ଆଶ୍ୱସ୍ତି ଦେଲା କୋଭାକ୍ସିନ୍: ୟୁକେ ଓ ବ୍ରାଜିଲ୍ ଷ୍ଟ୍ରେନକୁ ଚେକ୍‌ ଦେଉଛି ସ୍ୱଦେଶୀ ଟିକା‌

କୋଭିସିଲଡ଼ର ଦର ଧାର୍ଯ୍ୟ କଲା ସେରମ୍

  • କରୋନା ସୁନାମୀ ଭିତରେ ଆଶ୍ୱସ୍ତିର ଖବର
  • ୟୁକେ ଓ ବ୍ରାଜିଲ୍ ଷ୍ଟ୍ରେନକୁ ରୋକିପାରୁଛି କୋଭାକ୍ସିନ୍
  • ଡବଲ୍ ମ୍ୟୁଟାଣ୍ଟ୍‌ ଭାରିଆଂଟ୍‌କୁ ବି ରୋକିପାରୁଛି କୋଭାକ୍ସିନ୍
  • ଅଗଷ୍ଟ ବେଳକୁ ଆଉ ଏକ ଟିକା ବାୟୋଲୋଜିକାଲ୍-ଇ
  • କୋଭିସିଲଡ଼ର ଦର ଧାର୍ଯ୍ୟ କଲା ସେରମ୍

ନୂଆଦିଲ୍ଲୀ: ଦେଶର କରୋନା ଲଢ଼େଇରେ ବଡ଼ ଆଶ୍ୱସ୍ତି  ମିଳିଛି। ଦେଶରେ ତ୍ୱରିତ ବେଗରେ ଟିକାକରଣ ଆଗେଇ ଚାଲିଥିବା ବେଳେ ସୂଚନା ମିଳିଛି, ଘାତକ ଭୂତାଣୁର ୟୁକେ ଓ ବ୍ରାଜିଲ୍ ସହ ଡବଲ୍ ମ୍ୟୁଟାଣ୍ଟ୍‌ ଷ୍ଟ୍ରେନକୁ ମଧ୍ୟ ରୋକିବାରେ ସଫଳ ହେଉଛି ସ୍ୱଦେଶୀ ଟିକା କୋଭାକ୍ସିନ୍। ସେପଟେ ଅଗଷ୍ଟ ବେଳକୁ ଆଉ ଏକ ଟିକା ବାୟୋଲୋଜିକାଲ୍-ଇ ଆସିବା ନେଇ ଆଶା କରାଯାଉଛି। ଏ ଭିତରରେ ରାଜ୍ୟ ଓ ଘରୋଇ ହସ୍ପିଟାଲ ପାଇଁ ସ୍ୱପ୍ରସ୍ତୁତ କୋଭିସିଲ୍ଡ ଟିକା ଦର ଘୋଷଣା କରିଛି ସେରମ୍ ଇନଷ୍ଟିଚ୍ୟୁଟ୍‌।

ଦେଶର କରୋନା ବିରୋଧୀ ଲଢ଼େଇରେ ମୁଖ୍ୟ ଅସ୍ତ୍ର ସାଜିବ କି ସ୍ୱଦେଶୀ ଟିକା କୋଭାକ୍ସିନ୍? କାରଣ, କରୋନାର ଅତ୍ୟଧିକ ସଂକ୍ରାମକ ୟୁକେ ଓ ବ୍ରାଜିଲ୍ ଷ୍ଟ୍ରେନ୍ ସହ, ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା ଡବଲ୍ ମ୍ୟୁଟାଣ୍ଟ୍‌ ଭାରିଆଂଟ୍‌କୁ ବି ରୋକିପାରୁଛି ଏହି ଟିକା। ଏନେଇ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ICMR ପକ୍ଷରୁ ସୂଚନା ଦିଆଯାଇଛି। ଭାରତରେ ମହାମାରୀର ଦ୍ୱିତୀୟ ଲହର ଭୟାବହ ହେବା ପଛରେ, ନୂଆ ଷ୍ଟ୍ରେନ୍ ସହ ଡବଲ୍ ମ୍ୟୁଟେସନ୍‌ର ବି ଭୂମିକା ଥିବା ଆଶଙ୍କା କରାଯାଉଛି। ତେବେ ଫାର୍ମା କଂପାନୀ ଭାରତ ବାୟୋଟେକ୍, ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍‌ ଭାଇରୋଲୋଜି-NIV ଏବଂ ICMR ଦ୍ୱାରା ବିକଶିତ କୋଭାକ୍ସିନ ସଂପର୍କରେ ଏହି ନୂଆ ତଥ୍ୟ ଅନେକାଂଶରେ ଆଶ୍ୱସ୍ତି ଆଣିଛି।

ଦେଶର ଅନ୍ୟତମ କରୋନା ଟିକା କୋଭିସିଲ୍ଡର ଦର ଧାର୍ଯ୍ୟ କରିଛି ସେରମ୍ ଇନଷ୍ଟିଚ୍ୟୁଟ୍‌। ଏହାର ଡୋଜ୍ ପିଛା ଦର ରାଜ୍ୟ ସରକାରଙ୍କ ପାଇଁ ୪ଶହ ଓ ଘରୋଇ ହସ୍ପିଟାଲ୍ ପାଇଁ ୬ଶହ ଟଙ୍କା ରଖାଯାଇଛି। ଆମେରିକୀୟ ଟିକା ଡୋଜ୍ ୧୫ଶହ ଏବଂ ଋଷ ଓ ଚୀନ୍ ଟିକା ୭୫୦ ଟଙ୍କା ଥିବା ବେଳେ, କୋଭିସିଲ୍ଡ ଦର ବହୁତ କମ୍ ଅଛି ବୋଲି ଦର୍ଶାଇଛନ୍ତି। ସେରମର ସିଇଓ ଆଦର ପୁନାଓ୍ୱାଲା ୪-୫ ମାସ ପରେ ଏହା ଦୋକାନରେ ମିଳିବ ବୋଲି ସେ ଘୋଷଣା କରିଛନ୍ତି। ସେପଟେ ଫେଜ୍-ଥ୍ରୀ ଟ୍ରାଏଲରେ ଥିବା ଆଉ ଏକ ଭାରତୀୟ ଟିକା ବାୟୋଲୋଜିକାଲ୍-ଇର ଉତ୍ପାଦନ ଅଗଷ୍ଟ ସୁଦ୍ଧା ଆରମ୍ଭ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପଲ୍।

ଏପଟେ ଟିକାକରଣ ତୃତୀୟ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ହାତକୁ କ୍ଷମତା ଯିବା ପରେ, ଆସାମ, ଉତ୍ତରପ୍ରଦେଶ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ସରକାର ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି। ୧୮ରୁ ୪୫ ବର୍ଷ ଲୋକଙ୍କ ପାଇଁ ମାଗଣା ଟିକାକରଣ ନେଇ ଆସାମ ସରକାରଙ୍କ ଘୋଷଣା ପରେ, ଏଭଳି ସାହସିକ ପଦକ୍ଷେପକୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ଟୁଇଟ୍ କରିଛନ୍ତି, ଆଗକୁ ଦେଖିବାର ଅଛି। କେଉଁ ରାଜ୍ୟ ଏହାକୁ ଅନୁକରଣ କରୁଛି, ଆଉ କିଏ ଏହାକୁ ନକଲ କରି ନିଜର ବୋଲି ଦାବି କରୁଛନ୍ତି। ସେପଟେ ରାଜ୍ୟର ସ୍ଥିତି ସୁଧାରିବାକୁ ବିଦେଶରୁ ସ୍ପୁଟନିକ ଭି, ଫାଇଜର୍ ଓ ମଡର୍ଣ୍ଣା ଆଦି ଟିକା ଆମଦାନୀ କରିବା ନେଇ ଚିନ୍ତା କରୁଛି ମହାରାଷ୍ଟ୍ର। ଏ ଭିତରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଲାଗୁଥିବା ରେମ୍ଡେସିଭିର୍ ଉପରୁ ଆମଦାନୀ ଶୁଳ୍କ ପ୍ରତ୍ୟାହାର କରିଛନ୍ତି କେନ୍ଦ୍ର ସରକାର।

You might also like