀ ଦିନରେ ସେ ସଭା ସମିତି ଜାରି ରଖିବେ ବୋଲି କହିଛନ୍ତି। ଅନ୍ୟପଟେ ଅଭିଯୁକ୍ତ ସୁମନ୍ତ ନାୟକଙ୍କୁ କାଶିପୁର ଥାନାରେ ଗିରଫ ରଖି ପଚରାଉଚରା କରାଯାଇଛି। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅତିରିକ୍ତ ଏସ୍‌ପି କହିଛନ୍ତି।

ପୂର୍ବରୁ କେନ୍ଦ୍ରାପଡ଼ାର ଆଳି ଓ ବାଲେଶ୍ୱର ଖଇରାରେ ମଧ୍ୟ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ କରାଯାଇଥିଲା।

ଆହୁରି ମଧ୍ୟ ପଢ଼ନ୍ତୁ: ଖାରବେଳଙ୍କୁ ସଭାମଞ୍ଚରେ ଜନୈକ ଯୁବକଙ୍କ ଆକ୍ରମଣ

You might also like