ରାଜ୍ୟରେ ଉତ୍କଟ ହେଲାଣି ବେଅାଇନ ଗୋ ଚାଲାଣ ସମସ୍ୟା

ଭୁବନେଶ୍ୱର: ରାଜ୍ୟରେ ବେଧଡ଼କ ଚାଲିଛି ବେଆଇନ ଗୋ ଚାଲାଣ। ଯାହା ପଛରେ କାମ କରୁଛି ସୁସଂଗଠିତ ରାକେଟ୍। ନିକଟରେ ଟିଟୋ ଗୋ ଚାଲାଣ ରାକେଟ୍‌ର ମୁଖ୍ୟ କାର୍ପଟଦାର ବଟୁ ପାଣି ଓ ତା ଭାଇ ଗିରଫ ହେବା ପରେ ଏହା ଉପରୁ ପର୍ଦ୍ଦା ଉଠିଛି। କେବଳ ଏହି ଗୋଟିଏ ରାକେଟ୍ ନୁହେଁ, ଆହୁରି ଅନେକ ରାକେଟ୍ ମାଧ୍ୟମରେ ରାଜ୍ୟ ବାହାରକୁ ପ୍ରତିଦିନ ବେଅାଇନ୍ ଭାବେ ପଠାଯାଉଛି ହଜାର ହଜାର ଗାଈଗୋରୁ।

ମିଳିଥିବା ସୂଚନା ଅନୁଯାୟୀ ଏହି ବେଅାଇନ୍ କାରବାର ମୁଖ୍ୟତଃ ୨ଟି  କରିଡର୍ ଦେଇ ଚାଲିଛି। ଗୋଟିଏ କରିଡର ବାଲେଶ୍ୱର, ମୟୁରଭଞ୍ଜ ଦେଇ ପଶ୍ଚିମବଙ୍ଗକୁ ଗୋଚାଲାଣ ହେଉଛି। ସେହିପରି ଅନ୍ୟ କରିଡର ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଦେଇ ତେଲେଙ୍ଗାନା ଓ ଅାନ୍ଧ୍ରକୁ ଚାଲାଣ ଚାଲିଛି। କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ଅଧୀନସ୍ଥ ଅାନିମଲ୍ ୱେଲଫେୟାର୍ ବୋର୍ଡର ଅନୁଧ୍ୟାନରୁ ଏଭଳି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଅାସିଛି। ରାଜ୍ୟରେ ଏବେ ୧୧୭ଟି ସାପ୍ତାହିକ ଗୋ ହାଟ ବସୁଛି, ଯେଉଁଠାରୁ ଅତି ସନ୍ତର୍ପଣରେ ବେଅାଇନ୍ ଗୋ ଚାଲାଣ ହେଉଥିବା ଅଭିଯୋଗ ହେଉଛି।

ବେଅାଇନ୍ ଗୋ-ଚାଲାଣ ସମ୍ପର୍କରେ ଅାନିମଲ୍ ୱେଲଫେୟାର୍ ବୋର୍ଡ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଅବଗତ କରାଇଥିଲା। ରାଜ୍ୟପାଳ ମଧ୍ୟ ଏ ନେଇ ଉଦବେଗ ପ୍ରକାଶ କରି ଅାବଶ୍ୟକ ପଦକ୍ଷେପ ନେବାକୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏପଟେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଗୋ ଚାଲାଣ ଉପରେ ଅଙ୍କୁଶ ପାଇଁ କଣ ସବୁ ପଦକ୍ଷେପ ନିଅାଯାଇଛି ଓ କଣ କରାଯିବା ଅାବଶ୍ୟକ ସେନେଇ ସମୀକ୍ଷା କରିଛି। ପୂର୍ବରୁ ବିଭାଗ ଓ ପୁଲିସ ଡିଜି ଜାରି କରିଥିବା ଏସ୍ଓପିକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା, ଟାସ୍କଫୋର୍ସ ଗଠନ, ସୀମାନ୍ତରେ ଚେକିଂକୁ କଡ଼ାକଡ଼ି କରିବା, ହାଇୱେ ପାଟ୍ରୋଲିଂକୁ ବଢ଼ାଇବାକୁ ନିଷ୍ପତ୍ତି  ହୋଇଥିଲା। ଏନେଇ ଜିଲ୍ଲାପାଳ ଓ ଅନ୍ୟ ବିଭାଗର ଅଧିକାରୀଙ୍କୁ ଚିଠି ଲେଖିଛି ପଶୁସମ୍ପଦ ବିଭାଗ। ଗୋ ଚାଲାଣ ରୋକିବା ପାଇଁ ରାଜ୍ୟରେ ନିୟମ ରହିଛି।  ଏହା ସତ୍ୱେ ବେଅାଇନ ଗୋଚାଲାଣ ବଢ଼ି ବଢ଼ିଚାଲିଛି।

You might also like