ନିର୍ମାଣ ନ ସରୁଣୁ ଜାତୀୟ ରାଜପଥ ଫାଟି ଆଁ: ୧ ୨୫୫ କୋଟି ଟଙ୍କାରେ ନିର୍ମିତ ୧୫୦ କିଲୋମିଟର ରାସ୍ତାର ଦୁରବସ୍ଥା କହିଲେ ନ ସରେ
ସମ୍ବଲପୁର(ସଞ୍ଜୟ ଜେନା): ସମ୍ବଲପୁର-ଅନୁଗୁଳ ୪୨ ନମ୍ବର ଜାତୀୟ ରାଜପଥରେ ଯିଏ ଥରେ ଯିବ, ସେ ଅନୁଭବ କରିବ ରାସ୍ତାର ଦୂରାବସ୍ଥା। ନିର୍ମାଣ ସରିନି, କିନ୍ତୁ ଏନ୍ଏଚ୍ ଫାଟି ଆଁ କଲାଣି। ରାସ୍ତାର ଅନେକ ସ୍ଥାନରେ ବଡ଼ ବଡ଼ ଫାଟ ପ୍ୟାଚ୍ ପକାଯାଉଛି, ତଥାପି ଫାଟ ଜଳଜଳ ଦିଶୁଛି। ହଜାର ହଜାର କୋଟି ଟଙ୍କାରେ ନିର୍ମାଣାଧୀନ ଏହି NHରେ ଫାଟ କଥା କେବଳ ଲୋକଙ୍କ ଅଭିଯୋଗ ଭିତରେ ସୀମିତ ନାହିଁ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ପାଖରେ ପହଞ୍ଚିଛି କଥା। ସମ୍ବଲପୁର ସାଂସଦ ଏନେଇ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି, ତଥାପି ସ୍ଥିତି ସୁଧୁରିନି ଦେଖିବା
ନିର୍ମାଣ ନସରୁଣୁ ଜାତୀୟ ରାଜପଥ ଫାଟି ଆଁ କରିଛି। ୧ ହଜାର ୨୫୫ କୋଟି ଟଙ୍କାରେ ନିର୍ମିତ ୧୫୦ କିଲୋମିଟର ଲମ୍ବା ସମ୍ବଲପୁର- ଅନୁଗୁଳ ୪୨ ନମ୍ବର ଜାତୀୟ ରାଜପଥର ଚିତ୍ର ନଗଲା ଲୋକ ଜାଣିପାରିବ ନାହିଁ। ସମ୍ବଲପୁରରୁ ରେଢାଖୋଲ ଭିତରେ ଅନେକ ସ୍ଥାନରେ ଏମିତି ଫାଟ ଜଳଜଳ ଦିଶୁଛି ଠାଏ ଠାଏ ରାସ୍ତା ମଝିରୁ ସିମେଣ୍ଟ ଉଠିଯାଇ ଖାଲ ସୃଷ୍ଟି ହୋଇଛି। ଫଟା ରାସ୍ତାରୁ ଦୃଷ୍ଟି ହଟାଇବା ପାଇଁ ଫାଟ ଗୁଡିକୁ ଟ୍ରିଟମେଣ୍ଟ କରାଯାଇଛି।
ଆଉ କେତେକ ସ୍ଥାନରେ ସୃଷ୍ଟି ହୋଇଥିବା ବଡ ବଡ ଫାଟକୁ ସିମେଣ୍ଟ ପଲସ୍ତରା ଦେଇ ଘୋଡାଇବାକୁ ଚେଷ୍ଟା କରାଯାଇଛି। କିନ୍ତୁ ମରାମତି ପରେ ବି ପୁଣି ତାଳିପକା କାମ ଜାଗାରେ ନୂଆ ନୂଆ ଫାଟ ସୃଷ୍ଟି ହେଉଛି। ୪୨ ନମ୍ବର ଜାତୀୟ ରାଜପଥ କାମ ଅତି ନିମ୍ନମାନର ହୋଇଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ କାମ ଠିକରେ ହୋଇନଥିବାରୁ ରାସ୍ତାରେ ଯେକୌଣସି ଭାରି ଯାନ ଗଲେ ଦୋହଲୁଛି। ଏନ୍ଏଚ୍ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟି ଜୀବନ ହାନି ମଧ୍ୟ ହେଉଛି।
ଆଉ ସବୁଠାରୁ ବଡ଼ କଥା ହେଉଛି, ପ୍ରକଳ୍ପ କାମ ସରିବା ପୂର୍ବରୁ ନବ ନିର୍ମିତ କଂକ୍ରିଟ ରାଜପଥରେ ଫାଟ। ୨୦୧୭ ମାର୍ଚ୍ଚରେ ଆରମ୍ଭ ହୋଇଥିବା ଏହି ଏନ୍ଏଚ୍ କାମ ଅଗଷ୍ଟ ୨୦୧୯ ରେ ସରିବା କଥା ହେଲେ ଅବଧି ସରିବାର ଦେଢ ବର୍ଷ ପରେ ବି କାମ ଆଗଉନାହିଁ। ପୁଣି ଚଳିତ ବର୍ଷ ଡିସେମ୍ବର ମାସ ଯାଏଁ ଅବଧି ବୃଦ୍ଧି ପାଇଁ ପ୍ରସ୍ତାବ ପଠାଇଛି। ଜାତୀୟ ରାଜପଥ ପ୍ରାଧିକରଣ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ କୁ ନେଇ ସଂପୃକ୍ତ ଠିକା ସଂସ୍ଥା ହାଇଦ୍ରାବାଦର ଗାୟତ୍ରୀ ପ୍ରୋଜେକ୍ଟ ଉପରେ ଦୋଷ ଲଦିଛନ୍ତି ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ।
ଏନେଇ ସାଂସଦ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପୂର୍ବରୁ ଥରେ ଚିଠି ଲେଖିଛନ୍ତି। ଆଉ ଥରେ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ଅନ୍ୟପଟେ କ୍ୟାମେରା ଆଗରେ ସତ ମାନିଛି ନିର୍ମାଣକାରୀ ସଂସ୍ଥା ଗାୟତ୍ରୀ ପ୍ରୋଜେକ୍ଟ। ତେବେ ସଂସ୍ଥାର ଜେନେରାଲ ମ୍ୟାନେଜର ସଫେଇ ଦେଇ କହିଛନ୍ତି, ଏ ଅଂଚଳର ଜଳବାୟୁ ଠିକ୍ ରହୁ ନଥିବାରୁ ରାସ୍ତା ଢଳେଇ କଲାପରେ ଫାଟି ଯାଉଛି।
#କାମ_ସରିନି_ଆଁ_କଲାଣି_NH
ସମ୍ବଲପୁର-ଅନୁଗୁଳ ୪୨ ନମ୍ବର ଜାତୀୟ ରାଜପଥରେ ଯିଏ ଥରେ ଯିବ, ସେ ଅନୁଭବ କରିବ ରାସ୍ତାର ଦୂରାବସ୍ଥା। ନିର୍ମାଣ ସରିନି, କିନ୍ତୁ ଏନ୍ଏଚ୍ ଫାଟି ଆଁ କଲାଣି। ରାସ୍ତାର ଅନେକ ସ୍ଥାନରେ ବଡ଼ ବଡ଼ ଫାଟ। #Sambalpur #Angul #Odisha pic.twitter.com/FHojyKHIU4— ଓଟିଭି (@otvkhabar) February 15, 2021