ସଟ୍‌ଡାଉନ୍‌ରେ ଟ୍ୱିନ୍‌ ସିଟି ଜଗିବେ ୩୨ ପ୍ଲାଟୁନ୍ ଫୋର୍ସ, ୨୫୦ ଅଫିସର

କଣ କହିଲେ କମିଶନର?

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା। ଏହାସହ ରାଜଧାନୀରେ ସ୍ଥିତି ଗମ୍ଭୀର ରହିଛି। ଆଉ ଏହାରି ମଧ୍ୟ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସମିଟ୍‌ କରିଛନ୍ତି। ସେ କହିଛନ୍ତି ଯେ,  ନାଇଟ କର୍ଫ୍ୟୁ ଓ ସଟଡାଉନ ସମୟରେ ଟୁଇନ ସିଟିରେ ୬୮ ପଏଣ୍ଟରେ ଚେକିଂ କରାଯିବ। କଟକରେ ୨୫ ଜାଗାରେ ଓ ଭୁବନେଶ୍ୱରରେ ୪୩ ଜାଗାରେ ନାକାବନ୍ଦୀ କରାଯିବ ବୋଲି ସୂଚନା ମିଳିଛି । କଟକରେ ୧୨ ପ୍ଲାଟୁନ ଫୋର୍ସ ଓ ୧୦୦ ଅଫିସର ନିୟୋଜିତ ହେବେ ବୋଲି ସିପି କହିଛନ୍ତି। କେବଳ  ଭୁବନେଶ୍ୱରରେ ୨୦ ପ୍ଲାଟୁନ ଫୋର୍ସ, ୧୫୦ ଅଫିସର ଦାୟିତ୍ୱରେ ବି ରହିବେ। ଏହାସହ ନାକା ପଏଣ୍ଟରେ ଲୋକମାନଙ୍କୁ ଚେକିଂ କରିବେ ପୋଲିସ କର୍ମଚାରୀ। ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କ ଯାଆସ ସହଜରେ କରିପାରିବେ ବୋଲି କମିଶନର କହିଛନ୍ତି।

ଅତ୍ୟାବଶ୍ୟକ ସେବା କର୍ମଚାରୀଙ୍କ ପାଇଁ ସ୍ପେଶାଲ ପାସ୍‌ର କୌଣସି ଆବଶ୍ୟକତା ନାହିଁ। ନିଜ ସଂସ୍ଥା ଦ୍ୱାରା ପ୍ରଦତ୍ତ ପରିଚୟପତ୍ର ଦେଖାଇ କାମକୁ ଯାଇପାରିବେ କର୍ମଚାରୀ। ଏହାସହ ସମସ୍ତଙ୍କୁ କଟକଣା ପାଳନ କରିବାକୁ ନିବେଦନ କଲେ କମିଶନର। ଏହି ସମୟରେ ଯେଉଁମାନେ ନିୟମ ମାନିବେ ନାହିଁ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସିପି। ତେବେ କରୋନା ବଢୁଥିବାରୁ ସାରା ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ସହ ସପ୍ତାହାନ୍ତ ସଟଡାଉନ୍‌ ବ୍ୟବସ୍ଥା କରାଯାଇଛି।

ତେବେ ପୂର୍ବରୁ ଏସଆରସି କହିଛନ୍ତି ଯେ, ଶନିବାର ଓ ରବିବାର ଏହି ସପ୍ତାହାନ୍ତ ସଟ୍‌ଡାଉନ୍ ବେଳେ ସକାଳେ ଘଣ୍ଟାଏ ପାଇଁ କଟକଣା କୋହଳ କରାଯିବ। ମର୍ଣ୍ଣିଂ ୱାର୍କ ଓ ସାଇକ୍ଲିଂ ପାଇଁ ସକାଳ ୫ଟାରୁ ୬ଟା ଯାଏ କଟକଣା କୋହଳ ହେବ। ଏନେଇ ଆଜି ସ୍ୱତନ୍ତ୍ର ରିଲିଫ କମିଶନର(SRC) ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି।

ସପ୍ତାହାନ୍ତ ସଟ୍‌ଡାଉନ୍ ନେଇ SRC କହିଛନ୍ତି, ଶନିବାର ସକାଳୁ ହିଁ ସପ୍ତାହାନ୍ତ ସଟ୍‌ଡାଉନ୍ ଆରମ୍ଭ ହେବ। ଆଜି ରାତିର ନାଇଟ୍‌ କର୍ଫ୍ୟୁ କଟକଣା କାଲି ସକାଳୁ ସରିଲେ ସଟ୍‌ଡାଉନ୍ କଟକଣା‌ ଆରମ୍ଭ ହେବ। ତେବେ ସକାଳେ ଘଣ୍ଟାଏ ପାଇଁ ଏହି ସଟ୍‌ଡାଉନ୍‌ କଟକଣା କୋହଳ କରାଯିବ। ମର୍ଣ୍ଣିଂ ୱାର୍କ ଓ ସାଇକ୍ଲିଂ ପାଇଁ ସକାଳ ୫ଟାରୁ ୬ଟା ଯାଏ କଟକଣା କୋହଳ ହେବ। ସୋମବାର ସକାଳ ପର୍ଯ୍ୟନ୍ତ ସଟ୍‌ଡାଉନ୍ କଟକଣା ଜାରି ରହିବ।

କରୋନା ଚେନ୍‌ ଭାଙ୍ଗିବାକୁ ସରକାର ଏହି ସଟଡାଉନ୍‌ ନିଷ୍ପତ୍ତି ନେଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬,୨୧୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୯୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୬୮୪ ଓ କଳାହାଣ୍ଡିରୁ ୬୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

You might also like