ଗାଁ ମଶାଣିରେ ପାର୍କର ମଜା, ରଙ୍ଗବେରଙ୍ଗର ଫୁଲ ସାଙ୍ଗକୁ ତଟକା ପନିପରିବାର ସମ୍ଭାର

ଆଲୋକମାଳାରେ ଝଟକୁଛି ଶ୍ମଶାନ, ପରିବେଶ ସୁରକ୍ଷା ପ୍ରତି ଏକ ନିଆରା ଉଦାହରଣ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ରଙ୍ଗବେରଙ୍ଗର ଫୁଲ ସାଙ୍ଗକୁ ଶ୍ମଶାନରେ ତଟକା ପନିପରିବାର ସମ୍ଭାର। ଔଷଧୀୟ ଗୁଳ୍ମରେ ଭରପୁର ଶ୍ମଶାନରେ ପ୍ରତିଦିନ ଲୋକଙ୍କ ଭିଡ଼ ଜମୁଛି। ସାଧାରଣତଃ ଶ୍ମଶାନ କଥା ଶୁଣିଲେ ସମସ୍ତଙ୍କ ମନରେ ଏକ ପ୍ରକାର ଶଙ୍କା ସୃଷ୍ଟି ହୁଏ । ନାନା ପ୍ରକାର ଚିନ୍ତା ମନକୁ ଆସେ,ଭୟରେ ହାତପାଦ ଥରିଯାଏ । ହେଲେ ଆଜି ଆମେ ଏମିତି ଏକ ଶ୍ମଶାନ ବିଷୟରେ ଆଲୋଚନା କରିବା ଯେଉଁଠି ଅନବରତ ଗହଳି ଲାଗିରହେ । ତେବେ ଏହି ଗହଳି ଶବ ବାହକଙ୍କର ନୁହେଁ ବରଂ ପର୍ଯ୍ୟଟକ ମାନଙ୍କର ।

ନୟାଗଡ଼ ଜିଲ୍ଲା ଇଟମାଟି ଗାଁର ମଶାଣି। ଶ୍ମଶାନରେ ଫୁଟିଛି ସୁନ୍ଦର ସୁନ୍ଦର ଫୁଟିଛି ।ଗଛରେ ଫଳିଛି ସବୁଜ ପନି ପରିବା। ସୃଷ୍ଟି ହୋଇଛି ତୁଳସୀ ବଣ । କାନ୍ଥରେ ଚିତା ପଡିଛି । ଆଉ ସଞ୍ଜ ନଇଁଲେ ଶ୍ମଶାନର କାନ୍ଥ ଆଲୋକମାଳାରେ ଝଟକୁଛି। ଆକର୍ଷଣୀୟ ସ୍ଥାୟୀ ତୋରଣ ସହ କାନ୍ଥ ଏବଂ ମୁଖଶାଳା କୌଣସି ମନ୍ଦିର ଓ ପାର୍କର ଭ୍ରମ ସୃଷ୍ଟି କରୁଛି। ମୁଖଶାଳା ଭିତରକୁ ପଶିଗଲେ ତୁଳସୀର ବାସ୍ନା ବିମୋହିତ କରୁଛି। ମନ୍ଦିର ପରି ମନେ ହେଉଥିଲେ ହେଁ ଏହା ଏକ ଶ୍ମଶାନ। ମଶାଣିକୁ ଏମିତି ରୂପ ଦେଇଛନ୍ତି  ଗାଁର ମହାବୀର ଯୁବକ ସଂଘର କର୍ମକର୍ତ୍ତାମାନେ ।

ମଶାଣି ନାଁ ଶୁଣି ଡରୁଥିବା ଛୋଟ ଛୋଟ ପିଲାମାନେ ପ୍ରତିଦିନ ଏଠାକୁ ଆସି  ନିର୍ଭୟରେ ଫୁଲଗଛରେ ପାଣି ଦେଉଛନ୍ତି ।ଯୁବକ ସଂଘର କର୍ମକର୍ତ୍ତାଅମାନେ ନିୟମିତ ଗଛର ଯତ୍ନ ନେଉଛନ୍ତି । ନିଇତି ନୂଆ ନୂଆ ଗଛ ଆଣି ଲଗାଉଛନ୍ତି ଏ‍ବଂ ପରିସରକୁ ସଫା ସୁତୁରା ରଖୁଛନ୍ତି । ଅନ୍ୟପଟେ ପ୍ରତିଦିନ ମଶାଣି ଚଣ୍ଡୀଙ୍କ ପାଖରେ ଆଳତି ଘଣ୍ଟ ଧ୍ୱନି,ଭଜନ କୀର୍ତ୍ତନ ହେଉଛି । ଲୋକମାନେ ଏହି ମଶାଣି ପରିସରକୁ ବୁଲି ଦେଖୁଛନ୍ତି ।

ପ୍ରତିଟି ମଣିଷର ଶେଷ ସ୍ଥାନ ଯେ ନୂଆ ଏକ ଆଶା ସଂଚାର କରିବ, ଏହି ମଶାଣିର ସୁନ୍ଦର ପରିବେଶ ତାହା ବୟାନ୍ କରୁଛି । ବିନା ସରକାରୀ ସହାୟତାରେ ଯୁବକ ସଂଘର ଯୁବକମାନେ ପରିଶ୍ରମ କରି  ମଶାଣିକୁ ଏକ ପର୍କା ଭାବେ ଗଢି ତୋଳିଛନ୍ତି। ତାଙ୍କର ଏହି ନିଆରା ପ୍ରୟାସ ପାଇଁ ଆଜି ବେଶ ପ୍ରଶଂସିତ ହୋଇ ପାରିଛନ୍ତି ।

 

You might also like