ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର: ଆକାଶ ପାଠକ ଲିଙ୍କରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ। ପ୍ରଦୀପଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛି କ୍ରାଇମବ୍ରାଞ୍ଚ। ଟାଟା କଂପାନିରେ ଚାକିରି କରାଇ ଦେବା ପାଇଁ ଆକାଶ ପାଠକଙ୍କ ନାଁରେ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ପ୍ରମାଣ ଥିବା ଦର୍ଶାଇଛି ତଦନ୍ତକାରୀ ସଂସ୍ଥା। ସାଇବର ଥାନାରେ ଥିବା ମାମଲାରେ ପ୍ରଦୀପଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି।

ତାଙ୍କ ବିରୋଧରେ ଆଇଟି ଆକ୍ଟର ସଂଗୀନ ଦଫା ଲଗାଯାଇଛି। ଠକେଇ, ଜାଲିଆତି, ଆପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧରେ ତାଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ପ୍ରଦୀପଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଥିବା ଦର୍ଶାଇଛି ତଦନ୍ତକାରୀ ସଂସ୍ଥା।

ଆକାଶ ପାଠକ ନିଜକୁ ଟାଟା ମୋଟର୍ସ ପାସେଞ୍ଜର କାର ଡିଭିଜନର ଇନ୍‌ଚାର୍ଜ ମ୍ୟାନେଜିଂ ଡାଇରେକ୍ଟର ବୋଲି ଦର୍ଶାଇ ଲୋକଙ୍କୁ ଚାକିରି କରାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଉଥିଲେ ଓ ପ୍ରଦୀପ ତାଙ୍କ ପାଇଁ ଟଙ୍କା ଆଦାୟ କରୁଥିବା ଅପରାଧରେ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ଦର୍ଶାଇଛି।

ପୂରା ଘଟଣାକ୍ରମ ଥିଲା ଏମିତି…

ଆଜି ବହୁଚର୍ଚ୍ଚିତ ଡାଲି ଦୁର୍ନୀତି କଥା ଉଠାଇଥିଲେ ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ।ଡାଲି ଦୁର୍ନୀତି ତଦନ୍ତ କେଉଁଯାଏ ଗଲା ଓ ଏହି ମାମଲା କେବେ ଏବଂ କାହିଁକି କ୍ଲୋଜ୍ ହେଲା ବୋଲି ପ୍ରଶ୍ନ କରିଥିଲେ ପ୍ରଦୀପ। ଏଥିସହିତ ଡାଲି ଦୁର୍ନୀତି ମାମଲାର ବର୍ତ୍ତମାନ ଷ୍ଟାଟସ କ’ଣ ବୋଲି ପଚାରିବା ସହିତ ତତ୍କାଳୀନ ଗଂଜାମ ଜିଲ୍ଲାପାଳଙ୍କୁ କାହିଁକି ପଚରାଯାଉନି ବୋଲି ସେ ପ୍ରଶ୍ନ କରିଥିଲେ ତା’ସହିତ  ମାମଲାର ଖୋଳତାଡ଼ କରି ସତ୍ୟାସତ୍ୟ ପଦାକୁ ଅଣାଯାଉ ବୋଲି ସେ ଦାବି କରିଥିଲେ।

ଏହାପରେ କିଛି ସମୟ ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ କିଛି ଲୋକ ଉଠାଇନେଇଥିବା ତାଙ୍କ ପତ୍ନୀ ସୂଚନା ଦେଇଥିଲେ। ଏହାର କିଛି ସମୟ ପରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଇଥିବା ସ୍ପଷ୍ଟ କରିଥିଲା  କ୍ରାଇମବ୍ରାଞ୍ଚ। ଏନେଇ କ୍ରାଇମ୍‌ବ୍ରାଞ୍ଚ ଟୁଇଟ୍ କରି ସୂଚନା ଦେଇଥିଲା।

ଆଉ ଶେଷରେ ବିଭିନ୍ନ ଅଭିଯୋଗରେ ପ୍ରଦୀପଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ। ତାଙ୍କ ବିରୋଧରେ ଆଇଟି ଆକ୍ଟର ବିଭିନ୍ନ ଧାରା ଲଗାଯାଇଛି।

You might also like