ଗାଈ ପାଟିରେ ଫୁଟିଲା ବୋମା, ଥାନାରେ ଏତଲା
ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ଗାଈ ପାଟିରେ ଫୁଟିଲା ବୋମା। ବିଲରେ ଚରୁଥିବା ବେଳେ ବୋମାଟିକୁ ଗାଈ ଚୋବାଇ ଦେବା ଫଳରେ ଗୁରୁତର ହୋଇପଡ଼ିଥିବା ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେନ୍ଦୁପାଟ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ, କେନ୍ଦୁପାଟ ଗାଁର କିଛି ଦୁର୍ବୃତ୍ତ ନିୟମିତ ଭାବେ ବାର୍ହା ଶିକାର କରିଥାନ୍ତି। ଏଥିପାଇଁ ସେମାନେ ବିଲରେ ବୋମା ରଖନ୍ତି।
ଗତକାଲି ସନ୍ଧ୍ୟାରେ ଗାଁର ସୁଦୁରୁ ରାଉତଙ୍କ ଗାଈ ଚରିବାକୁ ଯାଇ ଘରକୁ ଫେରି ନଥିଲା। ବହୁ ଖୋଜାଖୋଜି ପରେ ଗାଈଟି ଗାଁ ନିକଟସ୍ଥ ଜଗାଘାଇ ସ୍ଥିତ ଏକ ବିଲରେ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଗାଈଟି ବିଲରେ ଚରୁଥିବା ବେଳେ ବୋମାଟିକୁ ଚୋବାଇ ଦେଇଥିଲା। ଫଳରେ ବୋମାଟି ବିସ୍ଫୋରଣ ହୋଇଯାଇଥିଲା।
ଏହି ଘଟଣାକୁ ନେଇ ଏନେଇ ସୁଦୁରୁ ଗାଁର ଜଣେ ବ୍ୟକ୍ତିଙ୍କ ବିରୋଧରେ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି। ଏତଲା ପାଇ ଥାନା ଅଧିକାରୀଙ୍କ ନେତୃତ୍ୱରେ ପୋଲିସ୍ ଟିମ୍ କେନ୍ଦୁପାଟ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ପରେ ଅଭିଯୁକ୍ତ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।